ଫାଣ୍ଡି ହାଜତରୁ ଅଭିଯୁକ୍ତ ଚମ୍ପଟ

ପୁଲିସ ନାଁରେ ଏନ୍‌କାଉଣ୍ଟର ଅଭିଯୋଗ ଆଣିଲେ ମାଆ, ଜଣେ କନେଷ୍ଟବଳ ନିଲମ୍ବିତ

ଗୋପ : ପୁରୀ ଜିଲ୍ଲା ଗୋପ ଥାନା ଅଧୀନ ନୟାହାଟ ଫାଣ୍ଡି ହାଜତରୁ ‌ଜଣେ ଅଭିଯୁକ୍ତ ଫେରାର୍‌ ହୋଇଯାଇଛି। ତେବେ, ତାଙ୍କ ପୁଅକୁ ପୁଲିସ ଏନ୍‌କାଉଣ୍ଟର୍‌ କରି କେଉଁଆଡ଼େ ମାରି ଫିଙ୍ଗି ଦେଇଛି ବୋଲି ଅଭିଯୁକ୍ତର ମା’ ଅଭିଯୋଗ କରିବା ସହ ଫାଣ୍ଡି ଆଗରେ ଅନ୍ୟ ମହିଳାଙ୍କ ସହିତ ଧାରଣାରେ ବସିଛନ୍ତି।

ଅଭିଯୁକ୍ତ ଜଣକ ହେଉଛି, ଏହି ଫାଣ୍ଡି ଅନ୍ତର୍ଗତ ଧୂମାଳ ଗ୍ରାମର ବିଜୟ ଖଟୋଇ। ବିଜୟ ନାମରେ ଗୋପ ସମେତ ବିଭିନ୍ନ ଥାନାରେ ୨୦ରୁ ଅଧିକ ଅପରାଧିକ ମାମଲା ରହିଛି। କୌଣସି ମାମଲାକୁ ନେଇ ବୁଧବାର ଭୋର୍‌ରୁ ନୟାହାଟ ଫାଣ୍ଡି ଅଧିକାରୀ ବାବୁଲି ପ୍ରଧାନ ସଦଳବଳ ବିଜୟଙ୍କ ଘରେ ପହଞ୍ଚି ତାକୁ ଉଠାଇ ଆଣି ଫାଣ୍ଡି ହାଜତରେ ରଖିଥିଲେ। ଦିନରେ ଅଭିଯୁକ୍ତର ମାଆ ଶୈଳବାଳା ଦେଖା କରିବାପାଇଁ ଆସିଥିବା ବେଳେ ପୁଅ ଫାଣ୍ଡିରେ କି ଥାନାରେ ନ ଥିବା ଜାଣିବାକୁ ପାଇଥିଲେ। ପରେ ଶୈଳବାଳା ଫାଣ୍ଡି ଅଧିକାରୀଙ୍କୁ ପୁଅ କୁଆଡ଼େ ଗଲା ବୋଲି ପ୍ରଶ୍ନ ପଚାରିବାରେ ଫାଣ୍ଡି ଅଧିକାରୀ ବାବୁଲି ପ୍ରଧାନ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ।

ଏ ନେଇ ଆଜି ଶୈଳବାଳା ପୁଅ ବିଜୟକୁ ପୁଲିସ ଏନ୍‌କାଉଣ୍ଟର କରି ମାରି କେଉଁଆଡ଼େ ଫୋପାଡ଼ି ଦେଇଥିବା ଭଳି ଗୁରୁତର ଅଭିଯୋଗ ଗଣମାଧ୍ୟମ ଆଗରେ କରିଛନ୍ତି। ଏ ନେଇ ଶୈଳବାଳାଙ୍କ ସହିତ କିଛି ମହିଳା ଫାଣ୍ଡି ଆଗରେ ଧାରଣାରେ ବସିଥିଲେ। ହେଲେ, ଶୈଳବାଳାଙ୍କ ଏପରି ଅଭିଯୋଗକୁ ଖଣ୍ତନ କରିଛନ୍ତି ଫାଣ୍ଡି ଅଧିକାରୀ ଶ୍ରୀ ପ୍ରଧାନ। ସେ କହିଛନ୍ତି, ଅଭିଯୁକ୍ତ ହାଜତରୁ ଖସି ଯାଇଛି, ତାକୁ ଖୁବ୍‌ଶୀଘ୍ର ଧରାଯିବ। ଏ ନେଇ ନିମାପଡ଼ା ଏସ୍‌ଡିପିଓ ଦେବାଶିଷ ମିଶ୍ରଙ୍କୁ ପଚାରିବାରେ ସେ କହିଥିଲେ ବିଜୟ ଜଣେ ପେସାଦାର ଅପରାଧୀ। ତାକୁ ଏକ ଚୋରି କେସ୍‌ରେ ଗିରଫ କରାଯାଇଥିବା ବେଳେ ସେ ପୁଲିସକୁ ଧକ୍କା ମାରି ଚମ୍ପଟ୍‌ ମାରିଛି। ଖୁବ୍‌ଶୀଘ୍ର ତାକୁ ଗିରଫ କରାଯିବ ବୋଲି ଏସ୍‌ଡିପିଓ ଶ୍ରୀ ମିଶ୍ର କହିଛନ୍ତି।

ତେବେ, ଏହି ଘଟଣାରେ ପୁରୀ ଏସ୍‌ପି କନୱର ବିଶାଲ ସିଂହ ଦାୟିତ୍ବରେ ଥିବା କନେଷ୍ଟବଳ ରାଜନ୍ ମିଂଜଙ୍କୁ ନିଲମ୍ବିତ କରିଥିବା ଏସ୍‌ଡିପିଓ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର