ସ୍ମୃତି ଲେଙ୍କା ଏଆଇୱାଇସିର ରାଷ୍ଟ୍ରୀୟ ସାଧାରଣ ସଂପାଦକ

ଭୁବନେଶ୍ବର : ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ସ୍ମୃତି ଲେଙ୍କା ଅଖିଳ ଭାରତୀୟ ଯୁବ କଂଗ୍ରେସ କମିଟି(ଏଆଇୱାଇସି)ର ରାଷ୍ଟ୍ରୀୟ ସାଧାରଣ ସଂପାଦକ ନିଯୁକ୍ତ ହୋଇଛନ୍ତି। ଏହାସହ ତାଙ୍କୁ ଆସାମ ଓ ମେଘାଳୟର ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। ଅଖିଳ ଭାରତୀୟ ଯୁବ କଂଗ୍ରେସ ରାଷ୍ଟ୍ରୀୟ ପ୍ରଭାରୀ କ୍ରିଷ୍ଣ‌ା ଆଲାଭାରୁ ଓ ଯୁବ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ବିଭି ଶ୍ରୀନିବାସ ଶ୍ରୀ ଲେଙ୍କାଙ୍କୁ ଏହି ଦାୟିତ୍ବ ପ୍ରଦାନ କରିଛନ୍ତି। ୨୦୨୦ ଜୁନ୍‌ରୁ ଶ୍ରୀ ଲେଙ୍କା ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସର ରାଜ୍ୟ ସଭାପତି ରହିଛନ୍ତି।

ଏବେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସର ସାଂଗଠନିକ ନିର୍ବାଚନ ଚାଲିଥିବା ବେଳେ ଏହି ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ସେ ଏହି ଦାୟିତ୍ବରେ ରହିବେ। ଏଆଇୱାଇସିର ରାଷ୍ଟ୍ରୀୟ ସାଧାରଣ ସଂପାଦକ ନିଯୁକ୍ତ ହେବା ପରେ ନିଜ ପ୍ରତିକ୍ରିୟାରେ ଶ୍ରୀ ଲେଙ୍କା କହିଛନ୍ତି ଯେ ଦେଶରେ ବଢ଼ୁଥିବା ବେରୋଜଗାର, ସାମ୍ପ୍ରଦାୟିକ ହିଂସା ବିଶେଷକରି ଉତ୍ତର-ପୂର୍ବ ରାଜ୍ୟରେ କେନ୍ଦ୍ର ସରକାରଙ୍କ ଅପାରଗତା ପାଇଁ ବଢ଼ୁଥିବା ହିଂସା ବିରୋଧରେ ଲଢ଼େଇକୁ ଜୋରଦାର କରାଯିବ ବୋଲି କହିଛନ୍ତି। ରାଜ୍ୟ ସଭାପତିଭାବେ ସେ ଠିକା କର୍ମଚାରୀଙ୍କ ସ୍ଥାୟୀ ନିଯୁକ୍ତି, ଉଚ୍ଚଶିକ୍ଷାରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ବୃତ୍ତି ରାଶିକୁ ପୁନର୍ବାର ପ୍ରଦାନ ଓ ରାଜ୍ୟର ଯୁବକଙ୍କ ବହୁ ସମସ୍ୟାକୁ ବିଭିନ୍ନ ସମୟରେ ସ୍ବର ଉତ୍ତୋଳନ କରିଥିଲେ।

ସମ୍ବନ୍ଧିତ ଖବର