ପୁଲିସ୍‌ ହେପାଜତରୁ ଖସିଗଲା ଦୁଷ୍କର୍ମ ଅଭିଯୁକ୍ତ

ବାପା ବନ୍ଧା ହେବା ଭୟରେ ଧରାଦେଲା ପୁଅ

ଧର୍ମଶାଳା : କୋର୍ଟଚାଲାଣ ବେଳେ ଧର୍ମଶାଳା ଥାନା ପୁଲିସ୍‌ ହେପାଜତରୁ ଖସି ଯାଇଥିଲା ଜଣେ ଦୁଷ୍କର୍ମ ଅଭିଯୁକ୍ତ। ଅଭିଯୁକ୍ତ ପାଖର ପଞ୍ଚାୟତ ନାକୁଆ ଗ୍ରାମର ଶିବ ସାମଲକୁ ଧରିବା ପାଇଁ ପୁଲିସ୍‌କୁ ବୁଧବାର ଦିନ ତମାମ୍ ନାକେଦମ୍ ହେବାକୁ ପଡ଼ିଲା। ଏଣେ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନର ଭୟ। କଳେବଳେ ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ୍‌ ଉଦ୍ୟମ କରିଥିଲା। ପୁଅକୁ ଧରିବା ପାଇଁ ବାପା ଦୁଃଶାସନ ସାମଲଙ୍କୁ ଘରୁ ଉଠାଇ ନେଇଥିଲା ପୁଲିସ୍‌। ଶିବ ଧରାନପଡ଼ିଲେ ବାପା ଦୁଃଶାସନଙ୍କୁ ବାନ୍ଧି କୋର୍ଟଚାଲାଣ କରାଯିବ ବୋଲି ଧମକ ଦେଇଥିଲା ପୁଲିସ୍‌। ସଂପର୍କୀୟଙ୍କ ମାଧ୍ୟମରେ ଖବର ପହ‌ଞ୍ଚିଥିଲା ଶିବ ପାଖରେ। ବାପା ବନ୍ଧା ହୋଇଯିବା ଭୟରେ ଶିବ ଆସି ସଂଧ୍ୟାରେ ପୁଲିସ୍‌ ନିକଟରେ ଧରାଦେଇଥିଲା। ଫଳରେ ଦାୟିତ୍ବରେ ଥିବା ପୁଲିସ୍‌ କର୍ମଚାରୀ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିଯାଇଥିଲେ।

ଏକ ଦୁଷ୍କର୍ମ ମାମଲାରେ ଶିବ ପ୍ରାୟ ୫ବର୍ଷ ହେଲା ଫେରାର୍ ଥିଲା। ଘଟଣାର ଆପୋସ ସମାଧାନ ଉଦ୍ୟମ ଚାଲିଥିବା ବେଳେ ପୁଲିସ୍‌ ଗତକାଲି ଶିବକୁ ଗିରଫ କରିଥିଲା। ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶିବର କୋଭିଡ୍ ପରୀକ୍ଷା କରାଯିବା ପରେ ମଧ୍ୟାହ୍ଣରେ ତାକୁ ଚଣ୍ତିଖୋଲ କୋର୍ଟଚାଲାଣ କରାଯାଇଥିଲା। କୋର୍ଟ ନିକଟରେ ଶିବ ଗାଡ଼ିରୁ ଓହ୍ଲାଉଥିବା ବେଳେ ପୁଲିସ୍‌କୁ ଚକ୍‌ମା ଦେଇ ଫେରାର୍ ହୋଇ ଯାଇଥିଲା। ପରେ ପୁଲିସ୍‌ ନିଜ ଆଦବ୍ କାଇଦାରେ ଶିବକୁ ଧରିବାରେ ସକ୍ଷମ ହୋଇଛି। ସେମିତି ଗତ ୯ତାରିଖରେ ଯାଜପୁର ଏସ୍‌ପିଙ୍କ ଦ୍ବାରା ଗଠିତ ସ୍ବତନ୍ତ୍ର ସ୍କ୍ବାଡ଼୍ ୧୬ନମ୍ବର ଜାତୀୟ ରାଜପଥ ପାର୍ଶ୍ବସ୍ଥ ଦେଉଳି ଗାଁର ଏକ ଭଡ଼ାଘରେ ବେଆଇନ ସ୍କ୍ରାପ୍ ବେପାର କରୁଥିବା ଯାଜପୁର ସଦର ଥାନା ସାମନ୍ତରାପୁର ଗ୍ରାମର ଦାମୋଦର ସାହୁ ଓ ଯାଜପୁର ରୋଡ଼୍ ଥାନା ଲକ୍ଷ୍ମୀନଗର ଗ୍ରାମର ମାନସ କୁମାର ପୃଷ୍ଟିକୁ ଗିରଫ କରି ଧର୍ମଶାଳା ଥାନା ପୁଲିସ୍‌ ଜିମା ଦେଇଥିଲା। ପୁଲିସ୍‌ ହେପାଜତରୁ ଦାମୋଦର ଥାନା ପରିସରରୁ ଚମ୍ପଟ ମାରିଥିଲା। ପରଦିନ‌ ସେ ଧରାପଡ଼ିଥିଲା।

ସମ୍ବନ୍ଧିତ ଖବର