ଉଡ଼ିଗଲା ବରିଷ୍ଠ ନାଗରିକଙ୍କ ୧୩ ଲକ୍ଷ, ସିମ୍ ପୋର୍ଟେବ୍‌ଲ ନାଁରେ ନେଇଗଲା ସାଇବର ଠକ

ଭୁବନେଶ୍ବର : ସୁଯୋଗକୁ ଉଣ୍ଡି ବସିଛନ୍ତି ସାଇବର ଠକ। ମଉକା ପାଇବା ମାତ୍ରେ ଚତୁରତାର ସହ ଫସାଉଛନ୍ତି ଓ ଆକାଉଣ୍ଟ ଖାଲି କରି ଦେଉଛନ୍ତି। ଏଥର ଫସିଛନ୍ତି ଜଣେ ବରିଷ୍ଠ ନାଗରିକ। ମୋବାଇଲ୍‌ ଫୋନ୍‌ ସିମ୍‌ ପୋର୍ଟେବ୍‌ଲ କରୁକରୁ ସାଇବର ଠକ ଜାଲରେ ପଡ଼ି ୧୩ ଲକ୍ଷ ଟଙ୍କା ହରାଇଛନ୍ତି। ଏତେ ସଚେତନତା ସତ୍ତ୍ବେ ସାଇବର ଠକ ତାଙ୍କଠାରୁ ସହଜରେ ଓଟିପି ନେଇ ଠକାମି କରିଛି। ଏନେଇ ଚନ୍ଦ୍ରଶେଖରପୁର ଥାନା ଶୈଳଶ୍ରୀବିହାର ଅଞ୍ଚଳର ସଦାଶିବ ମହାନ୍ତି(୭୬) ସାଇବର ଥାନା ଓ ଅର୍ଥନୈତିକ ଅପରାଧ ଶାଖାରେ ଅଭିଯୋଗ କରିଛନ୍ତି।

ଶ୍ରୀ ମହାନ୍ତିଙ୍କ ଅଭିଯୋଗ ଅନୁସାରେ ସେ ଗତ ୧୨ତାରିଖ ଦିନ ତାଙ୍କ ଏୟାରଟେଲ୍ ସିମ୍‌କୁ ବିଏସ୍‌ଏନ୍‌ଏଲ୍‌କୁ ପୋର୍ଟେବ୍‌ଲ କରିବା ପାଇଁ ଆବେଦନ କରିଥିଲେ। ଆବେଦନ କରିବାର କିଛି ସମୟ ମଧ୍ୟରେ ତାଙ୍କୁ ଏକ ମେସେଜ୍ ଆସିଥିଲା। ଆସନ୍ତା ୧୬ତାରିଖ ସନ୍ଧ୍ୟାରୁ ତାଙ୍କ ସିମ୍ ସକ୍ରିୟ ହେବ ବୋଲି ମେସେଜ୍‌ରେ ଉଲ୍ଲେଖଥିଲା। ମେସେଜ୍ ଦେଖିବା ପରେ ଶ୍ରୀ ମହାନ୍ତି ୧୮ତାରିଖ ଅପରାହ୍ନ ପ୍ରାୟ ୧ଟା ବେଳକୁ ଉକ୍ତ ନମ୍ବରକୁ ଫୋନ୍ କରିଥିଲେ। କିନ୍ତୁ ସେଇ ନମ୍ବରଟି ସାଇବର ଠକର ବୋଲି ସେ ବୁଝିପାରିନଥିଲେ। ସେ ଫୋନ୍‌ କରିବା ପରେ ଠକ ତାଙ୍କୁ କ୍ବିକ୍ ଆପ୍ ଡାଉନ୍‌ଲୋଡ୍ କରିବାକୁ କହିଥିଲା ଓ ପ୍ରୋସେସିଂ ଫି’ ବାବଦରେ ୧୦ଟଙ୍କା ଅନ୍‌ଲାଇନ୍‌ରେ ଦେବାକୁ କହିଥିଲା। ଏହା ପରେ ସେ କ୍ବିକ୍ ଆପ୍ ଜରିଆରେ ଆସିଥିବା ଏକ ଓଟିପି ମାଗିଥିଲା। ଶ୍ରୀ ମହାନ୍ତି ଉକ୍ତ ଓଟିପି ନମ୍ବର ଦେଇଦେଇଥିଲେ। ଏହା ପରେ ସାଇବର ଠକ ତାଙ୍କ ମୋବାଇଲକୁ ହ୍ୟାକ୍ କରି ୩ଟି ବ୍ୟାଙ୍କ୍‌ ଆକାଉଣ୍ଟରୁ ପ୍ରାୟ ୧୩ଲକ୍ଷ ୧୯ହଜାର ଟଙ୍କା ଲୁଟି ନେଇଥିଲା। ଏନେଇ ସାଇବର ବିଶେଷଜ୍ଞ ଆକାଶ ମିଶ୍ର କହିଛନ୍ତି ତଥ୍ୟ ଲିକ୍ କିମ୍ବା ନେଟ୍‌ଵର୍କ ପେନିଟ୍ରେସନ୍ ଯୋଗୁଁ ଏହି ଠକେଇ ହୋଇଛି। ତେଣୁ ମୋବାଇଲରେ କୌଣସି ଆପ୍ ଡାଉନ୍‌ଲୋଡ୍ ନକରିବାକୁ ବାରମ୍ବାର କୁହାଯାଉଛି। ସେହିଭଳି ମୋବାଇଲ୍‌କୁ ଆସିଥିବା ଓଟିପିକୁ ଅନ୍ୟ କାହାକୁ ସେୟାର୍ ନକରିବାକୁ ବି କୁହାଯାଉଛି। ତଥାପି ଲୋକେ ଚେତୁନାହାନ୍ତି। ଫଳରେ ସାଇବର ଠକଙ୍କୁ ମଉକା ମିଳିଯାଉଛି।

ଇଞ୍ଜିନିୟର୍‌ ହରାଇଲେ ୧.୯୫ ଲକ୍ଷ
ଭୁବନେଶ୍ବର : ରାଜଧାନୀରେ ସେକ୍କଟର୍ସନର ଶିକାର ହୋଇଛନ୍ତି ଜଣେ ଯୁବ ଇଞ୍ଜିନିୟର୍‌। ଅଶ୍ଳୀଳ ଭିଡିଓ କଲର ରେକର୍ଡ ଥିବା କହି ସାଇବର ଠକ ୧ ଲକ୍ଷ ୯୫ ହଜାର ଟଙ୍କା ଲୁଟି ନେଇଛନ୍ତି। ଏ ନେଇ ଇଞ୍ଜିନିୟର ଜଣଙ୍କ ସାଇବର ଥାନାର ଦ୍ବାରସ୍ଥ ହୋଇଛନ୍ତି। ଟଙ୍କା ଦେଇଥିବାରୁ ଠକମାନେ ତାଙ୍କ ପିଛା ଛାଡ଼ୁ ନାହାନ୍ତି। ପୁଣି ଟଙ୍କା ମାଗି ଚାଲିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଠକେଇର ଶିକାର ହୋଇଥିବା ଯୁବକ ଜଣେ ଆଇଟି ଇଞ୍ଜିନିୟର। ସେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ରୁହନ୍ତି। କୋଭିଡ୍ ପାଇଁ ସେ ଵାର୍କ ଫ୍ରମ୍ ହୋମ୍ କରୁଛନ୍ତି। ଗତ କିଛିଦିନ ତଳେ ତାଙ୍କୁ ଫେସବୁକରେ ଏକ ଫ୍ରେଣ୍ଡ ରିକ୍ୟୁଏଷ୍ଟ ଆସିଲା। ସେ ତାହାକୁ ଗ୍ରହଣ କରିବା ପରେ ଯୁବତୀ ଜଣଙ୍କ ମେସେଞ୍ଜରରେ ଚାଟିଂ କରିଥିଲେ। ଏହା ପରେ ନମ୍ବର ଦିଆନିଆ ହୋଇଥିଲା। ହ୍ବାଟସଆପରେ ଉଭୟ ଅଶ୍ଳୀଳ ଭିଡିଓ ଚାଟିଂ କରିଥିଲେ। ସାଇବର ଠକ ଯୁବ ଇଞ୍ଜିନିୟରଙ୍କ ଅଶ୍ଳୀଳ ଭିଡିଓ ଚାଟିଂକୁ ସୋସିଆଲ ମିଡିଆରେ ଭାଇରାଲ୍ କରିବାର ଧମକ ଦେଇ ତାଙ୍କୁ ବ୍ଲାକମେଲ୍‌ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର