ଗୋରୁମାନଙ୍କ କ୍ଷେତ୍ରରେ ବ୍ୟାପୁଥିବା ଲମ୍ପି ସ୍କିନ୍ ରୋଗ ପାଇଁ ମାର୍ଗଦର୍ଶିକା ଜାରି କଲା ପ୍ରାଣୀ ସଂପଦ ବିଭାଗ

ଭୁବନେଶ୍ୱର : ଗାଈଗୋରୁ ମଇଁଷିମାନଙ୍କ ଦେହରେ ଦେଖା ଦେଉଥିବା ଲମ୍ପି ସ୍କିନ୍ ରୋଗକୁ ନେଇ ବଢ଼ିଲା ଭୟ। ବିଭିନ୍ନ ରାଜ୍ୟରେ ବ୍ୟାପିବା ପରେ ସତର୍କ ହେଲା ଓଡ଼ିଶା। ଏନେଇ ୧୪ଟି ଜିଲ୍ଲାକୁ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ବାଲେଶ୍ଵର, ଝାରସୁଗୁଡ଼ା, କେନ୍ଦୁଝର, ମୟୁରଭଞ୍ଜ, ନବରଙ୍ଗପୁର, ରାୟଗଡ଼ା, ଗଞ୍ଜାମ, ଗଜପତି, ନୂଆପଡ଼ା, ସୁନ୍ଦରଗଡ଼, ବରଗଡ଼, କଳାହାଣ୍ଡି, କୋରାପୁଟ ଓ ମାଲକାନଗିରି ଜିଲ୍ଲା କର୍ତ୍ତୃପକ୍ଷଙ୍କୁ ଏ ନେଇ ଚିଠି ଲେଖିଛନ୍ତି ପ୍ରାଣୀ ସମ୍ପଦ ବିଭାଗ ସଚିବ ଅରବିନ୍ଦ ପାଢ଼ୀ।
ଖାଲି ସେତିକି ନୁହେଁ, ପ୍ରାଣୀ ସମ୍ପଦ ବିଭାଗ ଲମ୍ପି ସ୍କିନ୍ ରୋଗକୁ ନେଇ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରିଛି। ସୀମାନ୍ତ ଜିଲ୍ଲାଗୁଡିକରେ ବ୍ଲକ ଓ ଗ୍ରାମଗୁଡିକୁ ଚିହ୍ନଟ କରି ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ସହ ୫ କିମି ପରିଧି ଉପରେ ନଜର ରଖିବାକୁ ନିର୍ଦେଶ ଦିଆଯାଇଛି।ଏହାଛଡ଼ା ଆବଶ୍ୟକୀୟ ପରିମାଣର ଔଷଧ ମହଜୁଦ ରଖିବାକୁ ନିର୍ଦେଶ ରହିଛି। ଆନ୍ତରାଜ୍ୟ ଗୋ ମଇଁଷି ପରିବହନ ଉପରେ କଟକଣା, ପ୍ରାଣୀମେଳା ଓ ପ୍ରଦର୍ଶନୀ ଉପରେ ରୋକ ଲଗାଯାଇଛି। ଗୋ ମଇଁଷି ରହୁଥିବା ସ୍ଥାନରେ ନିୟମିତ ବିଶୋଧନ କରିବାକୁ ପରାମର୍ଶ ଦିଆଯାଇଛି। ଯାହାଙ୍କ ଦେହରେ ରୋଗ ଚିହ୍ନଟ ହେଉଛି ତାଙ୍କୁ ପୃଥକ ବାସରେ ରଖିବାକୁ ନିର୍ଦେଶ ଥିବା ବେଳେ ନମୂନା ସଂଗ୍ରହ କରି ପରୀକ୍ଷା କରାଇ ନେବାକୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର