ଦୁଇଦିନିଆ ପ୍ରାକ୍ ରବି କର୍ମଶାଳା ଉଦ୍‌ଯାପିତ : ଡିସେମ୍ବର ପହିଲାରୁ ‘ମୋ ସରକାର’ କାର୍ଯ୍ୟକ୍ରମରେ ସାମିଲ ହେବ କୃଷି ବିଭାଗ

ଭୁବନେଶ୍ବର : ରାଜ୍ୟ ସରକାର କୃଷକମାନଙ୍କ ପାଇଁ ପ୍ରଣୟନ କରିଥିବା ବିଭିନ୍ନ ଯୋଜନାଗୁଡ଼ିକ ଯେପରି ସମ୍ପୂର୍ଣ୍ଣ ସ୍ବଚ୍ଛ ତଥା ପାରଦର୍ଶୀ ଭାବେ ସେମାନଙ୍କ ପାଖରେ ପହଞ୍ଚିବ ସେଥିପାଇଁ କର୍ମଚାରୀ ଓ ଅଧିକାରୀମାନେ ଯତ୍ନବାନ ହେବା ଆବଶ୍ୟକ। ସ୍ଥାନୀୟ କୃଷି ଭବନରେ ଆୟୋଜିତ ଦୁଇ ଦନିଆ ପ୍ରାକ୍ ରବି କର୍ମଶାଳା ଉଦଯାପନୀ ଦିବସରେ ମଖ୍ୟ ଅତିଥିଭାବେ ଯୋଗଦେଇ ଏପରି ପରାମର୍ଶ ଦେଇଛନ୍ତି କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଅରୁଣ ସାହୁ। ମନ୍ତ୍ରୀ ଶ୍ରୀ ସାହୁ ଚଳିତ ଆର୍ଥିକ ବର୍ଷ ପାଇଁ ରବି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ଏ ବର୍ଷ ଖାଦ୍ୟ ଶସ୍ୟ ଉତ୍ପାଦନ ଲକ୍ଷ୍ୟ ୧୮୯୮.୩୧ ହଜାର ମେଟ୍ରିକ୍ ଟନ୍ ରଖାଯାଇଥିବା ନେଇ ସୂଚନା ଦେଇଛନ୍ତି। ଆସନ୍ତା ଡିସେମ୍ବର ପହିଲାରୁ ଲୋକଙ୍କ ମତାମତ ସଂଗ୍ରହ ପାଇଁ କୃଷି ବିଭାଗ ‘ମୋ ସରକାର’ କାର୍ଯ୍ୟକ୍ରମ ଅନୁପାଳନ କରିବା ନେଇ ମନ୍ତ୍ରୀ କର୍ମଶାଳାରେ ଘୋଷଣା କରିଛନ୍ତି।

ମନ୍ତ୍ରୀ ଶ୍ରୀ ସାହୁ କହିଥିଲେ, କୃଷକର ଆୟ ବୃଦ୍ଧି ପାଇଁ ଠିକ୍ ସମୟରେ ଉପଯୁକ୍ତମାନର ବିହନ ଯୋଗାଣ, ଆବଶ୍ୟକତା ଅନୁଯାୟୀ ରୋଗପୋକ ପରିଚାଳନା, କୃଷି ଉତ୍ପାଦନର ବିପଣନ, ଚାଷୀକୁ ଉତ୍ପାଦିତ ଦ୍ରବ୍ୟର ଉଚିତ୍ ମୂଲ୍ୟ ପ୍ରଦାନ ଓ ବଜାରଭିତ୍ତିକ କୃଷି ସଂପ୍ରସାରଣ କରିବାକୁ ପ଼ଡ଼ିବ। ଚଳିତବର୍ଷ ତୈଳବୀଜ ଉତ୍ପାଦନ ଲକ୍ଷ୍ୟ ୫୧୯ ହଜାର ମେଟ୍ରିକ୍ ଟନ୍ ରଖାଯାଇଥିବାବେଳେ ପନିପରିବା ଉତ୍ପାଦନ ୭୫୨୭.୮୩ ମେଟ୍ରିକ୍ ଟନ୍ ରଖାଯାଇଛି। ରବି ଋତୁରେ ୨.୮୫ ଲକ୍ଷ ହେକ୍ଟର ଜମିରେ ଧାନ ଚାଷ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ଚଳିତ ରବି ଋତୁରେ ୫୯,୬୫୨ କ୍ବିଣ୍ଟାଲ ଗୁଣାତ୍ମକ ଧାନ ବିହନ ଓ ୩୩,୩୩୮ କ୍ବିଣ୍ଟାଲ ଅଣଧାନ ବିହନ ଯୋଗାଇଦେବା ପାଇଁ ବ୍ୟବସ୍ଥା କରାଯାଇଛି। ଅଧିକ ଲାଭ ପାଇଁ ପତିତ ଧାନ ଜମିରେ ଉପଯୁକ୍ତ କିସମର ତୈଳବୀଜ, ଡାଲିଜାତୀୟ ଫସଲ ଓ ଜୈବିକ କୃଷିକୁ ପ୍ରୋତ୍ସାହନ ଦିଆଯାଇଛି।

ଦୁଇଦିନିଆ କର୍ମଶାଳା ପାଇଁ କୃଷିର ମୁଖ୍ୟ ଦିଗ ଉପରେ ଆଲୋଚନା ଓ ମତାମତ ସଂଗ୍ରହ ନିମନ୍ତେ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ୧୨ଟି ଦଳ ଗଠନ କରାଯାଇ ସ୍ବତନ୍ତ୍ର ଭାବେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଆଲୋଚନାର ନିର୍ଯାସ ଓ ସମସ୍ୟାଗୁଡ଼ିକର ସମାଧାନ ପାଇଁ ବିଭିନ୍ନ ଅନୁମୋଦନଗୁଡ଼ିକ ଉପସ୍ଥାପନ କରାଯାଇଥିଲା। ଏ ନେଇ ଦଳଗୁଡ଼ିକ ତରଫରୁ ପ୍ରଦାନ କରାଯାଇଥିବା ପ୍ରସ୍ତାବକୁ ଅନୁଧ୍ୟାନ କରାଯାଇ କାର୍ଯ୍ୟକାରୀ କରାଯିବ ବୋଲି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ କହିଥିଲେ। କର୍ମଶାଳାରେ ମନ୍ତ୍ରୀ ଶ୍ରୀ ସାହୁ ଏଗ୍ରିକଲଚର ଏକ୍ସଟେନସନ୍ ଆପର ଶୁଭାରମ୍ଭ କରିବା ସହ କୃଷି ସଂକ୍ରାନ୍ତ ପୁସ୍ତକର ଉନ୍ମୋଚନ କରିଥିଲେ। ଏହି ଅବସରରେ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା କୃଷି ଅଧିକାରୀ ଓ କୃଷି ଉନ୍ନୟନ ଆସୋସିଏସନମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କର୍ମଶାଳାରେ କୃଷି ନିର୍ଦ୍ଦେଶକ ମୁଥୁକୁମାର, ଉଦ୍ୟାନ କୃଷି ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟଙ୍କ ସମେତ ବିଭାଗୀୟ ଅଧିକାରୀ ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର