ସ୍ଥାନୀୟ ନିଯୁକ୍ତି ଦାବିରେ ଜିନ୍ଦଲ କାରଖାନା ଆଗରେ ଆନ୍ଦୋଳନ

ଦାନଗଦୀ: ସ୍ଥାନୀୟ ବେକାର ଯୁବକଯୁବତୀଙ୍କୁ ନିଯୁକ୍ତି ଦାବିକରି ଆଜି କଳିଙ୍ଗନଗର ଶିଳ୍ପାଞ୍ଚଳର ଜିନ୍ଦଲ ଷ୍ଟେନଲେସ କାରଖାନା ସମ୍ମୁଖରେ ବିଶାଳ ବିକ୍ଷୋଭ କରାଯାଇଛି। କଳିଙ୍ଗନଗର ମଜଦୁର ୟୁନିୟନ ନେତୃତ୍ଵରେ ସୁକିନ୍ଦା ବେକାର ଯୁବକମାନଙ୍କ ଡାକରାରେ ଜିନ୍ଦଲ ଗେଟ ସମ୍ମୁଖରେ ଅନିର୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଆନ୍ଦୋଳନ ପାଇଁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା। ତଦନୁସାରେ ଆଜି ପୂର୍ବାହ୍ନରେ ସହସ୍ରାଧିକ ଯୁବକଙ୍କ ଶୋଭାଯାତ୍ରା ମାନପୁର ରେଳ ଓଭରବ୍ରିଜ ନିକଟରୁ ବାହାରିଥିଲା। କାରଖାନା ମୁଖ୍ୟ ଫାଟକ ସମ୍ମୁଖରେ ପହଞ୍ଚିବା ପରେ ସେଠାରେ ନାରାବାଜି କରି ସେମାନେ ସ୍ଥାନୀୟ ନିଯୁକ୍ତି ଦାବି କରିଥିଲେ। ପରେ କାରଖାନା ସମ୍ମୁଖରେ ପୂର୍ତ୍ତ ରାସ୍ତା କଡ଼ରେ ଏକ ତମ୍ବୁ ତଳେ ଯୁବକଯୁବତୀମାନେ ଧାରଣାରେ ବସିଥିଲେ।

ଅପରାହ୍‌ଣରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଏସ୍‌ ଟପୋ, ଯଖପୁରା ଥାନା ଅଧିକାରୀ ଜଗଦୀଶ କର ଓ ଜିନ୍ଦଲ କାରଖାନାର ବାହ୍ୟ ସମ୍ପର୍କ ବିଭାଗ ଅଧିକାରୀ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଧାରଣାକାରୀଙ୍କୁ ବୁଝାସୁଝା କରିଥିଲେ। ୮ ଦିନ ମଧ୍ୟରେ ପ୍ରଶାସନ ଉଦ୍ୟମରେ ସ୍ଥାନୀୟ ବିଧାୟକ ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ ସେମାନଙ୍କ ଦାବି ନେଇ ଆଲୋଚନା କରାଯିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। ସନ୍ଧ୍ୟାରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

କଳିଙ୍ଗନଗର ମଜଦୁର ୟୁନିୟନର ସାଧାରଣ ସମ୍ପାଦକ ଅଜାର ଅହମ୍ମଦ ଖାନ ଓ ଚନ୍ଦନ କର, ସୁଜିତ ରାଉତ, ଜୟନ୍ତ ରାଉତ, ମନୋଜ ବେହେରା, ଦୁର୍ଯ୍ୟୋଧନ ବେହେରା, ସୁଦାମ ପୋଇ, ଏସକେ ମୁର୍ସଲିମ, ତାରିଖ ଅଜିଜ, ପ୍ରଦୀପ ବିଶ୍ଵାଳ, କୃଷ୍ଣା ପ୍ରଧାନ, କ୍ରୁଷ୍ଣ ପାଳ, ବିଜୟ ଦଳାଇ, ଧର୍ମେନ୍ଦ୍ର ଜେନା, ମୃତ୍ୟୁଞ୍ଜୟ ଦେଓ, ସୁରେଶ ମହାନ୍ତ ଓ ରୁଦ୍ର ନାରାୟଣ ଦାସ ଏବଂ ନାରୀ ନେତ୍ରୀ ଅବନ୍ତୀ ସାମଲଙ୍କ ସହିତ ବହୁ ମହିଳା ଏଥିରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର