ଏସ୍‌ ଅଶ୍ବଥଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଅଶ୍ବଥଙ୍କୁ ୧୦ ଲକ୍ଷ, କୋଚ୍‌ଙ୍କୁ ୫ ଲକ୍ଷ ପୁରସ୍କାର, ସିଭି ରମଣ କଲେଜରେ ପ୍ରତିଷ୍ଠା ହେବ ବିଜୁ ପଟ୍ଟନାୟକ ଉତ୍କର୍ଷ କେନ୍ଦ୍ର

ଭୁବନେଶ୍ବର : ଋଷ୍‌ରେ ଅନୁଷ୍ଠିତ ବିଶ୍ବ ଦକ୍ଷତା ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିବା ଓଡ଼ିଆ ଯୁବକ ଏସ୍‌ ଅଶ୍ବଥଙ୍କୁୁ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି। ତାଙ୍କୁ ୧୦ ଲକ୍ଷ ଟଙ୍କା ଓ ତାଙ୍କ କୋଚ୍‌ ରଜତ କୁମାର ସାମନ୍ତରାୟଙ୍କୁ ୫ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଅଶ୍ବଥଙ୍କ ପ୍ରତିଭା ଓ ନିଷ୍ଠାକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ, ବିଭିନ୍ନ ବିଭାଗରେ ଦକ୍ଷତା ତାଲିମ୍ ନେଉଥିବା ଲକ୍ଷାଧିକ ଯୁବକ, ଯୁବତୀଙ୍କ ପାଇଁ ଅଶ୍ବଥ ଆଇକନ୍‌ ପାଲଟିଯାଇଛନ୍ତି। ବିଶ୍ବ ସ୍ତରରେ ଏହି ବିଜୟ ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶାର ଯୁବପିଢ଼ିଙ୍କ ଶ୍ରେଷ୍ଠ ସୁଯୋଗ ଦେବା ପାଇଁ ଆମର ନିଷ୍ଠାକୁ ପ୍ରମାଣିତ କରିଛି। ଆଇଟିଆଇ, ପଲିଟେକ୍‌‌ନିକ୍ ଓ ଅନ୍ୟ ଦକ୍ଷତା ପ୍ରତିଷ୍ଠାନର ଛାତ୍ରଛାତ୍ରୀମାନେ ଆଗାମୀ ଓଡ଼ିଶା ଦକ୍ଷତା ପ୍ରତିଯୋଗିତା, ପରେ ପରେ ଭାରତ ଦକ୍ଷତା ପ୍ରତିଯୋଗିତା ଓ ବିଶ୍ବ ଦକ୍ଷତା ପ୍ରତିଯୋଗିତାରେ ଭାଗ ନେବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ।

ଏହି ଅବସରରେ ସିଭି ରମଣ ଇଞ୍ଜିନିୟରିଂ କଲେଜରେ ବିଜୁ ପଟ୍ଟନାୟକ ଉତ୍କର୍ଷ କେନ୍ଦ୍ର ଖୋଲିବା ପାଇଁ ରାଜ୍ୟ ସରକାର ୫ କୋଟି ଟଙ୍କା ପ୍ରଦାନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏହି କଲେଜରେ ଅଶ୍ବଥ ବି.ଟେକ୍ ପଢ଼ୁଥିଲେ। ଅଶ୍ବଥଙ୍କ ସହ ତାଙ୍କ କୋଚ୍ ରଜତ କୁମାର ସାମନ୍ତରାୟ, ଅନ୍ୟ ଦୁଇ ଅଂଶଗ୍ରହଣକାରୀ ଜେନୋଫୋନ୍ ଦାସ ଓ ଅବିନାଶ ସ୍ବାଇଁ ଏବଂ ସିଭି ରମଣ ଇଞ୍ଜିନିୟରିଂ କଲେଜର ଚେୟାରମ୍ୟାନ୍ ସଞ୍ଜୀବ ରାଉତଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମରେ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ, ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଉନ୍ନୟନ କମିସନର୍ ସୁରେଶ ମହାପାତ୍ର, ଦକ୍ଷତା ବିକାଶ ସଚିବ ହେମନ୍ତ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର