ବବିଙ୍କ ସମ୍ବଲପୁର ଗସ୍ତ ବେଳେ ପଦାରେ ପଡ଼ିଲା ଗୋଷ୍ଠୀ ବିବାଦ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ବ ନେବା ପରେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ଆଜି ପ୍ରଥମ ବିଧିବଦ୍ଧ ସମ୍ବଲପୁର ଗସ୍ତ ସମୟରେ ସମଗ୍ର ବିଜେଡି ଶିବିର ଚଳଚଞ୍ଚଳ ହୋଇ ଉଠିଥିଲା। ତେବେ, ନେତାଙ୍କ ମଧ୍ୟରେ ଅଘୋଷିତ ପ୍ରତିଯୋଗିତା ଯୋଗୁ ସହର ବ୍ୟାନରମୟ ହୋଇଥିବା ବେଳେ ଦଳୀୟ ଗୋଷ୍ଠୀ ବିବାଦ ବି ପଦାକୁ ଆସିଥିଲା।

ସମ୍ବଲପୁର ରାଜନୀତିରେ ବିଶାଳଙ୍କ ପ୍ରବେଶ
ସୁଶାନ୍ତ ସିଂ ବି ଦେଖାଇଲେ ଦମ୍
ସହରସାରା ବ୍ୟାନର ପ୍ରତିଯୋଗିତା

ବାହାନଗା ରେଳ ଦୁର୍ଘଟଣା ଯୋଗୁ ଗତମାସ ବବିଙ୍କ କାର୍ଯ୍ୟକ୍ରମ ବାତିଲ ହୋଇଥିଲେ ହେଁ ବିଭିନ୍ନ ଗୋଷ୍ଠୀ ପକ୍ଷରୁ ଭିତିରିଆ ପ୍ରସ୍ତୁତି ଜାରି ରହିଥିଲା। ଗତରାତିରେ ଧନୁପାଲି, ଜେଲ ଛକ, କଚେରି ଛକ, ରିଂରୋଡ଼, ସମ୍ବଲଶ୍ବେରୀ ମନ୍ଦିର ପର୍ଯ୍ୟନ୍ତ ସବୁଠି ବ୍ୟାନର ଛାଇ ଯାଇଥିଲା। ତ‌େବେ ମନ୍ତ୍ରିମଣ୍ଡଳରୁ ବିଦା ହୋଇଥିବା ରୋହିତ ପୂଜାରୀ ଆଜି ବବି ଦାସଙ୍କୁ ଖୁସି କରିବା ପାଇଁ କୌଣସି ସୁଯୋଗ ହାତଛଡ଼ା କରିବାକୁ ଚାହିନଥିଲେ। ସଂଖ୍ୟା ଯଥେଷ୍ଟ ବେଶି ନଥିଲେ ବି ରୋହିତଙ୍କ ସମର୍ଥକମାନେ ବବି ଦାସଙ୍କୁ ରେଢ଼ାଖୋଲ ଓ ଯୁଯୁମୁରା ପରେ ସମ୍ବଲପୁର ସହର କଚେରି ଛକରେ ସ୍ବାଗତ କରିଥିଲେ। ଅନ୍ୟପଟେ ବରଗଡ଼ିଆ ନେତା ସୁଶାନ୍ତ ସିଂଙ୍କ ଅନୁଗତ ଓ ସମର୍ଥକମାନେ ମୁଣ୍ଢେର, ମାନେଶ୍ବର, ଜେଲ୍‌ ଛକ ଆଦି ସ୍ଥାନରେ ସ୍ବାଗତ କରିବା ସହିତ ଏହି ବାଇକ୍ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ମାନେଶ୍ବର ନିକଟରେ ନିଜର ବହୁ ସଂଖ୍ୟକ ସମର୍ଥକଙ୍କ ସହିତ ବିଶାଳ ଦାସ କେବଳ ସ୍ବାଗତ କରିନଥିଲେ ନିଜ ଶକ୍ତି ପ୍ରଦର୍ଶନ ବି କରିଥିଲେ। ମାନେଶ୍ବର ନିକଟରୁ ଜିଲ୍ଲା ବିଜେଡି ସଭାପତି ସିଦ୍ଧାର୍ଥ ଦାସ ତାଙ୍କ ସମର୍ଥକଙ୍କ ସହିତ ଶୋଭାଯାତ୍ରାରେ ରହିଥିଲେ।

ଗୋଷ୍ଠୀ ବିବାଦ ସଂପର୍କରେ ଅବଗତ ହେବା ପରେ ମାଝିପାଲି ୱେଲକମ୍‌ ରିସର୍ଟରେ ଅନୁଷ୍ଠିତ ବୈଠକରେ ବବି ଦାସ ପଞ୍ଚାୟତ ନିର୍ବାଚନର ଉଦାହରଣ ଦେଇ କହିଲେ, ଏକାଠି ଲଢ଼ିଲେ ଆମକୁ କେହି ପରାଜିତ କରିପାରିବେ ନାହିଁ। ଦଳରେ ଜଣେ ମାତ୍ର ନେତା ନବୀନ ପଟ୍ଟନାୟକ, ଅନ୍ୟ ସମସ୍ତେ କର୍ମୀ। ଆଗାମୀ ଦିନରେ ସେ ପ୍ରତ୍ୟେକ ଜିଲ୍ଲା ପରିଷଦ ଜୋନ୍ ସ୍ତରୀୟ ଦଳୀୟ କର୍ମୀମାନଙ୍କୁ ଭେଟିବେ ଏବଂ ସେହି କର୍ମୀମାନଙ୍କ ମତ ଅନୁଯାୟୀ ଆଗାମୀ ଦିନରେ ନେତା ଚୟନ କରାଯିବ ବୋଲି ସେ ସ୍ପଷ୍ଟ କରିବା ସହିତ ମତଭେଦ ବୋଲି ଦଳ ପାଇଁ କାମ କରିବାକୁ ଆହ୍ବାନ ଦେଇଥିଲେ।

ସମ୍ବନ୍ଧିତ ଖବର