ନର୍ଲାରେ ବିଜେଡି ଟିକେଟ ଝୁଲି ରହିଛି: ଦଳ ଛାଡ଼ିଲେ ଧନେଶ୍ବର ମାଝୀ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ନର୍ଲା ବିଧାନସଭା ନିର୍ବାଚନମଣ୍ଡଳୀର ନେତା ତଥା ପୂର୍ବତନ ବିଧାୟକ ଧନେଶ୍ବର ମାଝୀ ବୁଧବାର ବିଜେଡିରୁ ଇସ୍ତଫା ଦେବାପରେ ରାଜନୀତି ସରଗରମ ହେବାରେ ଲାଗିଛି। ପୂର୍ବରୁ ବିଜେଡିର ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ କଂଗ୍ରେସରେ ଯୋଗ ଦେଇଥିବାବେଳେ ଭବାନୀପାଟଣା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଅନାମ ନାଏକ ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି। ସେହିଭଳି ପୂର୍ବରୁ ପୂର୍ବତନ ଲୋକସଭା ସାଂସଦ ଅର୍କ କେଶରୀ ଦେଓ ବିଜେଡି ଛାଡ଼ି ବିଜେପିରେ ‌ଯୋଗ ଦେଇଛନ୍ତି। ବିଜେପି ପକ୍ଷରୁ ଅର୍କଙ୍କ ସହଧର୍ମିଣୀ ମାଳବିକା କେଶରୀ ଦେଓଙ୍କୁ ଲୋକସଭା ପ୍ରାର୍ଥୀ ଘୋଷଣା କରାଯାଇଛି। ନର୍ଲା ବିଧାନସଭା ନିର୍ବାଚନମଣ୍ଡଳୀରେ ଏପର୍ଯ୍ୟନ୍ତ ବିଜେଡିର ପ୍ରାର୍ଥୀ ଚୂଡ଼ାନ୍ତ ହୋଇପାରି ନାହିଁ।

ଦଳ ବର୍ତ୍ତମାନର ବିଧାୟକ ଭୂପିନ୍ଦର ସିଂହଙ୍କୁ ବଦଳାଇ ନୂଆ ପ୍ରାର୍ଥୀ ଦେବା ପାଇଁ ଗୋଟିଚାଳନା ଆରମ୍ଭ କରିଥିବା ‌ବେଳେ ଏହି ଦୌଡ଼ରେ ନର୍ଲା ପଞ୍ଚୟତ ସମିତି ଅଧ୍ୟକ୍ଷା ମନୋରମା ମହାନ୍ତି, ଜିଲ୍ଲା ପରିଷଦ ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ, ଚିତ୍ତରଞ୍ଜନ ମଣ୍ଡଳ, ମଦନପୁର ରାମପୁର ରାଜପରିବାରର ସଂଗୀତା ସିଂହଦେଓଙ୍କ ନାମ ଚର୍ଚ୍ଚାକୁ ଆସିଛି। ସେହିପରି, ମନୋରମା ମହାନ୍ତି, ସଂଗୀତା ସିଂହଦେଓ ଓ କଶ୍ରୁପଡ଼ାର ମିସନ ଶକ୍ତି ଫେଡେରେସନର ଜିଲ୍ଲା ସଭାପତି ବିଜୟଲକ୍ଷ୍ମୀ ପାଢ଼ୀଙ୍କ ନାମ ମଧ୍ୟ ଆଶାୟୀ ତାଲିକାରେ ରହିଛି। ତେବେ, ଦୀର୍ଘଦିନ ଧରି ସଂଗଠନ କରିଥିବା ରାଜ୍ୟ ଛାତ୍ର ବିଜେଡିର କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର ଓ ଜିଲ୍ଲା ବିଜେଡି ଉପସଭାପତି ସାରଦା ପ୍ରସନ୍ନ ସ୍ବାଇଁଙ୍କୁ ଦଳ ଟିକେଟ ଦେଉ ନଥିବା ଯୋଗୁଁ ସେମାନଙ୍କ ସମର୍ଥକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏପରିକି ସାରଦାଙ୍କୁ ଟିକେଟ ଦିଆ ନଗଲେ ସେ ସ୍ବାଧୀନ ଭାବେ ଲଢ଼ିବେ ବୋଲି ସମର୍ଥକ ମହଲ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର