ହାଇକୋର୍ଟଙ୍କ ରାୟ: କେବଳ ଦୌରା ଜଜ୍ ବା ଅତିରିକ୍ତ ଦୌରା ଜଜ୍ ଏନ୍‌ଡିପିଏସ୍‌ ମାମଲା ବିଚାର କରି‌ବେ

କଟକ: ଏନଡିପିଏସ ଆଇନରେ ରୁଜୁ ମାମଲାର ‌ବିଚାର କେବଳ ଦୌରା ଜଜ୍ ବା ଅତିରିକ୍ତ ଦୌରା ଜଜ୍ କରି ପାରିବେ। ଏଭଳି ମାମଲାର ବିଚାର କରିବା ସହକାରୀ ଦୌରା ଜଜ୍ (ଆସିଷ୍ଟାଣ୍ଟ ସେସନ୍ସ ଜଜ୍) ଅଦାଲତଙ୍କ କ୍ଷମତା ପରିସରଭୁକ୍ତ ନୁହେଁ। ହାଇକୋର୍ଟ ଏଭଳି ରାୟ ଦେବା ସହିତ ଜଣେ ବ୍ୟକ୍ତିଙ୍କୁ ଏନଡିପିଏସ୍ ଆଇନର ଧାରା ୨୦(ବି(୧)ରେ ଦୋଷୀ ସାବ୍ୟସ୍ତ କରି ଜୟପୁର ସହକାରୀ ଦୌରା ଜଜ୍ ଅଦାଲତ ୧୯୯୧, ଏପ୍ରିଲ ୧୦ରେ ପ୍ରଦାନ କରିଥିବା ଦଣ୍ଡାଦେଶକୁ ଅସିଦ୍ଧ ଘୋଷଣା କରିଛନ୍ତି। ଏହି ମାମଲାରେ ବେଆଇନ ଗଞ୍ଜେଇ ଚାଲାଣ ଘଟଣା ୧୯୯୦ ନଭେମ୍ବର ୨୦ର ହୋଇଥିବା ବେଳେ ଟ୍ରାଏଲ ୧୯୯୧ ଏପ୍ରିଲ ୧୦ରେ ସଂପୂର୍ଣ୍ଣ ହୋଇଥିଲା। ଏହା ଭିତରେ ୩୩ ବର୍ଷ ୩ ମାସ ଅତିବାହିତ ହୋଇ ସାରଥିବା ବେଳେ ମାମଲାର ପୁ୍ନର୍ବାର ଟ୍ରାଏଲ ପାଇଁ ନିର୍ଦ୍ଦେଶ ଦେବା ଉଚିତ ହେବ ନାହିଁ ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି। ଏଥିସହିତ ଆବେଦନକାରୀଙ୍କୁ ଏହି ମାମଲାରୁ ହାଇକୋର୍ଟ ଦୋଷମୁକ୍ତ କରିଛନ୍ତି। ଜଷ୍ଟିସ ଦେବବ୍ରତ ଦାଶ ଓ ଜଷ୍ଟିସ ଭି.ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ବାଲିମିକି ରାଉତଙ୍କ ଆବେଦନର ଶୁଣାଣି କରି ଏହି ରାୟ ପ୍ରଦାନ କରିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ୧୯୯୧, ଏପ୍ରିଲ ୧୦ରେ ସହକାରୀ ଦୌରା ଜଜ୍ ଅଦାଲତ ମାମଲାର ରାୟ ପ୍ରକାଶ କରି ଆବେଦନକାରୀଙ୍କୁ ଏନଡିପିଏସ ଆଇନର ଧାରା ୨୦(ବି)(୧)ରେ ୨ ବର୍ଷ ସଶ୍ରମ ଜେଲ ଓ ୫ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ପ୍ରଦାନ କରିଥିଲେ। ଏହି ରାୟକୁ ବିରୋଧ କରି ୧୯୯୧ରେ ଆବେଦନକାରୀ ହାଇକୋର୍ଟରେ ଅପିଲ ଦାୟର କରିଥିଲେ।

ସମ୍ବନ୍ଧିତ ଖବର