ସଡ଼କ ଦୁର୍ଘଟଣାରେ ଆମେରିକାରେ ୩ ଭାରତୀୟ ମହିଳା ମୃତ, ଜଣେ ଗୁରୁତର

ନୂଆଦିଲ୍ଲୀ: ଆମେରିକାରେ ଏକ ଭୟଙ୍କର କାର ଦୁର୍ଘଟଣାରେ ଗୁଜରାଟର ତିନିଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ସମସ୍ତ ମହିଳା ଗୁଜରାଟର ଆନନ୍ଦ ଜିଲ୍ଲାର ବାସିନ୍ଦା ବୋଲି ଜଣାପଡ଼ିଛି। ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ମହିଳାମାନେ ହେଉଛନ୍ତି ରେଖାବେନ ପଟେଲ, ସାଙ୍ଗିତାବେନ ପଟେଲ ଏବଂ ମନୀଷାବେନ ପଟେଲ। ଏହି ଦୁର୍ଘଟଣାର ଏକମାତ୍ର ବଞ୍ଚିଥିବା ବ୍ୟକ୍ତି ଏବେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି। ସେ ଏବେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ତାଙ୍କ ଅବସ୍ଥା ସଂକଟାପନ୍ନ ଥିବା କୁହାଯାଉଛି।

ଗାଡ଼ିରୁ ଯାତ୍ରୀମାନଙ୍କୁ ଚିହ୍ନଟ କରିବା ପରେ ସେମାନଙ୍କ ପରିବାର ଲୋକଙ୍କୁ ସୂଚୀତ କରାଯାଇଥିଲା। ଯିଏକି ପରେ ଦକ୍ଷିଣ କାରୋଲିନାରେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଏ ସଂପର୍କରେ ଅବଗତ କରାଇଥିଲେ।
ଗ୍ରୀନଭିଲେ କଣ୍ଟ୍ରି କର୍ଣ୍ଣ‌ର୍ସ କାର୍ଯ୍ୟାଳୟର ରିପୋର୍ଟ ଅନୁଯାୟୀ, ଏହି ମହିଳାମାନେ ଏକ ଏସୟୁଭି ଗାଡ଼ିରେ ଦ୍ରୁତ ଗତିରେ ଯାଉଥିଲେ। ଯିବା ବାଟରେ ଗାଡ଼ିଟି ନିୟନ୍ତ୍ରଣ ହରାଇ ବୁଲିଯିବା ସହ ଏକ ଗଛରେ ପିଟି ହୋଇ ଯାଇଥିଲା। କେବଳ ସେତିକି ନୁହେଁ, ଗାଡ଼ିଟି ପିଟିହେବା ପରେ ୨୦ ଫୁଟ୍‌ ଉପରକୁ ଉଠି ଯାଇଥିଲା। ତେବେ ଏହି ଦୁର୍ଘଟଣାରେ ଅନ୍ୟ କେଉଁ ଯାନ ଜଡ଼ିତ ନଥିବା ସୂଚନା ରହିଛି।

କାରଟିକୁ ଏକ ଗଛରେ ଅଟକି ରହିଥିବା ଦେଖିବାକୁ ମିଳିଥିଲା। ଖଣ୍ଡ ଖଣ୍ଡ ହୋଇ ଯାଇଥିବା ଗାଡ଼ି ତାହାର ପ୍ରମାଣ‌ ଯେ ଏସ୍‌ୟୁଭି କାର୍‌ଟି କେତେ ବେଗରେ ଗତି କରୁଥିଲା। ଦୁର୍ଘଟଣା ଘଟିବା ପରେ ଆମେରିକାରୁ ଏକାଧିକ ଜରୁରୀକାଳୀନ ଟିମ୍‌ ଯାଇ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ସମ୍ବନ୍ଧିତ ଖବର