ସ୍ୟାଟ୍ ଉଚ୍ଛେଦ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ : କ୍ଷମତାକୁ ଆସିଲେ ନ୍ୟାୟିକ ସଂସ୍ଥା ସୁଦୃଢ଼ କରାଯିବ: ବିଶ୍ବଭୂଷଣ

ଭୁବନେଶ୍ବର : ଓଡି଼ଶାରେ ବିଜେପି କ୍ଷମତାକୁ ଆସିଲେ ନବୀନ ସରକାରଙ୍କ ଓଡ଼ିଶା ପ୍ରାଶାସନିକ ନ୍ୟାୟାଧିକରଣ (ସ୍ୟାଟ୍) ଉଚ୍ଛେଦ ନିଷ୍ପତ୍ତିକୁ ପ୍ରତ୍ୟାହାର କରି ଏହି ବିଚାର ବିଭାଗୀୟ ସଂସ୍ଥାକୁ ସୁଦୃଢ କରିବ। ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ବିଶ୍ବଭୂଷଣ ହରିଚନ୍ଦନ ଏପରି ଦାବି କରିଛନ୍ତି।

ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ବିଜେପି ନେତା ଶ୍ରୀ ହରିଚନ୍ଦନ କହିଥିଲେ, ହାଇକୋର୍ଟଗୁଡ଼ିକରେ ବହୁ ମକଦ୍ଦମା ବିଚାର ନହୋଇ ପଡ଼ି ରହୁଥିବା କାରଣରୁ କେନ୍ଦ୍ର ସରକାର ସରକାରୀ କର୍ମଚାରୀମାନଙ୍କୁ ନ୍ୟାୟ ଦେବା ପାଇଁ ଏକ ଆଇନ ବଳରେ କେନ୍ଦ୍ରୀୟ ପ୍ରାଶାସନିକ ଟ୍ରିବ୍ୟୁନାଲ ଓ ରାଜ୍ୟ କର୍ମଚାରୀଙ୍କ ପାଇଁ ରାଜ୍ୟ ପ୍ରାଶାସନିକ ଟ୍ରିବ୍ୟୁନାଲ ଗଠନ ହୋଇଥିଲା। ସେହି ଆଧାରରେ ୧୯୮୬ ମସିହା ଜୁଲାଇ ୧୪ ତାରିଖରେ ଓଡ଼ିଶା ପ୍ରାଶାସନିକ ଟ୍ରିବ୍ୟୁନାଲ ଗଠିତ ହେଲା। ସେବେଠୁ ରାଜ୍ୟର କର୍ମଚାରୀମାନେ ତ୍ବରିତ ନ୍ୟାୟ ପାଇବାରେ ସକ୍ଷମ ହେଲେ। କିନ୍ତୁ ରାଜ୍ୟ ସରକାର ବିଚାରହୀନ ଭାବରେ ରାଜ୍ୟ ସରକାରୀ କର୍ମଚାରୀଙ୍କ ସ୍ବାର୍ଥକୁ ଅବହେଳା କରି ୨୦୧୫ ମସିହା ସେପ୍ଟେମ୍ବର ମାସ ୯ ତାରିଖରେ ସ୍ୟାଟ୍ ଉଚ୍ଛେଦ ପାଇଁ କ୍ୟାବିନେଟରେ ନିଷ୍ପତ୍ତି ନେଲେ। ସରକାରଙ୍କ ଏଭଳି ନିଷ୍ପତ୍ତି ବିରୋଧରେ ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ ନେତୃତ୍ବରେ ସାରା ରାଜ୍ୟରେ ଆଇନଜୀବୀ ଆନ୍ଦୋଳନ କରିଥିଲେ। ସରକାର ଏହାର ପୁନର୍ବିଚାର କରିବାକୁ ଅନୁରୋଧ କରାଗଲା। ଅଥଚ ସରକାର ତାଙ୍କ ଜିଦରେ ଅଟଳ ରହିଲେ।

ଏବେ ସରକାର ତାଙ୍କ ଜିଦରେ ଅଟଳ ରହି ସ୍ୟାଟର ଅଧ୍ୟକ୍ଷ ଓ ଅନ୍ୟ ସଦସ୍ୟଙ୍କୁ ନିଯୁକ୍ତି ନଦେବା ଫଳରେ ୮ ଜଣ ସଦସ୍ୟ ଥିବା ଟ୍ରିବ୍ୟୁନାଲରେ ବର୍ତମାନ ଆଉ ମାତ୍ର ଜଣେ ସଦସ୍ୟ ଅଛନ୍ତି ଓ ଏହା ଅଚଳ ହୋଇପଡ଼ିଛି। ସ୍ୟାଟର ମୁଖ୍ୟ ବେଞ୍ଚ ଭୁବନେଶ୍ବର ସମେତ କଟକ, ସମ୍ବଲପୁର ଓ ବ୍ରହ୍ମପୁର ସର୍କିଟ ବେଞ୍ଚ ସବୁ ଏବେ ବନ୍ଦ ହୋଇଗଲାଣି। କେନ୍ଦ୍ର ପ୍ରାଶାସନିକ ଟ୍ରିବ୍ୟୁନାଲ ରାଜ୍ୟରେ ସୁରୁଖୁରରେ ଚାଲିଥିବାବେଳେ ରାଜ୍ୟ ପ୍ରାଶାସନିକ ଟ୍ରିବ୍ୟୁନାଲ କାହିଁକି ଉଚ୍ଛେଦ କରାଯାଇଛି ବୋଲି ଶ୍ରୀହରିଚନ୍ଦନ ପ୍ରଶ୍ନ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ସୁଦର୍ଶନ ନାୟକ ଏବଂ ରବି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ବିଜେପିର ଅଭିଯୋଗ ଉପରେ ସରକାର ପ୍ରତିକ୍ରିୟା ରଖିବେ ବୋଲି କହି ବିଜେଡି ପକ୍ଷରୁ ପ୍ରତିକ୍ରିୟା ଦିଆଯାଇନଥିଲା।

ସମ୍ବନ୍ଧିତ ଖବର