ପୁଲିସ୍‌କୁ ଅପବ୍ୟବହାର କରୁଛନ୍ତି ସରକାର: ବିଜେପି

ଭୁବନେଶ୍ବର : ରାଜ୍ୟ ସରକାର ପୁଲିସ୍‌କୁ ରାଜନୈତିକ ଭାବେ ବ୍ୟବହାର କରୁଛନ୍ତି। ଗଞ୍ଜାମ ଲକ୍ଷ୍ମୀଦତ୍ତ ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀ ପୁଲିସ୍‌ର ଅପବ୍ୟବହାର କରି ବିଜେପି ନେତାଙ୍କୁ ଟାର୍ଗେଟ କରୁଛନ୍ତି ‌େବାଲି ଦଳ ପକ୍ଷରୁ ଅଭିଯୋଗ ହୋଇଛି। ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଗଞ୍ଜାମ ଲକ୍ଷ୍ମୀଦତ୍ତ ହତ୍ୟା ମାମଲାରେ ଅନ୍ତରୀଣ ଚାର୍ଜସିଟ୍ ପୁଲିସ୍ ଦାଖଲ କରିସାରିଛି। ଏଥିରେ କୌଣସି ବିଜେପି ନେତାଙ୍କ ନାମ ନାହିଁ। ମାତ୍ର ରାଜନୈତିକ ଶତ୍ରୁତାକୁ ଆଇନ୍‌ର ଦ୍ବାହି ଦେଇ ମୁଖ୍ୟମନ୍ତ୍ରୀ ଆଇନ୍‌କୁ ନିଜ ଇଚ୍ଛା ଅନୁସାରେ ଚଳାଇବାର ଷଡ଼ଯନ୍ତ୍ରରେ ସାମିଲ ହୋଇଛନ୍ତି। ପୁରୀରେ ବିଜେପି ଯୁବ‌େମାର୍ଚ୍ଚା ତରଫରୁ ଜିଲ୍ଲାପାଳଙ୍କ ଅଫିସ୍ ସାମ୍ନାରେ ଗଣତାନ୍ତ୍ରିକ ପ୍ରତିବାଦରେ ସାମିଲ ଥିବା ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନାଁରେ ମଧ୍ୟ ଭାରତୀୟ ଦଣ୍ଡବିଧି ଆଇନର ସଙ୍ଗୀନ ଦଫାରେ ମାମଲା ରୁଜୁ କରିବା ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ହତାଶାର ସ୍ପଷ୍ଟ ପ୍ରମାଣ ଦେଉଛି। ଗୋଟିଏ ପଟେ ବିଜେପି ପ୍ରତି ପ୍ରତିକ୍ରିୟାଶୀଳ ହୋଇ ମୁଖ୍ୟମନ୍ତ୍ରୀ ପୁଲିସ୍‌ ବଳର ଅପବ୍ୟବହାର କରୁଥିଲା ବେଳେ ସାରା ରାଜ୍ୟରେ ଆଇନ୍‌କୁ ହାତକୁ ନେଉଥିବା ଓ ସଙ୍ଗୀନ ଅପରାଧରେ ସଂପୃକ୍ତ ଥିବା ଦଳୀୟ ନେତା ଓ କର୍ମୀଙ୍କୁ ସୁରକ୍ଷିତ ରଖିବା ପାଇଁ ଅପଚେଷ୍ଟା କରୁଛନ୍ତି। ଶ୍ରୀ ମହାନ୍ତି ଆହୁରି କହିଛନ୍ତି, ଓଡ଼ିଶାକୁ ଆସିଥିବା ଦୁଇ ଜଣ କେନ୍ଦ୍ର ମନ୍ତ୍ରୀ ସନ୍ତୋଷ ଗଙ୍ଗୱର ଓ ନିରଞ୍ଜନା ଜ୍ୟୋତି ଏବଂ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ଉପରେ ମରଣାନ୍ତକ ଆକ୍ରମଣ ମାମଲାରେ ବିଜେଡିର ସ୍ଥାନୀୟ ବିଧାୟକ, ନେତା ଓ କର୍ମୀଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଦେବା ପାଇଁ ଯାଜପୁର ବିଧାୟକଙ୍କ ଘନିଷ୍ଠ ସହଯୋଗୀ ନିସହାୟ ମହିଳାଙ୍କୁ ଯୌନ ନିର୍ଯାତନା ମାମଲାରେ ଅଭିଯୁକ୍ତମାନେ ଖୋଲାରେ ବୁଲୁଛନ୍ତି। ସମ୍ପୂର୍ଣ୍ଣ ଉପକୂଳ ଜିଲ୍ଲାରେ ଟିଟୋର ବାଲି ଓ ପଥର ମାଫିଆ କାମ ସହ ବିଜେଡି ନେତାଙ୍କର ପ୍ରମାଣ ଜଳଜଳ ଦେଖାଯାଉଥିଲା ବେଳେ ମୁଖ୍ୟମନ୍ତ୍ରୀ କାହିଁକି ଚୁପ୍ ବସିଛନ୍ତି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର