୨୦ କୋଟି ଟଙ୍କା ସମ୍ପତ୍ତିର ମାଲିକ ରାହୁଲ

ନୂଆଦିଲ୍ଲୀ: ଶୁକ୍ରବାର ରାଏବରେଲିରୁ ଲୋକସଭା ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ସତ୍ୟପାଠରେ ୪.୨ ଲକ୍ଷ ଟଙ୍କାର ସୁନା ସମେତ ୨୦ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଘୋଷଣା କରିଥିଲେ ମଧ୍ୟ ତାଙ୍କ ପାଖରେ କୌଣସି ଆବାସିକ ଘର କିମ୍ବା କାର୍ ନାହିଁ ବୋଲି କହିଛନ୍ତି। ରାହୁଲ ଗାନ୍ଧୀ ୯,୨୪,୫୯,୨୬୪ ଟଙ୍କାର ଅସ୍ଥାବର ସମ୍ପତ୍ତି ଘୋଷଣା କରିଛନ୍ତି, ଯେଉଁଥିରେ ୪,୩୩,୬୦,୫୧୯ ଟଙ୍କାର ସେୟାର, ୩,୮୧,୩୩,୫୭୨ ଟଙ୍କାର ମ୍ୟୁଚୁଆଲ ଫଣ୍ଡ୍, ୨୬,୨୫,୧୫୭ ଟଙ୍କାର ବ୍ୟାଙ୍କ ବାଲାନ୍ସ ଏବଂ ୧୫,୨୧,୭୪୦ ଟଙ୍କାର ସୁନା ବଣ୍ଡ୍ ରହିଛି। କଂଗ୍ରେସର ପୂର୍ବତନ ସଭାପତି ସ୍ଥାବର ସମ୍ପତ୍ତି ଘୋଷଣା କରିଛନ୍ତି ଯାହାର ବଜାର ମୂଲ୍ୟ ୧୧,୧୫,୦୨,୫୯୮ ଟଙ୍କା ରହିଛି। ସେଥିମଧ୍ୟରୁ ୯,୦୪,୮୯,୦୦୦ ଟଙ୍କାର ସ୍ୱ-ଅର୍ଜିତ ସମ୍ପତ୍ତି ଏବଂ ୨,୧୦,୧୩,୫୯୮ ଟଙ୍କାର ଉତ୍ତରାଧିକାରୀ ସ୍ବତ୍ବ ରହିଛି। ତେବେ ଗାନ୍ଧୀଙ୍କର କୌଣସି ଆବାସିକ ଆପାର୍ଟମେଣ୍ଟ ନାହିଁ। କଂଗ୍ରେସ ନେତାଙ୍କ ହାତରେ ନଗଦ ୫୫ ହଜାର ଟଙ୍କା ଥିବା ବେଳେ ତାଙ୍କ ପାଖରେ ୩୩୩.୩ ଗ୍ରାମ୍‌ର ସୁନା ଓ ଅଳଙ୍କାର (କେବଳ ସୁନା ୧୬୮.୮ ଗ୍ରାମ୍‌) ରହିଛି ଯାହାର ମୂଲ୍ୟ ୪,୨୦,୮୫୦ ଟଙ୍କା। ୱାୟନାଡ ସାଂସଦ ଦାବି କରିଛନ୍ତି ଯେ ତାଙ୍କର କୌଣସି କାର୍ କିମ୍ବା ଅନ୍ୟ ଯାନ ନାହିଁ, କିନ୍ତୁ ତାଙ୍କ ଉପରେ ୪୯,୭୯,୧୮୪ ଟଙ୍କାର ଋଣବୋଝ ରହିଛି।

ସ୍ଥାବର ସମ୍ପତ୍ତି ମଧ୍ୟରେ ନୂଆଦିଲ୍ଲୀର ମେହରୌଲିର ସୁଲତାନପୁର ଗ୍ରାମର ପ୍ରାୟ ୩.୭୭୮ ଏକର ଚାଷଜମି, ଯାହା ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସହ ମିଳିତ ଭାବେ ରହିଛି ଏବଂ ଗୁରୁଗ୍ରାମର ସିଗ୍ନେଚର ଟାୱାରରେ ୫,୮୩୮ ବର୍ଗଫୁଟର ବାଣିଜ୍ୟିକ ଆପାର୍ଟମେଣ୍ଟ (କାର୍ଯ୍ୟାଳୟ ସ୍ଥାନ) ଅନ୍ତର୍ଭୁକ୍ତ। ଏହି ଦୁଇଟି ବାଣିଜ୍ୟିକ ଆପାର୍ଟମେଣ୍ଟର ବଜାର ମୂଲ୍ୟ ପ୍ରାୟ ୯.୦୫ କୋଟି ଟଙ୍କା ରହିଛି। ସେ ଘୋଷଣା କରିଛନ୍ତି ଯେ ତାଙ୍କ ଆୟର ଉତ୍ସ ହେଉଛି ସାଂସଦ ଦରମା, ରୟାଲଟି, ଭଡ଼ା, ବଣ୍ଡ୍‌ରୁ ମିଳୁଥିବା ସୁଧ, ଲାଭାଂଶ ଏବଂ ମ୍ୟୁଚୁଆଲ ଫଣ୍ଡ୍‌ର ପୁଞ୍ଜି ଲାଭ। ୨୦୨୨-୨୩ରେ ତାଙ୍କର ମୋଟ୍ ଆୟ ୧,୦୨,୭୮,୬୮୦ ଟଙ୍କା ଥିବା ବେଳେ ୨୦୨୧-୨୨ରେ ଏହା ୧,୩୧,୦୪,୯୭୦ ଟଙ୍କା ଥିଲା। ନାମାଙ୍କନପତ୍ର ଅନୁଯାୟୀ, ରାହୁଲ ଗାନ୍ଧୀ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟର ଟ୍ରିନିଟି କଲେଜରୁ ଏମ୍‌ଫିଲ୍‌ ଡିଗ୍ରି ହାସଲ କରିଛନ୍ତି। ସେ ଫ୍ଲୋରିଡାର ରୋଲିନ୍ସ କଲେଜରୁ ସ୍ନାତକୋତ୍ତର ଡିଗ୍ରି ମଧ୍ୟ ହାସଲ କରିଛନ୍ତି। କଂଗ୍ରେସ ନେତା ତାଙ୍କ ବିରୋଧରେ ଦେଶର ବିଭିନ୍ନ ରାଜ୍ୟରେ ୧୮ଟି ମାମଲା ରୁଜୁ ହୋଇଥିବା ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର