ହସ ଗୋଟେ ଓଠ ତଳ ଗାଁର ନାଁ

ହସ…! ଏହା ଖୁସିର ଫୁଆରା ଫୁଟାଏ ପୁଣି ଉଦାସ ମନକୁ ଆନନ୍ଦରେ ପ୍ଲାବିତ କରେ। ଏହା କେବେ ଅଭିବାଦନର ମୁଦ୍ରା ତ ପୁଣି କେବେ ସମ୍ମତିର ସୂଚନା। ହସ କଥା ଭାବି ବସିଲେ, ସ୍ବତଃ ମନକୁ ଆସେ ଶ୍ରୀକୃଷ୍ଣଙ୍କ ସମ୍ମୋହକ ହସ। ପୁଣି କଂସର କ୍ରୂରହସ ବି ମନକୁ ଭୟରେ ଜଡ଼ସଡ଼ କରେ। ଶିଶୁର ନିଷ୍ପାପ ହସରେ ମନ ଉତ୍‌ଫୁଲିତ ହୁଏ, ଅନୂଢ଼ା ଯୁବତୀର ଲାଜମିଶା ହସ ଯୁବପ୍ରାଣକୁ ରସସିକ୍ତ କରେ। ତେବେ ଆଦ୍ୟ ଯୌବନରେ ପାଦ ରଖିଥିବା ଲଳନାର ମିଠାହସର ମାଦକତା ଆମକୁ ମୋନାଲିସାର ରହସ୍ୟମୟ ହସ ଆଡ଼କୁ ଟାଣିନିଏ। ଏଥର ‘ବିଶ୍ବ ହସ ଦିବସ’ ଅବସ‌ରରେ ହସ, ହସ ପଛର ବିଜ୍ଞାନ ଓ ଏହାର ଉପକାରିତା ସମ୍ପର୍କରେ କିଞ୍ଚିତ୍…

ଡିମ୍ପଲ୍‌ ପଡୁଥିବା ହସ ସବୁଠୁ ସୁନ୍ଦର!
‘ହସ’ ମାନେ ହିଁ ସୁନ୍ଦର। କିନ୍ତୁ ଡିମ୍ପଲ୍ ପଡୁଥିବା ଗାଲର ହସ, ସୌନ୍ଦର୍ଯ୍ୟକୁ କାହିଁ କେତେ ଗୁଣ ବଢ଼ାଇଦିଏ। ‘ଡିମ୍ପଲ୍‌’ ମାନେ ଗାଲ‌ରେ ଖେଳୁଥିବା ଭଉଁରୀ। ବଲିଉଡ୍‌ର କିଙ୍ଗ୍‌ ଖାନ୍ ଶାହରୁଖ, ଡିମ୍ପଲ୍‌ ଗର୍ଲ ଭାବେ ସୁପରିଚିତା ପ୍ରୀତି ଜିଣ୍ଟା, ଦୀପିକା ପାଦୁକୋଣ, ଆଲିଆ ଭଟ୍ଟ, ଦିଗଗଜ୍‌ ଅଭିନେତ୍ରୀ ଶର୍ମିଳା ଟାଗୋର୍‌ ଓ ବ୍ଲାକ୍‌ ବିୟୁଟି ବିପାଶା ବସୁ ନିଜ ଗାଲରେ ପଡୁଥିବା ଏହି ସୁନ୍ଦର ଭଉଁରୀ ପାଇଁ ହିଁ ଅଧିକ ଲୋକପ୍ରିୟ। ଏଣୁ ଏମାନଙ୍କ ସ୍ମିତ ହସରେ ସାରା ଦେଶ ପାଗଳ। ‌ଚେହେରାର ତ୍ବଚା ତଳେ ଥିବା ମାଂସପେଶୀ, ଚର୍ବି ଓ କୋମଳ ମାଂସତନ୍ତୁ ଭିତରକୁ ଟାଣି ହେବା ଫଳରେ ଦୁଇ ଗାଲରେ ଛୋଟ ଛୋଟ ଭଉଁରୀ ସୃଷ୍ଟି ହୋଇଥାଏ। ଏହାକୁ ଡିମ୍ପଲ୍‌ କୁହାଯାଏ। ହସିବା ସମୟରେ ଚେହେରାକୁ ଏକ ସୁନ୍ଦର ଢାଞ୍ଚା ପ୍ରଦାନ କରେ। ଫଳରେ ଡିମ୍ପଲ୍‌ ପଡୁଥିବା ହସ ଖୁବ୍ ଆକର୍ଷକ ହୋଇଥାଏ। ସାଧାରଣତଃ ‘ଡିମ୍ପଲ୍‌’ ବଂଶଗତ ହୋଇଥାଏ। କିଛି କିଛି କ୍ଷେତ୍ରରେ ଚେହେରା ମାଂସପେଶୀର ଗଠନ ବି ଡିମ୍ପଲ୍‌ର କାରଣ ହୁଏ।

‘ହସ’ ଏକ ‘ଯୋଗ’
ସକାଳୁ ପ୍ରାୟ ସମସ୍ତ ପାର୍କ ବା କ୍ଲବ୍‌ରୁ ବୃଦ୍ଧଙ୍କର ଠୋ ଠୋ ହସ ଶବ୍ଦ ଭାସିଆସେ। ଏହାକୁ ଶୁଣି ବାଟୋଇ ମଧ୍ୟ ନିଜ ହସ ରୋକିପାରେନି। ଏହି ଖୋଲାଖୋଲି ଓ ସରଳ ଭାବେ ହସିବାକୁ ‘ହସ ଯୋଗ’ କୁହାଯାଏ। ଯଦି ନିୟମିତ ଭାବରେ ‘ହସ ଯୋଗ’ କରିବା କାହା ପକ୍ଷେ ସମ୍ଭବ ନୁହେଁ, ତେବେ ଦିନରେ ଅତିକମ୍‌ରେ ଜଣେ ଜୋର୍‌ରେ ହସିପାରିବ। ‘ହସ’ ଅନେକ ରୋଗରୁ ମୁକ୍ତି ଦେଇଥାଏ। ଅଧିକ ହସୁଥିବା ଲୋକର କ୍ୟାଲୋରି ଅଧିକ ଖର୍ଚ୍ଚ ହୋଇଥାଏ। ଫଳରେ ଶରୀର ହାଲୁକା ଲାଗେ। ରକ୍ତଚାପ ନିୟନ୍ତ୍ରଣ, ଶରୀରରେ ଅମ୍ଳଜାନ ବିତରଣ ବୃଦ୍ଧି କରେ , ଏକାଗ୍ରତା ବୃଦ୍ଧି ସହ ମାନସିକ ବିକୃତିକୁ ଦୂର କରିଥାଏ। ହସ ସାମାଜିକ ସମ୍ପର୍କ ସ୍ଥାପନରେ ସାହାଯ୍ୟ କରେ।

ମେ’ ପ୍ରଥମ ରବିବାର ‘ବିଶ୍ୱ ହସ ଦିବସ’
ହସିବା ସ୍ବାସ୍ଥ୍ୟର ସର୍ବୋତ୍ତମ ମହୌଷଧୀ। ମନ ଓ ଶରୀରକୁ ସୁସ୍ଥ ରଖିବାରେ ହସ ଏକ ବଡ଼ ମାଧ୍ୟମ। ହସ ଯୋଗୁ ଶରୀର ଉପରେ ଅନୁଭୂତ ହେଉଥିବା ସକାରାତ୍ମକ ପ୍ରଭାବ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ମେ’ ମାସର ପ୍ରଥମ ରବିବାରକୁ ‘ବିଶ୍ୱ ହସ ଦିବସ’ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହା ମେ’ ୫ ତାରିଖରେ ପାଳନ ହେଉଛି। ୧୯୯୮ ମେ’ ୧୦ରେ ମୁମ୍ବାଇଠାରେ ପ୍ରଥମ ବିଶ୍ୱ ହସ ଦିବସ ପାଳନ କରାଯାଇଥିଲା। ଏହାର ଆୟୋଜନ ଡାକ୍ତର ମଦନ କଟାରିଆ କରିଥିଲେ, ଯିଏକି ସାରା ବିଶ୍ବରେ ହସ ଯୋଗ ଅଭିଯାନର ସୂତ୍ରଧର ଥିଲେ। ଏହା ପରଠାରୁ ପ୍ରତିବର୍ଷ ଏହା ପାଳିତ ହୋଇ ଆସୁଛି। ଏବେ ୭୦ରୁ ଅଧିକ ଦେଶ ଏହି ଦିବସ ପାଳନ କରୁଛନ୍ତି।

‘ହସ’ ସୃଷ୍ଟି ପଛରେ ବି ହର୍‌ମୋନ୍‌
‘ହସ’ ସାଧାରଣତଃ ଆମେ ଖୁସି ହେଲେ ଫୁଟି ଉଠିଥାଏ। ଆମ ଶରୀରରେ ସାଧାରଣତଃ ୪ ପ୍ରକାରର ଖୁସି ଉତ୍ପନ୍ନକାରୀ ହର୍‌ମୋନ୍‌ ଯଥା, ଡୋପାମାଇନ୍‌, ସେରୋଟୋନିନ୍‌, ଏଣ୍ଡୋ‌ର୍ଫିନ୍‌ସ୍‌ ଓ ଅକ୍ସିଟୋସିନ୍‌ ଆଦି କ୍ଷରିତ ହୋଇଥାଏ। କୌଣସି ଏକ ପରିସ୍ଥିତିକୁ ଅନୁଭବ କରି ଏହାର ପ୍ରତିକ୍ରିୟା ପ୍ରକାଶ କରିବା ଭିତରେ ଆମ ଶରୀରର ନ୍ୟୁରୋଟ୍ରାନ୍ସମିଟର୍‌ ଓ ଏହି ୪ଟି ହର୍‌ମୋନ୍‌ ଆମ ମସ୍ତିଷ୍କକୁ କିଛି ସଙ୍କେତ ପଠାଇଥା’ନ୍ତି। ଖୁସି ହର୍‌ମୋନ୍‌ରୁ ମସ୍ତିଷ୍କ ଖୁସିର ସଙ୍କେତ ପାଇ, ମୁହଁ ଓ ଓଠକୁ ଏହାର ପ୍ରତିକ୍ରିୟା ପାଇଁ ନିର୍ଦ୍ଦେଶ ଦେଇଥାଏ। ଫଳରେ ହସ ସୃଷ୍ଟି ହୋଇଥାଏ।

ମୋନାଲିସାର ରହସ୍ୟମୟ ହସ
‘ମୋନାଲିସା’ ବିଶ୍ବର ଦାମୀ ଓ ସ୍ବତନ୍ତ୍ର ଚିତ୍ରକଳାମାନଙ୍କ ମଧ୍ୟରେ ଅନ୍ୟତମ। ଆଜିର ଦିନରେ ଏହାର ଦାମ୍ ପାଖାପାଖି ୧ ବିଲିୟନ୍ ଡଲାର ହେବ। ଏହି ପେଣ୍ଟିଂ ସ୍ବତନ୍ତ୍ର ହେବାର ବିଭିନ୍ନ କାରଣ ଭିତରେ ରହିଛି ମୋନାଲିସାର ‘ହସ’। ମୋନାଲିସାର ହସକୁ ନିରିଖେଇ ଦେଖିଲେ, ମୋନାଲିସାର ମୁହଁ ଅଧିକରୁ ଅଧିକ ଗମ୍ଭୀର ଲାଗିଥାଏ। ଅଧରରେ ହସ ନ ଥିଲା ଭଳି ପ୍ରତୀତ ହୁଏ। କିନ୍ତୁ ମୋନାଲିସାର ଆଖିକୁ ଧ୍ୟାନ ଦେଇ ଦେଖିଲେ, ଏହା ଅଧିକ ହସୁଥିବାର ଦେଖିବାକୁ ମିଳେ। ପୋପ୍‌ଲାର୍ କାଠରେ ଅଙ୍କିତ ଏହି ଚିତ୍ରକଳାରେ ଚିତ୍ରକର ଲିଓନାର୍ଡୋ ଦା ଭିନ୍‌ସି ‘ଫ୍ୟୁମାଟୋ (ସମ୍ମିଶ୍ରଣ କଳା) ପେଣ୍ଟିଂ ଶୈଳୀ’ର ବ୍ୟବହାର କରିଥିଲେ। ଏହି ପେଣ୍ଟିଂର ପ୍ରଚ୍ଛଦରେ ଇଟାଲୀର ଆର୍ନୋ ଭ୍ୟାଲି ସ୍ଥାନିତ ହୋଇଥିବା ବେଳେ ସେହି ପ୍ରଚ୍ଛଦ ଓ ମୋନାଲିସା ମଧ୍ୟରେ କୌଣସି ଆଉଟ୍‌ଲାଇନ ଦେଖାଯାଏ ନାହିଁ। ଗୋଟିଏ ଚିତ୍ର ଓ ଅନ୍ୟ ଚିତ୍ର ମଧ୍ୟରେ ଥିବା ଆଉଟ୍‌ଲାଇନ୍‌କୁ ମିଶାଇଦେବା ହେଉଛି ଫ୍ୟୁମାଟୋ ପେଣ୍ଟିଂ ଶୈଳୀ’ର ସ୍ବାତନ୍ତ୍ରୢ। ଏହି ପେଣ୍ଟିଂ ଶୈଳୀ ହିଁ ମୋନାଲିସାର ହସ ପଛର ରହସ୍ୟ।
ମୋନାଲିସାର ହସର ଚିତ୍ର ଆଙ୍କିବାକୁ ଲିଓନାର୍ଡୋଙ୍କୁ ସବୁଠାରୁ ଅଧିକ ସମୟ ଲାଗିଯାଇଥିଲା। କୁହାଯାଏ, ମଣିଷର ହସ ପଛର ରହସ୍ୟ ଜାଣିବାକୁ ଓ ମୋନାଲିସାର ହସ ଆଙ୍କିବାକୁ ଲିଓନାର୍ଡୋ ଫ୍ଲୋରେନ୍ସର ଏକ ହସ୍‌ପିଟାଲ୍‌ରେ ରାତି ରାତି ଅନିଦ୍ରା ହୋଇ ମୃତ ଶରୀରଗୁଡ଼ିକରେ ଗବେଷଣା କରୁଥିଲେ। ମୃତ ଶରୀରଗୁଡ଼ିକର ଉପର ଚମଡ଼ା ବାହାର କରି ମୁହଁରେ ଥିବା ମାଂସପେଶୀ ଓ ସ୍ନାୟୁ ଉପରେ ଅଧିକ ଅଧ୍ୟୟନ କରି ମଣିଷର ଚେହେରାରେ ହସ କିଭଳି ଉତ୍ପନ୍ନ ହୁଏ, ତାହା ଉପରେ ଅଧିକ ଜାଣିବାକୁ ଚେଷ୍ଟା କରିଥିଲେ। ଏଥିସହ ଆଖିରେ ହସର ଗଭୀରତାକୁ ଅନୁଭବ କରାଇବାକୁ ଦୃଷ୍ଟି ବିଜ୍ଞାନର ବ୍ୟବହାର କରିଥିଲେ। ଆଲୋକ ରଶ୍ମି ଆମ ଆଖିରେ ଏକ ବିନ୍ଦୁରେ ଯାଇ ନ ମିଶି ପୂରା ରେଟିନା ଉପ‌ରେ ପଡ଼ିଥାଏ। ରେଟିନାର ମଧ୍ୟଭାଗରେ ଥିବା ଫୋଭିଆ ହିଁ ଆମକୁ ସମସ୍ତ ଜିନିଷର ଗଭୀରତାକୁ ଦେଖିବାରେ ସହାୟ ହୋଇଥାଏ। ଏହାସହ ରେଟିନାର ଅବଶିଷ୍ଟ ଅଂଶ ଆମକୁ କଳା-ଧଳା ଓ ଛାୟା ଦେଖିବାରେ ସାହାଯ୍ୟ କରେ। ଏହି ବିଜ୍ଞାନର ବ୍ୟବହାର କରି ହିଁ ଲିଓନାର୍ଡୋ, ପେଣ୍ଟିଂର ଛାୟା ଉପରେ ଅଧିକ ଧ୍ୟାନ ନେଇ ଚିତ୍ର ଆଙ୍କିଥିଲେ। ଏଣୁ ଯେକୌଣସି କୋଣରୁ ମୋନାଲିସାକୁ ଚାହିଁଲେ ବି ମୋନାଲିସାର ହସ ସମସ୍ତଙ୍କୁ ନଜର ଆସିଥାଏ।

ସମ୍ବନ୍ଧିତ ଖବର