ବିଜେପିରେ ସାମିଲ ହେଲେ ଲଭ୍‌ଲି

ନୂଆଦିଲ୍ଲୀ ଲୋକସଭା ନିର୍ବାଚନରେ ଆପ୍ ସହ ମେଣ୍ଟକୁ ବିରୋଧ କରି ଦିଲ୍ଲୀ କଂଗ୍ରେସ ସଭାପତି ପଦରୁ ନିକଟରେ ଇସ୍ତଫା ଦେଇଥିବା ଅରବିନ୍ଦର ସିଂହ ଲଭ୍‌ଲି ଶନିବାର ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ, ଦିଲ୍ଲୀ ବିଜେପି ମୁଖ୍ୟ ବୀରେନ୍ଦ୍ର ସଚଦେବ ଏବଂ ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବିନୋଦ ତାଵଡେଙ୍କ ଉପସ୍ଥିତିରେ ଲଭ୍‌ଲି ଦଳରେ ଯୋଗ ଦେଇଛନ୍ତି।

ଲଭ୍‌ଲିଙ୍କ ସହ କଂଗ୍ରେସର ପୂର୍ବତନ ବିଧାୟକ ରାଜ କୁମାର ଚୌହାନ, ନସିବ ସିଂହ, ନୀରଜ ବସୋୟା ଏବଂ ଯୁବ କଂଗ୍ରେସର ପୂର୍ବତନ ସଭାପତି ଅମିତ ମଲ୍ଲିକ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି।ଏହା ପୂର୍ବରୁ ୨୦୧୭ରେ ମଧ୍ୟ ଲଭ୍‌ଲି କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ। ତେବେ ୨୦୧୮ରେ ସେ ପୁଣି କଂଗ୍ରେସକୁ ଫେରିଥିଲେ। ଆଜି ବିଜେପିରେ ସାମିଲ ହେବା ପରେ ଦିଲ୍ଲୀର ସମସ୍ତ ୭ଟି ଲୋକସଭା ଆସନରେ ଦଳ ବିଜୟୀ ହେବ ବୋଲି ଲଭ୍‌ଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ବିଜେପି ବ୍ୟାନରରେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦିଲ୍ଲୀବାସୀଙ୍କ ପାଇଁ ଲଢ଼ିବାକୁ ଆମକୁ ସୁଯୋଗ ଦିଆଯାଇଛି। ବିପୁଳ ସଂଖ୍ୟାଗରିଷ୍ଠତା ସହିତ ବିଜେପି ପୁଣି କେନ୍ଦ୍ରରେ ସରକାର ଗଠନ କରିବାକୁ ଯାଉଛି ବୋଲି ‌ସେ କହିଛନ୍ତି।

ସମ୍ବନ୍ଧିତ ଖବର