ଅଡୁଆରେ ବ୍ରିଟେନ ପ୍ରଧାନମନ୍ତ୍ରୀ ସୁନକ: ସ୍ଥାନୀୟ ନିର୍ବାଚନରେ ଦଳର ବିପର୍ଯ୍ୟୟ

ଲଣ୍ଡନ: ଶୁକ୍ରବାର ସ୍ଥାନୀୟ ନିର୍ବାଚନ ଫଳାଫଳରେ ବ୍ରିଟେନର ଶାସକ କଞ୍ଜର୍ଭେଟିଭ୍ ପାର୍ଟିର ପ୍ରଦର୍ଶନ ନୈରାଶ୍ୟଜନକ ହୋଇଛି, ଯାହା ଆଗାମୀ ମାସରେ ହେବାକୁ ଥିବା ବ୍ରିଟେନ୍ ସାଧାରଣ ନିର୍ବାଚନରେ ୧୪ ବର୍ଷ ପରେ ଲେବର ପାର୍ଟି କ୍ଷମତାକୁ ଫେରିବ ବୋଲି ଆଶାକୁ ଆହୁରି ଦୃଢ଼ କରିଛି। ଯଦି ସାଧାରଣ ନିର୍ବାଚନରେ ଏହି ଫଳାଫଳର ପୁନରାବୃତ୍ତି ହୁଏ, ତେବେ ଏହା କଞ୍ଜରଭେଟିଭ୍ ଦଳର ସବୁଠାରୁ ବଡ଼ ପରାଜୟର କାରଣ ହେବ। ଯଦିଚ ମୋଟାମୋଟି ଭାବେ କମ୍ ମତଦାନରେ ଫଳାଫଳ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ପାଇଁ କଷ୍ଟଦାୟକ ଥିଲା, ତଥାପି ଇଂଲଣ୍ଡର ଉତ୍ତର-ପୂର୍ବରେ ଥିବା ଟିସ୍ ଭ୍ୟାଲିର କଞ୍ଜରଭେଟିଭ୍ ମେୟର ପୁନର୍ବାର ନିର୍ବାଚିତ ହେବା ପରେ ସେ ଆଶ୍ୱସ୍ତିର ନିଶ୍ୱାସ ନେଇଥିଲେ। ଲେବର ନେତା କିର୍‌ ଷ୍ଟାରମର୍‌ଙ୍କ ପାଇଁ ଏହା ଏକ ଚମତ୍କାର ଫଳାଫଳ ଥିଲା, ଯଦିଓ ଉତ୍ତର-ପଶ୍ଚିମ ଇଂଲଣ୍ଡର ବ୍ଲାକବର୍ନ ଓ ଓଲ୍ଡହାମ୍ ଭଳି ଅଧିକ ମୁସଲମାନ ଜନସଂଖ୍ୟା ଥିବା କେତେକ ଅଞ୍ଚଳରେ ଗାଜାଯୁଦ୍ଧରେ ଇସ୍ରାଏଲ ପ୍ରତି ନେତୃତ୍ବର ସମର୍ଥନ ଯୋଗୁଁ ଦଳର ପ୍ରାର୍ଥୀମାନେ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି।

ଦୁର୍ନୀତି ଯୋଗୁ ଜଣେ କଞ୍ଜରଭେଟିଭ୍ ସାଂସଦଙ୍କ ଇସ୍ତଫା ପରେ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ଲେବର ଦଳର କ୍ରିସ୍ ୱେବ୍ ୧୦,୮୨୫ ଖଣ୍ଡ ଭୋଟ୍ ପାଇଥିବା ବେଳେ ଦ୍ବିତୀୟ ସ୍ଥାନରେ ଥିବା କଞ୍ଜରଭେଟିଭ୍ ପ୍ରତିଦ୍ୱନ୍ଦ୍ୱୀ ୩,୨୧୮ ଖଣ୍ଡ ଭୋଟ୍ ପାଇଥିଲେ। ଷ୍ଟାରମର୍ ୱେବ୍‌ଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ଉପକୂଳବର୍ତ୍ତୀ ସହର ବ୍ଲାକପୁଲ୍ ଯାଇଥିଲେ ଏବଂ ସୁନକଙ୍କୁ ସାଧାରଣ ନିର୍ବାଚନ ଘୋଷଣା କରିବାକୁ ଅନୁରୋଧ କରିଥିଲେ। ତାରିଖ ସ୍ଥିର କରିବାର କ୍ଷମତା ସୁନକଙ୍କ ପାଖରେ ଅଛି ଏବଂ ଏହା ୨୦୨୪ର ଦ୍ୱିତୀୟାର୍ଦ୍ଧରେ ହେବ ବୋଲି ସେ ସଙ୍କେତ ଦେଇଛନ୍ତି। ୟୁନିଭର୍ସିଟି ଅଫ୍ ଷ୍ଟ୍ରାଥକ୍ଲାଇଡ୍‌ର ରାଜନୀତି ପ୍ରଫେସର ଜନ୍ କର୍ଟିସ୍ କହିଛନ୍ତି ଯେ କଞ୍ଜରଭେଟିଭ୍‌ମାନେ ଯେତିକି ଆସନ ବଜାୟ ରଖିଛନ୍ତି, ସେଥିରୁ ପ୍ରାୟ ଅଧା ଆସନ ହରାଉଛନ୍ତି। ଶୁକ୍ରବାର ବିଳମ୍ବିତ ସନ୍ଧ୍ୟା ସୁଦ୍ଧା ୨୬୬୧ ଆସନରୁ ଅଧାରୁ ଅଧିକ ଆସନ ପାଇଁ ଗଣତି ସରିଥିବା ବେଳେ କଞ୍ଜରଭେଟିଭ୍ ଦଳ ପ୍ରାୟ ୪୧୦ରୁ ଅଧିକ ଆସନ ହରାଇଥିବା ବେଳେ ଲେବର ଦଳ ପ୍ରାୟ ୧୭୦ ଆସନ ଅଧିକ ପାଇଛି। ସେଣ୍ଟ୍ରିଷ୍ଟ ଲିବରାଲ ଡେମୋକ୍ରାଟ୍‌ସ ଓ ଗ୍ରୀନ୍ ପାର୍ଟି ଭଳି ଅନ୍ୟାନ୍ୟ ଦଳ ମଧ୍ୟ ଏଥିରେ ସଫଳତା ହାସଲ କରିଛନ୍ତି।

ସମ୍ବନ୍ଧିତ ଖବର