ପ୍ରମିଳାଙ୍କ ଅଡୁଆ ବଢ଼ୁଛି: ଜିଲ୍ଲାପାଳଙ୍କ କୈଫିୟତ ତଲବ

କଳାପତାକା ପ୍ରଦର୍ଶନ ଓ ବିକ୍ଷୋଭ, ବିଧାୟିକା ପ୍ରଚାର କରିନପାରି ‌ଫେରିଲେ

ଯାଜପୁର/ସଦର/ ବିଂଝାରପୁର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ବିଂଝାରପୁର ରାଜନୀତି ଚଳଚଞ୍ଚଳ ହେଉଥିବା ବେଳେ ବିଧାୟିକା ପ୍ରମିଳା ମଲିକଙ୍କ ଅଡୁଆ ବଢ଼ିବାରେ ଲାଗିଛି। ବିଧାୟିକା ପ୍ରମିଳା ମଲିକ ଚୟନ କରିଥିବା ପ୍ରାର୍ଥୀଙ୍କୁ ଦଳୀୟ କର୍ମୀ ଗ୍ରହଣ ନକରି ବିଦ୍ରୋହ ଆରମ୍ଭ କରିଛନ୍ତି। ଇତିମଧ୍ୟରେ ବିଂଝାରପୁର ଅଞ୍ଚଳର ୬ଜଣଙ୍କୁ ଦଳୀୟ ଶୃଙ୍ଖଳା ଭଙ୍ଗ ନାମରେ ନିଲମ୍ବିତ କରାଗଲାଣି। ଏଭଳି ସମୟରେ ବିଧାୟିକାଙ୍କ ଧମକପୂର୍ଣ୍ଣ ଭାଷଣ ବିବାଦୀୟ ହୋଇପଡ଼ିଛି। ଏହି କାରଣରୁ ଶୁକ୍ରବାର ଦିନ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋର ବିଂଝାରପୁରର ବିଡିଓ ତଥା ନିର୍ବାଚନ ଅଧିକାରୀଙ୍କ ଜରିଆରେ ବିଧାୟିକା ଶ୍ରୀମତୀ ମଲିକଙ୍କୁ କୈଫିୟତ ତଲବ କରିଛନ୍ତି। ଅପରପକ୍ଷରେ ଶୁକ୍ରବାର ଦିନ ପ୍ରଚାର ବେଳେ ବିଧାୟିକା ଶ୍ରୀମତୀ ମଲିକ ତୀବ୍ର ବିରୋଧର ସମ୍ମୁଖୀନ ହୋଇଛନ୍ତି। ପ୍ରୀତିପୁର ପଞ୍ଚାୟତରେ ଲୋକମାନେ କଳାପତାକା ପ୍ରଦର୍ଶନ ଓ ବିରୋଧ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।

ସୂଚନା ଅନୁସାରେ ବିଂଝାରପୁର ବିଧାୟିକା ତଥା ଶାସକ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲିକ ଗତ ବୁଧବାର  ଅଳକୁଣ୍ଡ ପଞ୍ଚାୟତରେ ଏକ ନିର୍ବାଚନୀସଭାରେ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ ନଦେଲେ ରାସନ,ରାସ୍ତା,ଆବାସ ଓ ଗୁହାଳ ଯୋଜନା ପାଇଁ ଗୁହାରି କରିବାକୁ ତାଙ୍କ ନିକଟକୁ ଆସିବେ ନାହିଁ ବୋଲି ରୋକ୍‌ଠୋକ୍‌ ଶୁଣାଇଥିଲେ। ଏ ସଂପର୍କିତ ଭିଡିଓ ଏବଂ ଖବର ଗଣମାଧ୍ୟମରେ ପ୍ରସାରିତ ହେବା ପରେ ବିରୋଧୀ ରାଜ୍ୟ ନିର୍ବାଚନ କମିସନରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ରାଜ୍ୟନିର୍ବାଚନ କମିସନର ଏହାର ତଦନ୍ତ କରିବାକୁ ଯାଜପୁର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ‌ ଏହାକୁ ଭିତ୍ତି କରି ଜିଲ୍ଲାପାଳ ବିଂଝାରପୁର ନିର୍ବାଚନ ଅଧିକାରୀ ତଥା ବିଡିଓଙ୍କ ଜରିଆରେ ବିଧାୟିକାକୁ ନୋଟିସ ନଂ ୫୯୩/୧୧.୨.୨୦୨୨ରେ କୈଫିୟତ ତଲବ କରିଛନ୍ତି। ବିଧାୟିକାଙ୍କ ଉତ୍ତର ମିଳିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ରାଠୋର କହିଛନ୍ତି।  ଅନ୍ୟପଟେ ପ୍ରମିଳା ମଲିକ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, କୌଣସି ନିର୍ବାଚନ ଆଚରଣବିଧି ଉଲ୍ଲଂଘନ କରିନାହିଁ। ମୋ ଦଳ ପାଇଁ ମୁଁ ପ୍ରଚ‌ାର କରିଛି। କାରଣ ଦର୍ଶାଅ ନୋଟିସ ପାଇନାହିଁ। ଏହା ମିଳିବା ପରେ ଉତ୍ତର ଦେବାକୁ ପ୍ରସ୍ତୁତ ଅଛି ବୋଲି ସେ କହିଛନ୍ତି।

ଅପରପକ୍ଷରେ ଶୁକ୍ରବାର ଦିନ ନିର୍ବାଚନ ପ୍ରଚାର ବେଳେ ବିଧାୟିକା ଶ୍ରୀମତୀ ମଲିକଙ୍କୁ ହଟହଟା ହେବାକୁ ପଡ଼ିଛି। ବିଂଝାରପୁର ବ୍ଲକ ପ୍ରୀତିପୁର ପଞ୍ଚାୟତ ମହାଦେବ ବଣିଆସାହିରେ ପ୍ରଚାର ବେଳେ ପ୍ରମିଳାଙ୍କୁ କଳାପତାକା ପ୍ରଦର୍ଶନ କରି ତାଙ୍କ ଗସ୍ତକୁ ବିରୋଧ କରାଯାଇଛି। ସ୍ଥାନୀୟ ଲୋକମାନେ ଶ୍ରୀମତୀ ମଲିକଙ୍କ ବିରୋଧରେ ସ୍ଲୋଗାନ ଦେଇଥିବାର ଲକ୍ଷ୍ୟ କରାଯାଇଥିଲା। ଫଳରେ ଶ୍ରୀମତୀ ମଲିକ ପ୍ରଚାର ନକରିପାରି ଫେରିଯାଇଥିଲେ। ବିଂଝାରପୁର ଅଞ୍ଚଳରେ ମନରେଗାରେ ବ୍ୟାପକ ଦୁର୍ନୀତି ହୋଇଥିବା ବେଳେ ଏ ନେଇ କେନ୍ଦ୍ରୀୟ ଟିମ୍‌ ତଦନ୍ତ କରିଛି। ସେହିପରି ସରକାରୀ ଯୋଜନାକୁ ଦଳୀୟ ଭିତ୍ତିରେ ଦିଆଯାଉଥିବା ଅଭିଯୋଗ କରି ଲୋକଙ୍କ ଅସନ୍ତୋଷ ଚରମସୀମାରେ ପହଞ୍ଚିଛି। ଯାହାକୁ ନେଇ ଶ୍ରୀମତୀ ମଲିକ ନିଜ ନିର୍ବାଚନମଣ୍ଡଳୀରେ ବିରୋଧର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। କେବଳ ଯେ ଲୋକେ ବିରୋଧ କରୁଛନ୍ତି ତାହା ନୁହେଁ; ନିଜ ଦଳର କର୍ମୀ ଏବଂ ସଂଗଠକ ମଧ୍ୟ ଖୋଲାଖୋଲି ବିରୋଧ କରିଛନ୍ତି। ଏହା ସହ ଦଳୀୟସ୍ତରରେ ବିଦ୍ରୋହ ଆରମ୍ଭ ହୋଇଯାଇଛି।

ବିଦ୍ରୋହ ଦମନ କରିବାକୁ ଯାଇ ବିଜେଡି ଜିଲ୍ଲା ସଭାପତି ସରୋଜ କୁମାର ମହାପାତ୍ରଙ୍କ ଜରିଆରେ ଶ୍ରୀମତୀ ମଲିକ ନିଲମ୍ବନକୁ ଅସ୍ତ୍ର କରିଛନ୍ତି। ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ ଗତକାଲି ଫତେପୁର ପଞ୍ଚାୟତର ଦୁଇ ବିଜେଡି କର୍ମୀ ତରଙ୍ଗ କୁମାର ସାହୁ ଓ ଶତ୍ରୁଜିତ ନାୟକଙ୍କୁ ନିଲମ୍ବିତ କରାଯାଇଥିଲା। ସେହିପରି ଗତମାସ ୩୦ ତାରିଖରେ କଲ୍ୟାଣପୁର ପଞ୍ଚାୟତର ୩ଜଣ ଆଗଧାଡ଼ିର କର୍ମୀଙ୍କୁ ଦଳରୁ ନିଲମ୍ଵନ କରାଯାଇଥିବା ବେଳେ ବିତନା ପଞ୍ଚାୟତର ସଭାପତି ରମେଶ ଚନ୍ଦ୍ର ମଲିକଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ଗତ ୬ ତାରିଖ ନିଲମ୍ଵନ କରାଯାଇଥିଲା। ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପ୍ରାର୍ଥୀ ଚୟନକୁ ନେଇ ବିଂଝାରପୁର ବିଜେଡିରେ ନେତା ଓ କର୍ମୀଙ୍କ ମଧ୍ୟରେ ଛକାପଞ୍ଝା ଲାଗିରହିଛି। ଦଳୀୟ ସମର୍ଥିତ ପ୍ରାର୍ଥୀଙ୍କୁ ବିରୋଧ କରି ନିଜନିଜର ସରପଞ୍ଚ ପ୍ରାର୍ଥୀ ଛିଡ଼ାକରି ଦଳୀୟ ନେତୃତ୍ବକୁ ଚ୍ୟାଲେଞ୍ଜ କରୁଛନ୍ତି। ତେଣୁ ଆଗକୁ ପ୍ରମିଳାଙ୍କ ରାସ୍ତା କଣ୍ଟକିତ ହେବ ବୋଲି ରାଜନୈତିକ ମହଲରେ ମତପ୍ରକାଶ ପାଉଛି।

ସମ୍ବନ୍ଧିତ ଖବର