ଉନ୍ନାଓ ହତ୍ୟା ଘଟଣା: ସପା ନେତାଙ୍କ ସଂପୃକ୍ତିକୁ ଅଖିଳେଶଙ୍କ ଖଣ୍ଡନ

ପୂର୍ବମନ୍ତ୍ରୀଙ୍କ ପୁଅ ସହ ଦଳର ସଂପର୍କ ନାହିଁ, ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ଦାବି କଲେ ପୀଡ଼ିତାଙ୍କ ମା’

ଲକ୍ଷ୍ନୌ : ଉନ୍ନାଓ ହତ୍ୟା ଘଟଣାକୁ ନେଇ ଏବେ ଉତ୍ତରପ୍ରଦେଶ ରାଜନୀତି ସରଗରମ ହୋଇଉଠିଛି। ହତ୍ୟା ଘଟଣାରେ ସପା ନେତାଙ୍କ ପୁଅଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି। କିନ୍ତୁ ଅଖିଳେଶ ଏହାକୁ ଖଣ୍ଡନ କରିଛନ୍ତି। ଅଖିଳେଶ କହିଛନ୍ତି, ତାଙ୍କ ଦଳ ଏବଂ ପୁର୍ବତନ ଉତ୍ତରପ୍ରଦେଶ ମନ୍ତ୍ରୀଙ୍କ ପୁଅ ରାଜୋଲ ସିଂହଙ୍କ ମଧ୍ୟରେ କୌଣସି ସମ୍ପୃକ୍ତ ନାହିଁ। ମନ୍ତ୍ରୀ ଫତେ ବାହାଦୁର ସିଂହଙ୍କ ୪ ବର୍ଷ ତଳେ ମୃତ୍ୟୁ ହୋଇସାରିଛି ଏବଂ ତାଙ୍କ ପୁଅଙ୍କର ଦଳ ସହ କୌଣସି ସମ୍ପୃକ୍ତି ନାହିଁ ବୋଲି ଅଖିଳେଶ କହିଛନ୍ତି। ଉତ୍ତରପ୍ରଦେଶ ସରକାର ଉକ୍ତ ଘଟଣାରେ ତଦନ୍ତ ଆରମ୍ଭ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଖିଳେଶ କହିଛନ୍ତି । ଯୋଗୀ ସରକାରଙ୍କ ଅଧୀନରେ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି କିଭଳି ଅଛି ତାହା ଏଥିରୁ ଜଣାପଡ଼ୁଛି ବୋଲି ସେ କହିଛନ୍ତି।

ଉନ୍ନାଓ ପୀଡ଼ିତାଙ୍କ ମା’ଙ୍କ ଅଭିଯୋଗ ଅନୁଯାୟୀ ଏହି ଅଂଚଳରେ ବ୍ୟାପକ ପତିଆରା ଥିବା ସପା ନେତାଙ୍କ ଚାପରେ ପୁଲିସ ସେମାନଙ୍କ ଅଭି‌ଯୋଗ ପ୍ରତି କର୍ଣ୍ଣପାତ କରିନଥିଲା। କିନ୍ତୁ ଉନ୍ନାଓ ଏଏସ୍‌ଏସ୍‌ପି ଶଶି ‌ଶେଖର ସିଂହ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଶଶି ଶେଖର କହିଛନ୍ତି, ଉକ୍ତ ଘଟଣାରେ ତଦନ୍ତ ଜାରି ରହିଛି ଏବଂ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ। ଅନ୍ୟପ‌କ୍ଷେ ପୀଡ଼ିତାଙ୍କ ମା’ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଝିଅଙ୍କୁ ଦୁଷ୍କର୍ମ କରାଯାଇଛି। ସେ ମାମଲାରେ ପୁଲିସ ତଦନ୍ତରେ ସନ୍ତୁଷ୍ଠ ନଥିବା କହିଛନ୍ତି। ପୀଡ଼ିତାଙ୍କ ମା’ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଉକ୍ତ ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର