ଗଣମାଧ୍ୟମର କଣ୍ଠରୋଧକୁ ନିନ୍ଦା: ଅରାଜକତା ବିରୋଧରେ ଆନ୍ଦୋଳନ ଚେତାବନୀ

ଯାଜପୁର/ବିଂଝାରପୁର: ସମ୍ବାଦ ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ସମ୍ପାଦକୀୟ ଲେଖାରେ ବିଚଳିତ ହୋଇପଡ଼ିଛନ୍ତି ରାଜ୍ୟ ସରକାରଙ୍କ କାର୍ପଟଦାରମାନେ। ଆକ୍ରୋଶମୂଳକ ଭାବେ ସମ୍ବାଦ ଭବନରେ ଇଓଡବ୍ଲୁ ଜରିଆରେ ଚଢ଼ଉ କରିବାକୁ ନେଇ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯିବା ସହ ଅନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି। ବିଭିନ୍ନ ସଙ୍ଗଠନ ଓ ସଚେତନ ନାଗରିକଙ୍କ ମଧ୍ୟରେ ରାଜ୍ୟ ସରକାରଙ୍କ ହିଟଲର ଶାସନ ବିରୋଧରେ ଜନମତ ସୃଷ୍ଟି ହେବାରେ ଲାଗିଛି। ଆଜି ଅପରାହ୍‌ଣରେ ବିଂଝାରପୁର ବ୍ଲକ୍ ସିଂହପୁରଠାରେ ବିଜେପି କର୍ମୀଙ୍କ ସମେତ ବହୁ ଯୁବ ସମାଜସେବୀ ଓ ବୁଦ୍ଧିଜୀବୀ ସାମିଲ ହୋଇ ଘଟଣାର ନିନ୍ଦା କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ‘ସମ୍ବାଦ’ର ସମ୍ପାଦକ ଶ୍ରୀ ପଟ୍ଟନାୟକ ସମ୍ପାଦକୀୟରେ ପଚାରିଥିବା ପ୍ରଶ୍ନର ଉତ୍ତର ନଦେଇ ସରକାର ପ୍ରତିଶୋଧ ପରାୟଣ ହୋଇ ଗଣମାଧ୍ୟମର କଣ୍ଠରୋଧ କରିବାକୁ ହୀନ ଉଦ୍ୟମରେ ମାତିଛନ୍ତି।

୫-ଟି ସଚିବ ଭି.କେ ପାଣ୍ଡିଆନଙ୍କ ନେତୃତ୍ବରେ ଅଣଓଡିଆଙ୍କ ରାଜ୍‌ ଚରମ ସୀମାରେ ପହଞ୍ଚିଛି। ମୁଖ୍ୟମନ୍ତ୍ରୀଙ୍କ ନିରବତା ପାଇଁ ରାଜ୍ୟରେ ଅରାଜକତା ସୃଷ୍ଟି ହୋଇଛି। ବ୍ୟବସ୍ଥାପିକା,ପ୍ରଶାସନିକ ବ୍ୟବସ୍ଥା, ଅନୁସନ୍ଧାନ ସଂସ୍ଥା ଓ ଚାଟୁକାର ଗଣମାଧ୍ୟମ ଉପରୁ ଲୋକମାନଙ୍କର ବିଶ୍ବାସ ତୁଟିବାକୁ ବସିଛି। ଏହାକୁ ତୁରନ୍ତ ବନ୍ଦ କରାଯାଉ। ନଚେତ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବ ବୋଲି ବିକ୍ଷୋଭକାରୀମାନେ ଚେତାବନୀ ଦେଇଛନ୍ତି। ଆଜିର ଏହି ବିକ୍ଷୋଭରେ ପୂର୍ବତନ ସରପଞ୍ଚ ତଥା ବିଜେପି ନେତା ଭୁବନାନନ୍ଦ ସାମଲ, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ସରପଞ୍ଚ ନିରଞ୍ଜନ ବେଉରିଆ, ସମାଜସେବୀ ସତ୍ୟନାରାୟଣ ବେହେରା, ନୃସିଂହ ମହାପାତ୍ର, ସମ୍ବିତ ସାମଲ, ବିଶ୍ୱଜିତ ସାମଲ, ପ୍ରଶାନ୍ତ ବେହେରା, ଅର୍ଜୁନ ଦାଶ, ସୁଧାକର ସାହୁ, ସୁନିଲ ମଲିକ, ବିଜୟ ମଲ୍ଲିକ, ରିତୁବ ଦାସ, ଭରତ ମଲିକ, ସଦାନନ୍ଦ ଦାସ, ଜଳଧର ମଲିକ, ଅଶୋକ ବେଉରିଆ, ଅମୀୟ ଥାଟୋଇ, ସରୋଜ ନାୟକଙ୍କ ସମେତ ବହୁ ରାଜନେତା, ବୁଦ୍ଧିଜୀବୀ, ଶିକ୍ଷିତ ଯୁବକ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର