ରାଜ୍ୟର ଆର୍ଥିକ ସ୍ଥିତି ନେଇ ସରକାରଙ୍କୁ କଂଗ୍ରେସର ୧୦ଟି ପ୍ରଶ୍ନ

ଜବାବ ଦେଲା ବିଜେଡି, ପଞ୍ଚାନନ ରାଜନୀତି ପାଇଁ ବିରୋଧ କରୁଛନ୍ତି

ଭୁବନେଶ୍ବର : ରାଜ୍ୟର ଆର୍ଥିକ ପରିସ୍ଥିତି ଏବେ ବିପର୍ଯ୍ୟସ୍ତ। ଦୀର୍ଘ ଦିନର ଅସଫଳତା ଓ ଅପାରଗତାକୁ ଘୋ଼ଡାଇବା ପାଇଁ କରୋନାକୁ ଆଳ କରିଛନ୍ତି ରାଜ୍ୟ ସରକାର। ଆଜି ଏପରି ଅଭିଯୋଗ କରି ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପଞ୍ଚାନନ କାନୁନ୍‌ଗୋ ସରକାରଙ୍କୁ ୧୦ଟି ପ୍ରଶ୍ନ ପଚାରିଛନ୍ତି। ତୁରନ୍ତ ସର୍ବଦଳୀୟ ବୈଠକ ଡାକି ସରକାର ଏହାର ସମାଧାନ ବାହାର କରନ୍ତୁ ବୋଲି ଶ୍ରୀ କାନୁନ୍‌ଗୋ ଆହ୍ବାନ କରିଛନ୍ତି। ଜବାବରେ ବିଜେଡି ଉପସଭାପତି ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ସମସ୍ତଙ୍କ ସହ ପରାମର୍ଶ କରି ସରକାର ଆର୍ଥିକ ପରିଚାଳନା କରୁଛନ୍ତି। କେବଳ ବିରୋଧ କରିବା ନ୍ୟାୟରେ କଂଗ୍ରେସ ନେତା ଏପରି ଅଭିଯୋଗମାନ ଆଣିଛନ୍ତି।

ଶ୍ରୀ କାନୁନ୍‌ଗୋ କହିଛନ୍ତି, ଗତ ୨୨ ତାରିଖରେ ମନ୍ତ୍ରୀ ପରିଷଦ ବୈଠକ ବସି ରାଜ୍ୟର ଆର୍ଥିକ ସ୍ଥିତି ସମ୍ପର୍କରେ ସରକାର ସୂଚନା ଦେଇଥିଲେ। ନିଜସ୍ବ ଟିକସ ଆୟ କମିଥିବା ହେତୁ ଖର୍ଚ୍ଚକାଟ ସହିତ ୨୦୨୦-୨୧ ଅନୁମୋଦିତ ବଜେଟ୍‌ରେ ପରିବର୍ତ୍ତନ କରିବା ପାଇଁ କୁହାଗଲା। ଏହାସହିତ ଖୋଲା ବଜାରରୁ ଋଣ ଆଣିବା କଥା କହିଲେ। ଚଳିତ ଆର୍ଥିକ ବର୍ଷର ପ୍ରଥମ ୪ ମାସରେ ରାଜ୍ୟର ଆୟ ପରିମାଣ ବହୁ ପରିମାଣରେ କମିଛି। ଏହି ୪ମାସ ଯେ, ସମସ୍ତ ଆର୍ଥିକ ସଙ୍କଟ ପାଇଁ ଦାୟୀ ଏ କଥା କହିବା ଭୁଲ। ୨୦୦୯-୧୦ରୁ ଆରମ୍ଭ କରି ୨୦୧୬-୧୭ ଆର୍ଥିକ ବର୍ଷ ପର୍ଯ୍ୟନ୍ତ କିପରି ସରକାରଙ୍କ ଭୁଲ ଅର୍ଥନୀତି ଯୋଗୁ ରାଜ୍ୟର ଋଣଭାର ୧ ଲକ୍ଷ ୨୫ ହଜାର କୋଟି ଟଙ୍କାରେ ପହଞ୍ଚିଛି। ଏଥିପାଇଁ କଣ କରୋନା ପରିସ୍ଥିତ ଦାୟୀ ବୋଲି ସେ ପ୍ରଶ୍ନ କରିଛନ୍ତି। ରାଜ୍ୟରେ ଗତ ୨୦ ବର୍ଷ ଭିତରେ ୨ଲକ୍ଷ ଏମ୍‌ଏସ୍‌ଏମ୍‌ଇ ଶିଳ୍ପ ବନ୍ଦ ହୋଇଛି। ଚିନିକଳ, ସୂତାକଳ, ଲୁଗାକଳ, ତେଲକଳ ଆଦି କରୋନା ପୂର୍ବରୁ ବନ୍ଦ ପଡ଼ିଛି। ରାଜ୍ୟର ସ୍ୱାର୍ଥକୁ ଏବେ କେନ୍ଦ୍ର ହାତରେ ଟେକି ଦିଆଯାଇଛି। ଜିଏସ୍‌ଟି କ୍ଷତିପୂରଣ ବାବଦରେ ଗତ ଆର୍ଥିକ ବର୍ଷରେ ୧ହଜାର କୋଟି ଓ ଚଳିତ ଆର୍ଥିକ ବର୍ଷ ପ୍ରଥମ ଦୁଇଟି କିସ୍ତିରେ ୧୪% ହାରରେ ଆଣି ନାହାନ୍ତି କାହିଁକି? ବେକାରୀ ଓ ବେରୋଜଗାରୀ ସହିତ ଲକ୍ଷଲକ୍ଷ ଦାଦନ ଶ୍ରମିକ ଆଜି ବି ବାହାର ରାଜ୍ୟକୁ ରୋଜଗାର ଉଦ୍ଦେଶ୍ୟରେ ଯାଉଛନ୍ତି। ୨୦୦୪ ଅଗଷ୍ଟରେ ସବୁ ସରକାରୀ ବିଭାଗରୁ ୭୫% ଖାଲି ପଦବି ଉଚ୍ଛେଦ କରିବା ନିଷ୍ପତ୍ତି ନେଇ ବିଜ୍ଞପ୍ତି ପ୍ରକାଶ କରାଗଲା। ଏଥିରେ ୩ ଲକ୍ଷ ପଦବି ଉଚ୍ଛେଦ ହେଲା। ଏବେ ଜାରି ହୋଇଥିବା ଖର୍ଚ୍ଚକାଟ ବିଜ୍ଞପ୍ତିରେ ଗତ ୫ବର୍ଷ ଧରି ଖାଲି ପଡ଼ିଥିବା ପଦବି ୧୦୦% ଉଚ୍ଛେଦ ପାଇଁ ଘୋଷଣା କରାଯାଇଛି। ରାଜ୍ୟର ଖଣି ସମ୍ପଦ ନିଲାମ ହେଉଛି କିନ୍ତୁ ଖଣି ରୟାଲଟି ଗତ ୪ ବର୍ଷ ଧରି ବଢ଼ିନାହିଁ। ଏ ବାବଦରେ ପ୍ରତିବର୍ଷ ରାଜ୍ୟ ୧୦ହଜାର କୋଟିରୁ ଉର୍ଦ୍ଧ୍ୱ ହରାଉଛି। ମୁଖ୍ୟମନ୍ତ୍ରୀ ଖାଲି ଚିଠି ଲେଖି ବସି ପଡ଼ିଛନ୍ତି।

ଚତୁର୍ଦ୍ଦଶ ଅର୍ଥ କମିଶନ ସୁପାରିସ ଆଧାରରେ ରାଜ୍ୟମାନଙ୍କ ଅଂଶ ବାବଦରେ କେନ୍ଦ୍ରରୁ ୪୨% ଅର୍ଥ ମିଳୁଥିଲା। କିନ୍ତୁ ପଞ୍ଚଦଶ ଅର୍ଥ କମିସନଙ୍କ ସୁପାରିସ୍‌ରେ ସେଥିରୁ ୧% କାଟି ଦିଆଯାଇଛି। ଫଳରେ ପ୍ରତିବର୍ଷ ଓଡ଼ିଶା ପ୍ରାୟ ୫୦୦ କୋଟି ହରାଇବ। ବଡ଼ ବଡ଼ କମ୍ପାନିମାନଙ୍କ ଜଳକର, ବିଦ୍ୟୁତ୍ ବିଲ୍‌ ବାବଦରେ ୫ହଜାର କୋଟିରୁ ଉର୍ଦ୍ଧ୍ୱ ବକେୟା ପଡ଼ିରହିଛି । ସରକାର ଜାଣିଶୁଣି ଏହି ବକେୟା ଆଦାୟ କରୁନାହାନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଖଣିମାଲିକଙ୍କ ଉପରେ ଧାର୍ଯ୍ୟ କରାଯାଇଥିବା ୧୮ହଜାର କୋଟିରୁ କେତେ ଟଙ୍କା ଆଦାୟ ହୋଇଛି। ସେହିପରି ପାରାଦୀପ ରିଫାଇନାରି ଉପରେ ବକେୟା ଥିବା ଟିକସ କାହିଁକି ଅନାଦେୟ ହୋଇ ପଡ଼ି ରହିଛି ତାର ସ୍ପଷ୍ଟୀକରଣ ସରକାର ରଖିବା ଉଚିତ୍‌ ବୋଲି ଶ୍ରୀ କାନୁନ୍‌ଗୋ ଦାବି କରିଛନ୍ତି।

ଅଭିଯୋଗକୁ ଖଣ୍ଡନ କରି ବିଜେଡି ବିଧାୟକ ଶ୍ରୀ ମିଶ୍ର କହିଛନ୍ତି ପଞ୍ଚାନନ ବାବୁ ଜଣେ ଜ୍ଞାନୀ ବ୍ୟକ୍ତି। କରୋନା କାଳରେ ମୁଖ୍ୟମନ୍ତ୍ରୀ ଆଗ ଲୋକଙ୍କ ଜୀବନକୁ ଗୁରୁତ୍ବ ଦେଇ ଅର୍ଥନୈତିକ ପଦକ୍ଷେପ ନେଉଛନ୍ତି। ବିଭିନ୍ନ ସଂସ୍ଥା ଉପରେ ବାକି ପଡ଼ିଥିବା ଅର୍ଥକୁ ନେଇ ଅନୁଧ୍ୟାନ ଚାଲିଛି। ଏସବୁ ଦେୟ କିଭଳି ମିଳିପାରିବ ଓ ରାଜସ୍ବ ସଂଗ୍ରହକୁ ଆହରୁ ତ୍ବରାନ୍ବିତ କରାଯିବ ସେଥିପାଇଁ ବିଚାର ବିମର୍ଶ ମଧ୍ୟ ସରକାର କରୁଛନ୍ତି। ଏଫଆର୍‌ବିଏମ୍‌ ଆଇନ ଅନୁଯାୟୀ ସରକାର ଋଣ କରିଛନ୍ତି। ଏଥିରେ କୌଣସି ପ୍ରକାର ନିୟମ ବହିର୍ଭୁତ ହୋଇନାହିଁ। ଯଦି ବିକଳ୍ପ ପ୍ରସ୍ତାବ ଶ୍ରୀ କାନୁନଗୋଙ୍କ ପାଖରେ ଅଛି, ତାହେଲେ ସେ ପ୍ରସ୍ତାବ ଦିଅନ୍ତୁ ବୋଲି ଶ୍ରୀ ମିଶ୍ର ପାଲଟା ଆହ୍ବାନ କରିଛନ୍ତି।

ସମ୍ବନ୍ଧିତ ଖବର