ଦିଗପହଣ୍ଡିରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟଣା : ମାନବାଧିକାର କମିସନରେ ମାମଲା ରୁଜୁ

ଦିଗପହଣ୍ଡି : କରୋନା ମହାମାରୀର ଭୟାବହତା ମଧ୍ୟରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସହରର ଗୋଟିଏ ପରିବାରର ୩ଜଣଙ୍କ ମୃତ୍ୟୁ ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ପାଞ୍ଚ ଦିନ ବ୍ୟବଧାନରେ ଇ.କୃଷ୍ଣ ପାତ୍ର, ପତ୍ନୀ ଇ.ଜାନକୀ ପାତ୍ର ଓ ତାଙ୍କ ପୁଅ ଇ.ଜିତେନ୍ଦ୍ର ପାତ୍ର (ରିଙ୍କୁ)ଙ୍କ ଦେହାନ୍ତ ହୋଇଥିଲା। ‌କୋଭିଡ୍ ହସ୍ପିଟାଲ୍‌ରେ ଚିକିତ୍ସାରେ ଅବହେଳା ଓ ପ୍ରଶାସନର ମନମୁଖି କାର୍ଯ୍ୟକଳାପ ଯୋଗୁଁ ସେ ସ୍ବାମୀ ଜ‌ିତେନ୍ଦ୍ର, ଶ୍ବଶୁର କୃଷ୍ଣ ଓ ଶାଶୁ ଜାନକୀଙ୍କୁ ହରାଇଲେ ବୋଲି ଅନୁରାଧା ପାଣିଗ୍ରାହୀ ଅଭିଯୋଗ ଆଣିଛନ୍ତି। ଭୁବନେଶ୍ୱରର ଘରୋଇ ଡାକ୍ତରଖାନାରେ ଗଞ୍ଜାମ ରୋଗୀଙ୍କୁ ବାରଣ କରାଯାଉଥିବାରୁ ଚେଷ୍ଟା ସତ୍ତ୍ବେ କାହାକୁ ନିଆଯାଇ ପାରିଲାନି ବୋଲି ଅନୁରାଧା କ୍ଷୋଭ ପ୍ରକାଶ କରିଥିଲେ।

ଏହି ଘଟଣାକୁ ନେଇ ମାନବିକ ଅଧିକାର କର୍ମୀ ତଥା ବିଜେପି ନେତା ଶ୍ରୀକାନ୍ତ ପାଢ଼ୀ ଜାତୀୟ ମାନବାଧିକାର କମିସନ ନୂଆଦିଲ୍ଲୀର ଦ୍ବାରସ୍ଥ ହୋଇଛନ୍ତି। ଏ ମର୍ମରେ କେସ୍ ନମ୍ବର ୧୧୭୦୩/୨୦୨୦ରେ ମାମଲା ରୁଜୁ ହୋଇଛି। ଅନୁରାଧାଙ୍କୁ ନ୍ୟାୟ ପ୍ରଦାନ ସହ ତାଙ୍କର ୧୨ ବର୍ଷର ଝିଅ ଓ ସାତବର୍ଷର ପୁଅ ଥିବାରୁ ଉପଯୁକ୍ତ ସହାୟତା ରାଶି ଦେବା ଲାଗି ସେ ଦାବି କରିଛନ୍ତି। ଓଡ଼ିଶାର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଗଞ୍ଜାମ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଶୀତଳପଲ୍ଲୀ କୋଭିଡ୍‌ ଡାକ୍ତରଖାନାର ଭାରପ୍ରାପ୍ତ ଅଧିକାରୀଙ୍କ ବିରୋଧରେ ସେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଏଥି‌ରେ ଉଲ୍ଲେଖ କରିଛନ୍ତି। ଗଞ୍ଜାମ ଜିଲ୍ଲାରେ ବାରମ୍ବାର ଏଭଳି ଘଟଣା ଘଟିବା ଓ ଭୁବନେଶ୍ୱରଠାରେ ଅଣକୋଭିଡ୍ ରୋଗୀମାନଙ୍କୁ ବେସରକାରୀ ଚିକିତ୍ସା ନିମନ୍ତେ ବାରଣ କରାଯାଉଥିବାରୁ ଏଦିଗରେ ପଦକ୍ଷେପ ଗ୍ରହଣ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଶ୍ରୀ ପାଢ଼ୀ ନିବେଦନ କରିଛନ୍ତି। ଏହା ସହ ସେ ରାଜ୍ୟପାଳଙ୍କ ମଧ୍ୟ ଦୃଷ୍ଟି ଆକର୍ଷଣ କରିଛନ୍ତି।

ସମ୍ବନ୍ଧିତ ଖବର