ଭୁଲ ପ୍ରେସ୍‌କ୍ରିପ୍‌ସନ ଯୋଗୁଁ କରୋନା ରୋଗୀଙ୍କ ମୃତ୍ୟୁ ଘଟଣା : ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍‌-ମୋ ଆଈଙ୍କୁ ମାରି ଦିଆଯାଇଛି

ବ୍ରହ୍ମପୁର : ଭୁଲ ପ୍ରେସ୍‌କ୍ରିପ୍‌ସନ ଓ ତ୍ରୁଟିପୂର୍ଣ ବେଡ୍‌ ଟିକେଟ୍‌ରେ ରେଫର୍‌ ଓ ଚିକିତ୍ସା ଯୋଗୁଁ ବ୍ରହ୍ମପୁର ବଡ଼ବଜାର ଅ˚ଚଳର କରୋନା ପୀଡ଼ିତ ଦମୟନ୍ତୀ ସାହୁଙ୍କ ଗତକାଲି ମୃତ୍ୟୁ ଘଟିଥିଲା। କରୋନା ରୋଗୀଙ୍କ ଚିକିତ୍ସାରେ ମହାବିଭ୍ରାଟ ସ˚କ୍ରାନ୍ତରେ ‘ସମ୍ବାଦ’ରେ ଖବର ପ୍ରକାଶ ପରେ ଆଲୋଡ଼ନ ସୃଷ୍ଟି ହୋଇଛି। ମୃତା ଦମୟନ୍ତୀଙ୍କ ନାତି ଧର୍ମେନ୍ଦ୍ର ସାହୁ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍‌ କରିଛନ୍ତି। ତାଙ୍କ ଆଈଙ୍କୁ ପାରଳା ମହାରାଜା ଇଂଗଜିନିୟରିଂ କଲେଜ ଓ ସିଟି ହସ୍‌ପିଟାଲ କୋଭିଡ଼୍‌ ସେଣ୍ଟର୍‌ରେ ମାରି ଦିଆଇ ଯାଇଥିବା ରୋକଠୋକ୍‌ ଅଭିଯୋଗ କରିଛନ୍ତି। ଏଥିଲାଗି କ୍ଷତିପୂରଣ ଏବ˚ ନ୍ୟାୟ ଚାହିଁଛନ୍ତି ଧର୍ମେନ୍ଦ୍ର।

ବ୍ରହ୍ମପୁର ବଡ଼ବଜାର ଅ˚ଚଳର ମାଲୁ ବେହେରା ସାହିର ଦମୟନ୍ତୀ ଗତ ୧୩ ତାରିଖରେ କୋଭିଡ଼୍‌ ଟେଷ୍ଟ୍‌ କରାଇଥିଲେ। ୧୮ ତାରିଖରେ ରିପୋର୍ଟ ପଜିଟିଭ୍‌ ଆସିବା ପରେ ପାରଳା ମହାରାଜା କୋଭିଡ଼୍‌ କେୟାର ସେଣ୍ଟର୍‌ରେ ଭର୍ତ୍ତି ହୋଇଥିଲେ। ସେଠାରେ ୧୨ଦିନ ରହିବା ପରେ ଘର ଲୋକଙ୍କ ସହ ଦମୟନ୍ତୀ କଥାବାର୍ତା ହୋଇ ସୁସ୍ଥ ଥିବା କହିଥିଲେ। ଗତ ୩୦ ତାରିଖରେ ଦମୟନ୍ତୀଙ୍କୁ ପାରଳା ମହାରାଜାରୁ କୋଭିଡ୍‌ କେୟାର୍‌ ସେଣ୍ଟର୍‌ରୁ ସିଟି ହସ୍‌ପିଟାଲ କୋଭିଡ଼୍‌ କେୟାର୍‌ ସେଣ୍ଟର୍‌କୁ ରେଫର୍‌ କରାଯାଇଥିଲା। କିନ୍ତୁ ଦମୟନ୍ତୀ ପଣ୍ଡା ନାମକ ଆଉ ଜଣେ ମହିଳାଙ୍କ ପ୍ରେସ୍‌କ୍ରିପ୍‌ସନ୍‌ ଓ ବେଡ୍‌ ଟିକେଟ ସ୍ଥାନରେ ଦମୟନ୍ତୀ ସାହୁଙ୍କୁ ରେଫର କରାଯାଇଥିଲା। ସିଟି ହସ୍ପିଟାଲ କୋଭିଡ଼ କେୟାର୍‌ ସେଣ୍ଟର୍‌ରେ ଦୁଇ ଦିନର ଚିକିତ୍ସା ପରେ ଦମୟନ୍ତୀ ସାହୁଙ୍କର ଗତକାଲି ଭୋରରେ ମୃତ୍ୟୁ ଘଟିଥିଲା। ଏହି ଭୁଲକୁ ଲୁଚାଇବା ଲାଗି ପ୍ରେସ୍‌କ୍ରିପସନ୍‌ ଓ ଶଯ୍ୟା ଟିକେଟ୍‌ରେ ଲେଖାଥିବା ଦମୟନ୍ତୀ ପଣ୍ତାକୁ କାଟି ପୁଣି ସାହୁ କରିଦିଆ ଯାଇଥିଲା। ଏ ସ˚କ୍ରାନ୍ତରେ ମୃତାଙ୍କ ପରିବାର ଲୋକମାନେ ସଙ୍ଗିନ ଅଭିଯୋଗ ଆଣିଥିଲେ।

ଅନ୍ୟପକ୍ଷରେ ମୃତା ଦମୟନ୍ତୀଙ୍କ ଜଣେ ସମ୍ପର୍କୀୟ ଏବେ ଟାଟା କୋଭିଡ୍‌ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଗତକାଲି ରାତିରେ ମୃତାଙ୍କ ପୁଅ ପ୍ରଭାକର ସାହୁ ବଡ଼ବଜାର ଥାନାରେ ଏତଲା ଦେଇଥିଲେ। ଏହି ଅଭିଯୋଗକୁ ବଡ଼ବଜାର ଥାନା ପୁଲିସ ଗୋପାଳପୁର ଥାନାକୁ ପଠାଇ ଦେଇଥିବା ସୂଚନା ମିଳିଛି। ପାରଳା ମହାରାଜା କୋଭିଡ଼୍‌ କେୟାର୍‌ ସେଣ୍ଟର୍‌ରେ ଏହି ଘଟଣା ଘଟିଥିବା ଏବ˚ ତାହା ଗୋପାଳପୁର ଥାନା ଇଲାକାରେ ଆସୁଥିବାରୁ ମାମଲା ସ୍ଥାନାନ୍ତର କରା ଯାଇଥିବା ପୁଲିସ ପକ୍ଷରୁ କୁହାଯାଇଛି। ଏହି ଘଟଣାର ତୀବ୍ର ନିନ୍ଦା କରିଛି ବିଜେପି। ବିଜେପି ନେତା କାହ୍ନୁ ଚରଣ ପତି କହିଛନ୍ତି, ଏଭଳି ଘଟଣା ପାଇଁ ଦାୟୀ କର୍ମଚାରୀଙ୍କ ବିରୋଧରେ ହତ୍ୟା ମକଦ୍ଦମା ରୁଜୁ କରିବା ସହ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୦ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିବାକୁ ସେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର