୨୦୦୪ ସୁନାମିରୁ ବର୍ତିଥିଲେ କୁମ୍ବଲେ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ତଥା ମୁଖ୍ୟ ପ୍ରଶିକ୍ଷକ ଅନିଲ କୁମ୍ବଲେ ୨୦୦୪ ମସିହା ଭୟଙ୍କର ସୁନାମିରୁ ବର୍ତିଯାଇଥିଲେ। ସେହି ବିପର୍ଯ୍ୟୟ ଦିନ ଚେନ୍ନାଇରେ ପରିବାର ସହ ଥିଲେ ଅନିଲ କୁମ୍ବଲେ। ଭାରତୀୟ ଅଫସ୍ପିନର୍‌ ଆର୍ ଅଶ୍ବିନଙ୍କ ସହ ଆଲୋଚନାବେଳେ ସେ କିଭଳି ଏହି ବିପତ୍ତିରୁ ବର୍ତ୍ତିଥିଲେ ତାହା ସୋମବାର ବର୍ଣ୍ଣନା କରିଥିଲେ। ୨୦୦୪ ମସିହା ଡିସେମ୍ବର ୨୬ ତାରିଖରେ ଭାରତ ମହାସାଗରରେ ସୃଷ୍ଟ ଭୂକମ୍ପ କାରଣରୁ ଦକ୍ଷିଣ ଭାରତ ଏବଂ ଏହାର ପଡ଼ୋଶୀ ଦେଶଗୁଡିକ‌ରେ ସୁନାମିର କରାଳ ରୂପ ଦେଖିବାକୁ ମିଳିଥିଲା। ଉପକୂଳ ଅଞ୍ଚଳରେ ପ୍ରାୟ ୧୦୦ ଫୁଟ ଉଚ୍ଚତାର ସୁନାମି ମାଡି ଆସିଥିଲା। ବିଶ୍ବବ୍ୟାପୀ ୨ ଲକ୍ଷ ଲୋକଙ୍କ ପ୍ରାଣ ହରାଇଥିବାବେଳେ ହଜାର ହଜାର ବାସହୀନ ହୋଇପଡ଼ିଥିଲେ। ଭାରତରେ ମୃତ୍ୟୁ ସଂଖ୍ୟା ସରକାରୀ ଭାବେ ୧୦,୧୩୬ କୁହାଯାଇଥିଲା। ଚେନ୍ନାଇ ଉପକୂଳରେ ଏହା ପିଟି‌ ହେବା ବେଳକୁ ଆମେ ଜଳଖିଆ ଖାଉଥିଲୁ ଏବଂ ସେହିଦିନ ଆମେ ଚେନ୍ନାଇ ଛାଡ଼ିବାର ଥିଲା। ମଧ୍ୟାହ୍ନ ୧୧.୩୦ରେ ବିମାନ ଥାଏ, ଆମକୁ ୯.୩୦ ସୁଦ୍ଧା ହୋଟେଲ୍ ଛାଡ଼ିବାର ଥିଲା। ମୋ ସାଥିରେ ପତ୍ନୀ ଓ ୧୦ ମାସର ପୁଅ ଥିଲେ। ସଡ଼କ ପଥରେ ପ୍ରାୟ ୬ ଘଣ୍ଟା ଲାଗିବାର ଥିବାରୁ ପୁଅକୁ ଗାଡିରେ ନେଇ ଯିବାକୁ ଉଚିତ୍ ମଣିନଥିଲୁ। ଭଲରେ ଛୁଟି କାଟିଥିଲୁ କିନ୍ତୁ ଫେରିବା ଦିନ ଏହି ବିପର୍ଯ୍ୟୟ ଘଟିଥିଲା’ ବୋଲି କୁମ୍ବଲେ ପ୍ରକାଶ କରିଥିଲେ।

ପୂର୍ବ ରାତିରେ କିନ୍ତୁ ଏହାର ଆଭାସ ପାଇଥିଲୁ। ପତ୍ନୀ ହଠାତ୍ ଉଠି କହିଥିଲେ କାହିଁକି ଅସହଜ ଅନୁଭବ କରୁଛନ୍ତି। ଦେଖିଲ କେତେ ସମୟ‌‌ ହୋଇଛି ବୋଲି ପ୍ରଶ୍ନ କରିଥିଲେ। ସକାଳୁ ସଅଳ ଉଠି ସମୁଦ୍ରକୁ ଦେଖିଥିଲୁ, ସବୁକିଛି ଶାନ୍ତ ଥିଲା ଏବଂ ମେଘୁଆ ଆକାଶ ଥିଲା। ପ୍ରାୟ ୮.୩୦ ବେଳକୁ ଆମେ ଜଳଖିଆ ଖାଉଥିବାବେଳେ ସମ୍ଭବତଃ ପ୍ରଥମ ସୁନାମି ଲହର୍‌ ଆସିଥିଲା। ହୋଟେଲ୍ ଛାଡ଼ିବା ବେଳକୁ ଲୋକଙ୍କ ଛାନିଆ ରୂପ ଦେଖିବାକୁ ପାଇଥିଲୁ। ବିମାନବନ୍ଦର ଅଭିମୁଖେ କାରରେ ବସିଯିବା ପରେ ମୁଁ ଏକ ବ୍ରିଜ୍‌ ନିକଟରେ ପାଣିକୁ ଛୁଇଁବା ଭଳି ସ୍ଥିତିରେ ଥିଲି। କ’ଣ ଘଟୁଛି ଜାଣିପାରୁନଥିଲୁ, ଏସବୁ ଆମେ ସିନେମାରେ ଦେଖିଥାଉ। ଲୋକମାନେ ଏତେତେଣେ ଦୌଡୁଥାନ୍ତି, ସାଥିରେ ବି କିଛି ପିଲାଙ୍କୁ ନେଉଥାନ୍ତୁ, ଯଥାସମ୍ଭବ ବ୍ୟାଗ୍‌ ଧରି କିଛି ଧାଉଁଥାନ୍ତି। ଆମ ଡ୍ରାଇଭରକୁ ବି ଫୋନ୍ କଲ୍ ଆସୁଥାଏ, ପାଣି ମାଡି ଆସୁଛି। ଆମେ ତାକୁ ଗାଡ଼ି ଚଳାଇବା ଉପରେ ଏକାଗ୍ର ହେବାକୁ ପରାମର୍ଶ ଦେଉଥିଲୁ। ବିନା ବ‌ର୍ଷାରେ ଏତେ ପାଣି କେବେ ଦେଖିନଥିଲୁ, କି ସୁନାମି କ’ଣ ଜାଣିନଥିଲୁ। ବାଙ୍ଗାଲୋର ଘରକୁ ଫେରିଆସିବା ପରେ ଟିଭିରୁ ସୁନାମି କ’ଣ ଜାଣିଥିଲୁ, ପୂର୍ବରୁ ଏ ସମ୍ପର୍କରେ କୌଣସି ଧାରଣା ହିଁ ନ ଥିଲା’ ବୋଲି କୁମ୍ବଲେ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର