ଫସଲ ବୀମା ଯୋଜନାରେ ବଡ଼ଧରଣର ଦୁର୍ନୀତି : ଦଲାଲ ନେଇଛନ୍ତି ଚାଷୀଙ୍କ ଅଧା ଟଙ୍କା

ବଲାଙ୍ଗୀର: ଚାଷୀଙ୍କ ହକ୍‌ ଟଙ୍କା ଲୁଟି ନେଉଛନ୍ତି ଦଲାଲ-ଅଧିକାରୀ। ଚାଷୀ ଓ ଦଲାଲଙ୍କ ଭିତରେ ହୋଇଥିବା ଫୋନ୍‌ ବାର୍ତ୍ତାଳାପର ଅଡିଓ ରେକର୍ଡିଂ ଏବେ ଲାଗିଛି ‘ସମ୍ବାଦ’ ହାତରେ। ରେକର୍ଡିଂରେ ଯାହା ତଥ୍ୟ ପଦାକୁ ଆସିଛି, ତାହା ଆଶ୍ଚର୍ଯ୍ୟଜନକ। କାରଣ ଚାଷୀଙ୍କୁ ଦଲାଲ ସିଧାସିଧା କହୁଛି, ଯେତେ ଟଙ୍କା ସେ ପାଇବ ସେଥିରୁ ଅଧା ଦେବାକୁ ପଡ଼ିବ। ଅର୍ଥାତ୍‌, ଫିପ୍ଟି-ଫିପ୍ଟି (ଅଧା-ଅଧା)ରେ କାମ ହେବ। ଆଉ ଚାଷୀ ବି ଅନ୍ୟ ଉପାୟ ନପାଇ ଦଲାଲ କଥାରେ ହଁ ଭରୁଛି। ଏ ଦଲାଲ ଜଣକ କିଏ? କେଉଁଠି ଘର? କେମିତି ପାଇଲା ଚାଷୀଙ୍କ ସବୁ ତଥ୍ୟ? ତାହା ବି ଧୀରେ ଧୀରେ ସାମ୍ନାକୁ ଆସିବ‌ାରେ ଲାଗିଛି।

ସୂଚନା ଅନୁସାରେ, କୃଷି ବୀମା ଟଙ୍କା ଚାଷୀଙ୍କୁ ପ୍ରଦାନ କରିବା ପ୍ରକ୍ରିୟାରେ ଏକ ବଡ଼ ରାକେଟ କାମ କରୁଛି। ଜିଲ୍ଲାରେ ଚାଷୀଙ୍କଠାରୁ କୋଟି କୋଟି ଟଙ୍କା ଲୁଟ୍‌ ହୋଇସାରିଲାଣି। ଦଲାଲ, ଅଧିକାରୀମାନେ ମାଲାମାଲ ହୋଇଛନ୍ତି। ଏବେବି ହଜାର ସଂଖ୍ୟାରେ ଚାଷୀ ତାଙ୍କର ବୀମା ଟଙ୍କା ପାଇନାହାନ୍ତି। କାରଣ ସେମାନଙ୍କ ନିକଟକୁ ଦଲାଲ ପହଞ୍ଚି ନାହାନ୍ତି କିମ୍ବା ଦଲାଲ କଥାରେ ଅନେକ ମନା କରିଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା, ପ୍ରକୃତ ଚାଷୀଙ୍କ ଟଙ୍କା ଅନ୍ୟ ଲୋକଙ୍କ ଆକାଉଣ୍ଟରେ ଜମା ହେଉଛି। ଆଉ ସେହି ଟଙ୍କାକୁ ବି ହଡ଼ପ କରାଚାଲିଛି।

ଏମିତି ଜଣେ ଚାଷୀ ହେଉଛନ୍ତି, ସଇନ୍ତଳା‌ ବ୍ଲକ୍‌ ଅଞ୍ଚଳର ସନ୍ତୋଷ ପଟେଲ। ତାଙ୍କର ୟୁଜିବିରେ ଆକାଉଣ୍ଟ ଅଛି। ଗତବର୍ଷ ସେପ୍ଟେମ୍ବର ୩୦ତାରିଖରେ ତାଙ୍କୁ ଟଙ୍କା ଦିଆଯାଇଥିବା ବୀମା କମ୍ପାନି କହୁଛି। ସତକଥା ହେଉଛି, ସନ୍ତୋଷ ଟଙ୍କା ପାଇନାହାନ୍ତି। ହେଲେ, ତାଙ୍କ ଟଙ୍କା ୟୁନିଅନ ବ୍ୟାଙ୍କ ସଇନ୍ତଳା ବ୍ରାଞ୍ଚର ଏକ ଆକାଉଣ୍ଟ ନମ୍ବରରେ ପଡ଼ିଛି। ସେହିପରି; ମହନ୍ତ ବଗର୍ତ୍ତି, ଗରିବ ନାଗଙ୍କ ସହ ବହୁ ଚାଷୀଙ୍କ ଟଙ୍କା ବି ଅନ୍ୟ ଆକାଉଣ୍ଟରେ ପକାଯାଇ ହଡ଼ପ ହୋଇଛି। ଅନେକ ଚାଷୀଙ୍କ କ୍ଷେତ୍ରରେ ଏଭଳି ହୋଇଛି। ସେମାନେ ଯାହା ଆକାଉଣ୍ଟ ନମ୍ବର ଦେଇଥିଲେ, ସେଥିରେ ନପଡ଼ି ଅନ୍ୟ ଆକାଉଣ୍ଟ ଜରିଆରେ ସେମାନଙ୍କ ଟଙ୍କା ସବୁ ହଡ଼ପ ହୋଇଛି।

ସଇନ୍ତଳା ବ୍ଲକ୍‌ ବିଭିନ୍ନ ପଂଚାୟତରେ ଦଲାଲ ସକ୍ରିୟ ହୋଇ ଟଙ୍କା ଲୁଟ୍‌ କରିଥିବା ଜଣାପଡ଼ିଛି ।ଏହାଭିତରେ କିଛି ଚାଷୀ ଟଙ୍କା ନପାଇବାରୁ ଦଲାଲଙ୍କୁ ଫୋନ୍ କରିଥିଲେ। ଦଲାଲଙ୍କୁ ନାମ କହିବାପରେ ସେ ଫାଇଲ ଦେଖି କେତେ ଟଙ୍କା ସୂଚନା ଦେଇଥିଲେ। ଏଥିସହିତ, ତାଙ୍କ ଫାଇଲ ପ୍ରତ୍ୟାଖ୍ୟାନ ତାଲିକାରେ ଅଛି। ଯଦି ଅଧା ଟଙ୍କା ଦେବ ତା’ହେଲେ କାମ ହୋଇଯିବ ବୋଲି ସେ କହିଥିଲେ। ଚାଷୀଙ୍କ ସମ୍ପର୍କରେ ଏତେଗୁଡ଼ା ତଥ୍ୟ ଦଲାଲ କିଭଳି ପାଇଲେ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏହି ସମୁଦାୟ ପ୍ରକ୍ରିୟା ଓ ଦୁର୍ନୀତିରେ ସନ୍ଦେହଘେରକୁ ଆସିଛି ସଇନ୍ତଳା କୃଷି କାର୍ଯ୍ୟାଳୟ। ସଇନ୍ତଳାରେ ଚାଷୀଙ୍କ ଟଙ୍କା ଯାହା ଲୁଟ୍‌ ହୋଇଛି, ତାହା ଟିଟିଲାଗଡ଼ରୁ ପରିଚାଳିତ ହେଉଥିଲା। ସବୁ ଚାଷୀଙ୍କ ଫାଇଲ ଟିଟିଲାଗଡ଼ ଏଡିଏଓ ପଠାଉଥିଲେ। ତାହା ଦେଖି କମ୍ପାନି ଟଙ୍କା ଦେଉଥିଲା। ସଇନ୍ତଳାରେ ଥିବା ଅଧିକାରୀଙ୍କ ତଥ୍ୟ ବି ବାବୁ ଦେଖୁନଥିଲେ। ମନଇଚ୍ଛା ଦଲାଲ ଯାହା ତଥ୍ୟ ଦେଲା ସେଥିରେ ମୋହର ମାରି ଫାଇଲ ପାସ ହେଉଥିଲା। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସଇନ୍ତଳାର ଅଧିକାରୀ ଯାହା ତଥ୍ୟ ଟିଟିଲାଗଡ଼ ଏଡିଏଓଙ୍କୁ ଦେଉଥିଲେ, ତାହା ସେ ପାଇବା ପୂର୍ବରୁ ବି ସାର୍ଟିଫାଏଡ କପି କମ୍ପାନିକୁ ଅନ୍ୟ ଆକାଉଣ୍ଟ ନମ୍ବର ଦେଇ ପଠାଇ ଦେଉଥିଲେ। ଏଭଳି ଭାବରେ ଚାଷୀଙ୍କ ଟଙ୍କା ସବୁ ଲୁଟ ହୋଇଛି। ଦାୟିତ୍ୱରେ ଥିବା କିରାଣି ଓ ଅଧିକାରୀଙ୍କ ଇସାରାରେ ସବୁ କାରବାର ଚାଲିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର