ସାଇବର୍‌ ଠକଙ୍କ ଜାଲରେ ଔଷଧ ବ୍ୟବସାୟୀ: ଠକିନେ‌ଲେ ୪୦,୫୦୦

ରାଉରକେଲା: ସାଇବର ଠକଙ୍କ ଜାଲରେ ଫସିଯାଇଛନ୍ତି ରାଉରକେଲାର ଜଣେ ବ୍ୟବସାୟୀ। ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି ପରିଯୋଜନା ଅନ୍ତର୍ଗତ ବିଭିନ୍ନ ଔଷଧର ବିତରକ କରାଇଦେବା ନାଁରେ ୪୦,୫୦୦ ଟଙ୍କା ଠକି ନେଇଛନ୍ତି। ଏନେଇ ଝିରପାଣି ଥାନାରେ ଲିଖିତ ଅଭିଯୋଗ ହୋଇଛି।
ସହରର ଜଣେ ବ୍ୟକ୍ତିଙ୍କ ମେଡିକାଲ ଷ୍ଟୋର୍‌ ରହିଛି। ଗତ ୧୮ ତାରିଖର ଘଟଣା। ସଂପୃକ୍ତ ବ୍ୟବସାୟୀ ସାମାଜିକ ଗଣମାଧ୍ୟମ ଫେସ୍‌ବୁକ୍‌ରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନ‌ୌଷଧି ପରିଯୋଜନାର ବିତରକ ହେବା ସଂକ୍ରାନ୍ତୀୟ ଏକ ବିଜ୍ଞାପନ ଦେଖିଥିଲେ। ସେଥିରେ ସେ ବିତରକ ହେବାକୁ ଇଚ୍ଛା ଜାହିର କରି ଏକ କମେଣ୍ଟ୍‌ ଦେଇଥିଲେ। ଉକ୍ତ କମେଣ୍ଟ୍‌କୁ ଆଧାରକରି ପ୍ରଥମେ ଠକ ଦଳ ବ୍ୟବସାୟୀଙ୍କ ଫୋନ ନମ୍ବର ମାଗିଥିଲେ। ପରେ ଫୋନ୍‌ ମାଧ୍ୟମରେ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇଥିଲେ। ସାଇବର ଠକଙ୍କ ଜାଲରେ ପଡ଼ି ବ୍ୟବସାୟୀ ଜଣକ ବିତରକ ହେବାକୁ ସମ୍ମତି ଦେବାପରେ ଠକଦଳ ପଞ୍ଜିକରଣ ବାବଦକୁ ୫ ହଜାର ଟଙ୍କା ମାଗିଥିଲେ। ଦାବି ମୁତାବକ ଟଙ୍କା ଦେବାପରେ ଠକଦଳ ରସିଦ ଦେବାରୁ ବ୍ୟବସାୟୀଙ୍କ ଆସ୍ଥା ଜମିଥିଲା। ପରେ ଏଗ୍ରିମେଣ୍ଟ୍‌ ବାବଦକୁ ୩୫,୫୦୦ ଟଙ୍କା ପୈଠ କରିବାପରେ ଚୁକ୍ତିନାମାର ନଥିପତ୍ର, ପରିଚୟ ପତ୍ର ଆଦି ପଠାଇଥିଲେ। ସମସ୍ତ ଟଙ୍କା ଲେଣଦେଣ କାରବାର ଫୋନ୍‌ ‌ପେ’ ମାଧ୍ୟମରେ ହୋଇଥିଲା।
ଅପରପକ୍ଷରେ ଟଙ୍କା ପୈଠ ହେବାପରେ ଠକଦଳ ନୂଆ ବାହାନା କରି ଏକ ତଦନ୍ତକାରୀ ଦଳ ସ୍ଥାନ ପରିଦର୍ଶନରେ ଯିବାକୁ କହିଥିଲେ। ତେବେ ଏହି ଦଳର ଗସ୍ତ ପୂର୍ବରୁ ଆହୁରି ୬୦ ହଜାର ଟଙ୍କା ଦାବି କରିବାରୁ ବ୍ୟବସାୟୀଙ୍କ ସନ୍ଦେହ ସୃଷ୍ଟି ହୋଇଥିଲା। ପରେ ଖୋଲତାଡ଼ କରିବାରୁ ଠକ ସଂସ୍ଥାବୋଲି ଜଣାପଡ଼ିବାପରେ ଝିରପାଣି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ସମ୍ବନ୍ଧିତ ଖବର