ଲଟେରି ଲୋଭରେ ଫସିଲେ, ଆକାଉଣ୍ଟରୁ କଟିଗଲା ୪ ଲକ୍ଷ

ସମ୍ବଲପୁର: ସମ୍ବଲପୁରରେ ବଡ଼ ଧରଣର ସାଇବର ଠକେଇ ହୋଇଛି। ଲଟେରି ଲୋଭରେ ପଡ଼ି ସ୍ଥାନୀୟ ବୁଢ଼ାରଜା ହରଗୌରୀବିହାରର କେଶବ ସାହୁ ୪ ଲକ୍ଷ ଟଙ୍କା ଠକେଇର ଶିକାର ହୋଇଥିବା ଅଭିଯୋଗ ହୋଇଛି।

କେଶବଙ୍କ ପାଖକୁ କିଛି ମାସ ତଳେ ହ୍ବାଟ୍ସଆପ୍‌ରେ ଏକ ଅଜଣା ନମ୍ବରରୁ ଗୋଟିଏ ଫଟୋ ଆସିଥିଲା। ଫଟୋରେ କେବିସି ଲଟେରି ୨୦୨୨ ଲେଖାଯିବା ସହ କଙ୍ଗ୍ରାଚୁଲେସନ୍‌ ଲେଖାଯାଇଥିଲା। ତା’ ତଳକୁ ଆପଣ କେବିସିରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ଜିତିଛନ୍ତି, ଆପଣଙ୍କ ହ୍ବାଟ୍ସଆପ୍‌ ବ୍ୟବହାର ପାଇଁ ଏହା ଜିତିଥିବା ଉକ୍ତ ଫଟୋରେ ଲେଖାଥିଲା। ହଜାରେ ଜଣଙ୍କ ମଧ୍ୟରେ ଆପଣ ଭାଗ୍ୟଶାଳୀ ବିଜେତା ହୋଇଥିବାରୁ ଆପଣଙ୍କୁ ଏହି ପୁରସ୍କାର କେବିସି ପକ୍ଷରୁ ଦିଆଯାଉଛି।

ତା’ ପରେ ଏକ ହ୍ବାଟ୍ସଆପ୍‌ ନମ୍ବର ଦିଆଯାଇଥିଲା ଏବଂ ହ୍ବାଟ୍ସଆପ୍‌ରେ ହିଁ କଲ୍‌କରି ତଳେ ଲେଖାଥିବା ଲଟେରି ନମ୍ବର କହିବାକୁ କହାଯାଇଥିଲା। ଏହା ସହିତ ଏକ ଭଏସ୍‌ ମେଜେଜ୍‌ ମଧ୍ୟ ଆସିଥିଲା, ସେଥିରେ ମଧ୍ୟ ସମାନ ଜିନିଷ କହାଯାଇଥିଲା। ଏତେ ଟଙ୍କା ଜିତିଥିବା ଲୋଭରେ କେଶବ ଏ ବିଷୟରେ କାହାକୁ ନ ଜଣାଇ ହ୍ବାଟ୍ସଆପ୍‌ରେ ସାଇବର୍‌ ଠକକୁ କଲ୍‌ କରିଥିଲେ। ତାପରେ ୨୫ ଲକ୍ଷ ଟଙ୍କା ପାଇଁ ତାଙ୍କୁ ଟ୍ୟାକ୍‌ସ ଆକାରରେ କିଛି ଅର୍ଥ ଜମା କରିବାକୁ କହିଥିଲା ସାଇବର୍‌ ଠକ। ଟଙ୍କା ଲୋଭରେ ଗତ ଜାନୁଆରିରେ ୪୦ ହଜାର, ୫୦ ହଜାର କରି ଏକାଧିକ ଥର ସେ ଦେଇଥିବା ଆକାଉଣ୍ଟକୁ ଟଙ୍କା ପଠାଇ ଚାଲିଥିଲେ। ଏଭଳି ଭାବେ ମୋଟ ୪ ଲକ୍ଷ ଟଙ୍କା ଦେବା ପରେ ବି ତାଙ୍କୁ କିଛି ଲଟେରି ମିଳି ନଥିଲା। ପରେ ଆଉ ଟଙ୍କା ଦେବାକୁ ଠକ ଜଣକ କହିଥିଲା। ଏହା ପରେ ସେ ଠକେଇର ଶିକାର ହୋଇଥିବା ଜାଣିପାରି ଶୁକ୍ରବାର ସମ୍ବଲପୁର ସାଇବର୍‌ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର