ଦେହୁରୀ ମାଉସୀଙ୍କ ପରିବେଶ ପ୍ରୀତି: ୫୬୦ ହେକ୍ଟର ଜମିରେ ସୃଷ୍ଟି କରିଛନ୍ତି ସବୁଜ ବନାନୀ

ଅନୁଗୁଳ: ‘ଜଙ୍ଗଲ ନୁହଁଇ ଜୀବନ ଆମର ନିଶ୍ବାସର ଘର… ତାଆରି ବିହୁନେ ଜୀବନ ହୋଇଯିବ ନାରଖାର।’ ଏମିତି ସ୍ବରଚିତ କବିତାକୁ ଗାଇ ଜଙ୍ଗଲ ସୁରକ୍ଷା ଲାଗି ଅହର୍ନିଶ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଥିବା ଦେହୁରୀ ମାଉସୀ ଏବେ ସବୁଠି ଚର୍ଚ୍ଚିତ ଓ ପ୍ରଶଂସିତ। ଯେତେବେଳେ ସାରା ବିଶ୍ବରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଉଛି ସେତେବେଳେ ୭୫ ବର୍ଷୀୟା ଦେହୁରୀ ମାଉସୀଙ୍କ କଥା ସ୍ବତଃ ଆଲୋଚନାର ପରିସରକୁ ଅାସିଥାଏ। ପରିବେଶ ଓ ଜଙ୍ଗଲ ସୁରକ୍ଷାକୁ ନେଇ ତାଙ୍କର ଅବଦାନ ସବୁଠି ଚର୍ଚ୍ଚାର ବିଷୟ। ସେ ହେଉଛନ୍ତି ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍‌ କୁଇଓ ଅଞ୍ଚଳର ସୁବର୍ଣ୍ଣ ଦେହୁରୀ (୭୫) ବା ଦେହୁରୀ ମାଉସୀ। ୪୦ ବର୍ଷ ପୂର୍ବେ ଯେଉଁ ସ୍ଥାନ ଥିଲା ଟାଙ୍ଗରା ଭୂଇଁ, ସେଠି ଏବେ ତାଙ୍କ ପ୍ରଚେଷ୍ଟାରେ ଠିଆ ହୋଇଛି ଆକାଶକୁ ଛୁଇଁଲା ଭଳି ବିଶାଳ ଶାଳଗଛ। ଜଙ୍ଗଲ ସୁରକ୍ଷା ଲାଗି ସେ ଲୋକଙ୍କୁ ବୁଝାଇବା ସହ ବିଭିନ୍ନ ଲେଖା ମାଧ୍ୟମରେ ସଚେତ‌ନ କରୁଛନ୍ତି। ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପରିବେଶ ପ୍ରତି ଭଲପାଇବା ବଢ଼ିଛି। ସେଠାରେ ଏବେ ୫୬୦ ହେକ୍ଟର୍‌ ଜାଗାରେ ଘଞ୍ଚ ଜଙ୍ଗଲ ଦେଖିବାକୁ ମିଳିଛି।

୬୦ ଦଶକରେ କୁଇଓ ଗାଁକୁ ବୋହୂ ହୋଇ ଆସିଥିଲେ ସୁବର୍ଣ୍ଣ ଦେହୁରୀ। ସେବେଠୁ ଗ୍ରାମର ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ସେ ଭାଗ ନେଇଥିଲେ। ପିଲାଟି ଦିନରୁ ବଣ ଜଙ୍ଗଲ ପ୍ରତି ତାଙ୍କର ଦୁର୍ବଳତା ଥିଲା।କୁଇଓ ସଂରକ୍ଷିତ ଜଙ୍ଗଲକୁ ସୁରକ୍ଷା ଦେବାପାଇଁ ସେ ଅଣ୍ଟା ଭିଡ଼ିଥିଲେ। ୪୦ବର୍ଷ ହେଲା କୁଇଓ ଜଙ୍ଗଲ କମିଟି ଓ ୨୦ ବର୍ଷ ହେଲା କାଉଁଶିତଇଳା ବନ ସୁରକ୍ଷା ସମିତିର ସଦସ୍ୟା ଭାବେ ସେ କାର୍ଯ୍ୟ କରିଆସୁଛନ୍ତି। ସେ ସୃଷ୍ଟି କରିଥିବା ଜଙ୍ଗଲରେ ୯୦ ପ୍ରତିଶତ ଶାଳଗଛ ଥିବା ବେଳେ ମହୁଲ, କେନ୍ଦୁ, ଜାମୁ ଗଛ ବି ରହିଛି। ସେଥିରୁ ସେମାନେ ଆବଶ୍ୟକୀୟ ବନ୍ୟଜାତ ଦ୍ରବ୍ୟ ପାଇପରୁଛନ୍ତି। ସେ କୁଇଓ ଗ୍ରାମର ମହିଳା ଓ ଯୁବ‌ଗୋଷ୍ଠୀଙ୍କ ପ୍ରେରଣା ପାଲଟିଛନ୍ତି। ପରିବେଶ ଓ ପ୍ରକୃତିର ସୁରକ୍ଷା ନେଇ ଗତ ୧୫ବର୍ଷ ହେଲା ସଚେତନତା ସୃଷ୍ଟି କରୁଥିବା କବିତା ଲେଖୁଛନ୍ତି। ନିଜେ ସେ କବିତାକୁ ଗାଇ ସ୍କୁଲ୍‌ ଓ କଲେଜର ଛାତ୍ରଛାତ୍ରୀଙ୍କୁ ସବୁଜ ବନାନୀର ମହତ୍ବ ବିଷୟରେ ବୁଝାଉଛନ୍ତି। ମାଟି ମାଆ ସୁରକ୍ଷା, ଜଙ୍ଗଲ ସୁରକ୍ଷା, ପ୍ରଦୂଷଣମୁକ୍ତ ପରିବେଶ, ବନ୍ୟପ୍ରାଣୀ ସଂରକ୍ଷଣ ଉପରେ ସେ ଶହେରୁ ଅଧିକ କବିତା ଲେଖିଲେଣି। ତାଙ୍କର ଶିକ୍ଷାଗତ ଯୋଗ୍ୟତା ସପ୍ତମ ହୋଇଥିଲେ ମଧ୍ୟ ପରିବେଶ ସମ୍ପର୍କିତ ତାଙ୍କ କବିତା ପଢ଼ି ସବୁସ୍ତରର ବ୍ୟକ୍ତି ତାଙ୍କୁ ପ୍ରଶଂ‌ସା କରିଆସୁଛନ୍ତି। ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା ପାଇଁ ସୁବର୍ଣ୍ଣ ୨୦୧୨ ମସିହାରେ ପ୍ରକୃତିବନ୍ଧୁ ପୁରସ୍କାର ପାଇଛନ୍ତି। ସେହିପରି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସେ ଅନେକଥର ପୁରସ୍କୃତ ମଧ୍ୟ ହୋଇଛନ୍ତି।

ସମ୍ବନ୍ଧିତ ଖବର