ଦିଲ୍ଲୀ ଓ କୋଲକାତାରେ ତେଲକୋଇ ଆମ୍ବର ଚାହିଦା, ଚାଷୀଙ୍କୁ ମିଳୁନି ଫାଇଦା

ବଜାର, ବୀମା ବ୍ୟବସ୍ଥା ନାହିଁ; ଶୀତଳଭଣ୍ଡାର, ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍‌ ହେଉନି

ତେଲକୋଇ : କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍‌ର ଚାଷୀମାନେ ଉଦ୍ୟାନ କୃଷି କରି ସ୍ବାବଲମ୍ବୀ ହୋଇଛନ୍ତି। ଏହାର ମାଟି ଓ ଜଳବାୟୁ ଆମ୍ବ ଏବଂ କାଜୁଚାଷ ପାଇଁ ବେଶ ଉପଯୋଗୀ। ଯେଉଁଥିପାଇଁ ସ୍ଥାନୀୟ ଲୋକେ ଉଦ୍ୟାନ କୃଷିକୁ ଅଧିକ ଗୁରୁତ୍ବ ଦେଉଛନ୍ତି। ଏଥିପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ତେଲକୋଇ। ଚଳିତବର୍ଷ ତେଲକୋଇ ବ୍ଲକ୍‌ର ବିଭିନ୍ନ ସ୍ଥାନରେ ପ୍ରଚୁର ଆମ୍ବ ହୋଇଛି। ଦିଲ୍ଲୀ ଓ କୋଲକାତାରେ ତେଲକୋଇ ଆମ୍ବର ଚାହିଦା ରହିଛି। ତେବେ ଉପଯୁକ୍ତ ବଜାର ବ୍ୟବସ୍ଥା ନଥିବାବେଳେ ଶୀତଳଭଣ୍ଡାର ଓ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍‌ ହେଉନଥିବାରୁ ଚାଷୀମାନେ ଉପଯୁକ୍ତ ଲାଭ ପାଉନାହାନ୍ତି।

ଜିଲ୍ଲାର ଉପାନ୍ତ ତେଲକୋଇ ଅଞ୍ଚଳ ଦିନେ ସବୁଠାରୁ ଅନୁନ୍ନତ ଥିଲା। କେବଳ ପାରମ୍ପରିକ ପଦ୍ଧତିରେ ଧାନ, ଡାଲି ଓ ତୈଳବୀଜ ଫସଲ ଚାଷ ହେଉଥିଲା। କିଛିବର୍ଷ ହେଲା ଉଦ୍ୟାନ କୃଷି ଦ୍ବାରା ସ୍ଥାନୀୟ ଲୋକେ ସ୍ବାବଲମ୍ବୀ ହେଉଥିବା ପରୀଲକ୍ଷିତ ହେଉଛି। ତେଲକୋଇ ଅଞ୍ଚଳର ମୋଟ ଚାଷଜମି ୧୬ ହଜାର ୫ଶହ ହେକ୍ଟର। ସେଥିରୁ ୯ ହଜାର ୫୪୯ ହେକ୍ଟର ଜମିରେ ଧାନଚାଷ କରାଯାଏ। ବଳକା ୬ ହଜାର ୯୫୧ ହେକ୍ଟର ଜମିରେ ଅର୍ଥକାରୀ ଓ ଉଦ୍ୟାନ କୃଷି କରାଯାଇଥାଏ। ଉଦ୍ୟାନ ବିଭାଗ, ମୃତ୍ତିକା ସଂରକ୍ଷଣ ବିଭାଗ, ବନ ବିଭାଗ, ସ୍ବେଚ୍ଛାସେବୀ ସଂଗଠନ, ବ୍ୟକ୍ତିଗତ ତଥା ବିଭିନ୍ନ ସରକାରୀ ଯୋଜନାରେ ସ୍ଥାନୀୟ ଅଞ୍ଚଳରେ ୧୫୦୦ ହେକ୍ଟର ଆମ୍ବ ଓ ୫୦୦ ହେକ୍ଟରରୁ ଊର୍ଦ୍ଧ୍ବ ଜମିରେ କାଜୁ ବଗିଚା ସୃଷ୍ଟି କରାଯାଇଛି। ଏଥିସହ ପ୍ରତିବର୍ଷ କିଛି କିଛି ନୂତନ ଉଦ୍ୟାନ ସୃଷ୍ଟି କରାଯାଉଛି। ପ୍ରତିବର୍ଷ ଏଠାରୁ ହଜାରେ ଟନ୍‌ରୁ ଅଧିକ ଆମ୍ବ ରାଜ୍ୟ ବାହାରକୁ ଯାଉଛି। ଏହାର ଚାହିଦା ଦିଲ୍ଲୀ ଓ କୋଲକାତାରେ ରହିଛି।

ଚଳିତବର୍ଷ ସନ୍ତେଇଭଞ୍ଜ, ଦେଉଳଡିହା, ଉଦୟଗିରି, ଗୋଳାଗାଡ଼ିଆ, ବାଲେଶ୍ଵର, ଭୀମକାଣ୍ଡ, ଆକୁଳ, ଶିରିଗଡ଼ା, ମଲଣ୍ଡା, କାଳିଆହତା, ରାଣୀବେଡ଼ା, ରାଇସୁଆଁ, ବନବିହାରୀପୁର, ଦୁଲ୍ଲଭପୁର, କନ୍ତଲେଇ, ନୂଆଗଡ଼, ଖୁଣ୍ଟାପଡ଼ା, କମଳାଙ୍ଗ, ଶିବନାରାୟଣପୁରଗୋଡ଼ା, ଦନ୍ଦୁଆମୁଣ୍ଡା, ତେଲକୋଇ, କତରାପାଲି, ଜଟ ଗ୍ରାମରେ ପ୍ରଚୁର ପରିମାଣରେ ଦଶେରୀ, କ୍ଷୀରସାଗର, ହେମସାଗର, ବାଇଗଣପଲୀ ଆମ୍ବ ହୋଇଛି। ସ୍ଥିତି ଏମିତି ‌ଯେ, ଗଛର ଡାଳ ଓହଳି ଆମ୍ବ ଭୂୂୂଇଁରେ ଲୋଟିଛି। ଆମ୍ବର ଉପଯୁକ୍ତ ବଜାର ବ୍ୟବସ୍ଥା କି ବୀମା ବ୍ୟବସ୍ଥା ନଥିବାରୁ ଚାଷୀ ଚିନ୍ତାରେ ରହୁଛି। ସେହିପରି ଶୀତଳଭଣ୍ଡାର ଓ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍‌ ନଥିବାରୁ ଅଣଓଡ଼ିଆ ବେପାରୀମାନେ ଏଠାରୁ ଆମ୍ବ ‌ନେଇ ଦିଲ୍ଲୀ ଓ କୋଲକାତାରେ ବିକ୍ରି କରୁଛନ୍ତି। ଏହାଦ୍ବାରା ଚାଷୀଙ୍କୁ ଉଚିତ ଲାଭ ମିଳୁନି। ସରକାର ଆମ୍ବ ବିକ୍ରି ପାଇଁ ବ୍ୟବସ୍ଥା କରିବାକୁ ଚାଷୀ ଆନନ୍ଦ ପ୍ରଧାନ, ଶତ୍ରୁଘ୍ନ ନାୟକ, ମଳୟ ପ୍ରଧାନ, କୀର୍ତ୍ତନ ପ୍ରଧାନ, ଶତ୍ରୁଘ୍ନ ସାହୁ ଦାବି କରିଛନ୍ତି। ଏନେଇ ତେଲକୋଇ ସହକାରୀ ଉଦ୍ୟାନ ଅଧିକାରୀ ଅରୁଣାରାଣୀ ଓରାମଙ୍କୁ ପଚାରିବାରୁ, ୨୦୨୦-୨୧ରେ ୧୨ ହେକ୍ଟର ଜମିରେ ଜାତୀୟ ଉଦ୍ୟାନ କୃଷି ମିସନ ଯୋଜନାରେ ନୂତନ ବଗିଚା ସୃଷ୍ଟି କରାଯାଇଛି। ସରକାରଙ୍କ ପକ୍ଷରୁ ଆମ୍ବ ବିକ୍ରି ପାଇଁ ବଜାର ସୁବିଧା କରିବାର କୌଣସି ବ୍ୟବସ୍ଥା ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର