କଟକ ଜିଲ୍ଲାପାଳଙ୍କ ଚିଠିକୁ ନେଇ ଚର୍ଚ୍ଚା : ଟିକା ନନେଲେ ଦରମା‌ ବନ୍ଦ

ପଂଜୀକରଣ କରିଥିଲେ ୨୮ ହଜାର; ନେଇଛନ୍ତି ମାତ୍ର ୧୬ ହଜାର

କଟକ : ଟିକା ନନେଲେ ଦରମା ବନ୍ଦ। ଏଭଳି ଚିଠି ସବୁ ବିଭାଗକୁ ଦେଇଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ। ଗୋଟିଏ ପଟେ ଟିକା ନେବା ବାଧ୍ୟତାମୂଳକ ନୁହେଁ ବୋଲି କୁହାଯାଉଥିବାବେଳେ ଜିଲ୍ଲାପାଳଙ୍କ ଏଭଳି ଚିଠି ଏବେ ସବୁ ମହଲରେ ଚର୍ଚ୍ଚା‌ର ପ୍ରସଙ୍ଗ ହୋଇଛି। ରାଜ୍ୟରେ ସର୍ବାଧିକ ୨୮ ହଜାର ୫୦୪ ଜଣ ସ୍ବାସ୍ଥ୍ୟକର୍ମୀ କଟକ ଜିଲ୍ଲାରୁ ଟିକା ପାଇଁ ପଂଜିକରଣ କରିଥିଲେ। କିନ୍ତୁ ଆଜି ସୁଦ୍ଧା ଜିଲ୍ଲାରୁ ମାତ୍ର ୧୬ ହଜାର ୫୯୨ ଜଣ ସ୍ବାସ୍ଥ୍ୟକର୍ମୀ ଟିକା ନେଇଛନ୍ତି। ସମୟସୀମା ଆଉ ୫ଦିନ ଭିତରେ ପଂଜିକରଣ କରିଥିବା ୧୨ ହଜାର ସ୍ବାସ୍ଥ୍ୟ କର୍ମଚାରୀ ଟିକା ନେବେ କି ନାହିଁ ତାହାକୁ ନେଇ ଆଶଙ୍କା ପ୍ରକାଶ ପାଇଛି।

ଟାଣିଓଟାରି ଯେତେ ଉଦ୍ୟମ କଲେ ବି ଟିକାକରଣ ତ୍ବରାନ୍ବିତ ହୋଇପାରୁନି କଟକ ଜିଲ୍ଲାରେ। ଏଭଳି ସ୍ଥିତିରେ ଧାର୍ଯ୍ୟ ତାରିଖ ଥିବା ଫେବ୍ରୁଆରି ୧୦ ତାରିଖ ସୁଦ୍ଧା ପଂଜିକରଣ କରିଥିବା ଅଙ୍ଗନବାଡି କର୍ମୀ, ସ୍ବାସ୍ଥ୍ୟକର୍ମୀ ଯଦି ଟିକା ନ ନିଅନ୍ତି ତେବେ ସେମାନଙ୍କ ସେହି ମାସର ଦରମା ବନ୍ଦ ରଖିବାକୁ ଜିଲ୍ଲାପାଳ ସିଏମ୍‌ସି କମିଶନର, ଏସ୍‌ସିବି ମେଡିକାଲ କଲେଜର ଅଧ୍ୟକ୍ଷ, ଅଧୀକ୍ଷକ, ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ନିର୍ଦ୍ଦେଶକ, ଶିଶୁଭବନ ଅଧୀକ୍ଷକ, ସିଡିଏମ୍ଓ ଓ ସବୁ ମେଡିକାଲ ଅଫିସରଙ୍କ ସମେତ ଡିଏସ୍‌ଡବ୍ଲୁଓଙ୍କୁ ଚିଠି କରିଛନ୍ତି। ଚିଠିରେ ଉଲ୍ଲେକ କରାଯାଇଛି ଯେ ଅନେକ ସ୍ବାସ୍ଥ୍ୟକର୍ମୀ, ଅଙ୍ଗନବାଡି କର୍ମୀ ପଂଜିକରଣ କରିଥିଲେ ସୁଦ୍ଧା ଟିକା ନେବାକୁ ଆସୁନଥିବାରୁ କଟକ ଜିଲ୍ଲା କୋଭିଡ୍‌ -୧୯ ଟିକାକରଣ କାର୍ଯ୍ୟକ୍ରମରେ ପଛେଇ ଯାଇଛି। ଏହା ଜିଲ୍ଲା ପାଇଁ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଛି। ତେଣୁ ସେମାନଙ୍କୁ ଟିକାକରଣ ନିମନ୍ତେ ସଚେତନ କରାଇବା ସହ ‌ସମସ୍ତେ ଫେବ୍ରୁଆରି ୧୦ ତାରିଖ ସୁଦ୍ଧା ଯେମିତି ଟିକା ନେବେ, ସେ ଦିଗରେ ପଦକ୍ଷେପ ନେବା ଆବଶ୍ୟକ। ଯଦି ସେମାନେ ଟିକା ନ ନିଅନ୍ତି ତାହେଲେ ସେମାନଙ୍କର ଦରମା, ଭତ୍ତା ସବୁକୁ ବନ୍ଦ କରିବା ପାଇଁ ଜିଲ୍ଲାପାଳ ଚିଠି (ନଂ ୯୪, ତା ୪/୨/୨୦୨୦)ରେ ନିର୍ଦ୍ଦେଶ ଜାରି କରିଛନ୍ତି।
ସୂଚନା ଅନୁଯାୟୀ ଜିଲ୍ଲାରେ ଏସ୍‌ସିବିରେ ସର୍ବାଧିକ ୪ହଜାର ୧୪୮ଜଣ ଟିକା ନେଇଥିବାବେଳେ କାନପୁର ସ୍ବାସ୍ଥ୍ୟ କେନ୍ଦ୍ରରେ ସବୁଠାରୁ କମ୍‌ ୨୦୮ଜଣ ଟିକା ନେଇଛନ୍ତି। ସେହିପରି ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରୁ ୫୩୫ଜଣ, ସିଡିଏ ସ୍ବାସ୍ଥ୍ୟ କେନ୍ଦ୍ରରେ ୬୪୧, ସିଟି ହସ୍ପିଟାଲରେ ୫୩୯, ଶିଶୁଭବନରେ ୩୬୭, ଓଡିଆବଜାର ସ୍ବାସ୍ଥ୍ୟକେନ୍ଦ୍ରରେ ୫୧୫, ଜଗତ୍‌ପୁର ସ୍ବାସ୍ଥ୍ୟକେନ୍ଦ୍ରରେ ୫୩୮, ମହୀଧରପଡାରେ ୩୮୨, ଆଠଗଡ଼ରେ ୪୩୫, ବଡମ୍ବାରେ ୫୬୮, ବେଣ୍ଟକାରରେ ୪୦୦, ବାଙ୍କୀରେ ୬୭୪, ଡମପଡାରେ ୪୨୮, କଣ୍ଟାପଡାରେ ୪୧୨, ମାହାଙ୍ଗାରେ ୭୧୭, ନିଆଳିରେ ୫୯୮, ନିଶ୍ଚିନ୍ତକୋଇଲିରେ ୫୫୪, ସାଲେପୁରରେ ୭୦୧, ଟାଙ୍ଗୀରେ ୯୪୧, ତିଗିରିଆରେ ୩୧୪ଜଣ ଟିକା ନେଇଛନ୍ତି। ସେହିପରି ବିଭିନ୍ନ ଘରୋଇ ହସ୍ପିଟାଲ ଓ ଲାବ୍‌ରେ ୧୯୭୭ଜଣ ସ୍ବାସ୍ଥ୍ୟକର୍ମୀ କରୋନା ଟିକା ନେଇଥିବା ଜିଲ୍ଳା ସ୍ବାସ୍ଥ୍ୟ ବିଭାଗ ତଥ୍ୟରୁ ଜଣାପଡିଛି।

ସମ୍ବନ୍ଧିତ ଖବର