ମାଲକାନଗିରି: ହାତ ଗଣତି କିଛି ବର୍ଷ ତଳକୁ ଯଦି ଫେରିଯିବା ତେବେ ମାଲକାନଗିରି ଜିଲ୍ଲାରେ ନକ୍ସଲଙ୍କ ହିଂସା ପ୍ରୟାତଃ ପ୍ରତିଦିନ ଦେଖିବାକୁ ମିଳିଥିଲା। ପୁଲିସ ଏବଂ ବିଏସଏଫର ନିଦ ହଜାଇ ଦେଇଥିଲେ ନକ୍ସଲ। ଜିଲ୍ଲାର ଗୋଟିଏ କୋଣରେ ହତ୍ୟା ହେଉଥିବା ବେଳେ ଆଉ ଏକ କୋଣରେ ଅପହରଣ ଓ ଲୁଟପାଟ ଚାଲିଥିଲା। ତ୍ରାହୀ ତ୍ରାହୀ ଡାକ ଛାଡୁଥିଲେ ଲୋକେ। ପୁଲିସ ଲୋକଙ୍କୁ ସୁରକ୍ଷା ଦେବାରେ ଏକ ପ୍ରକାର ବିଫଳ ହୋଇଥିଲା। କିନ୍ତୁ ଏବେ ପରିସ୍ଥିତି ସଂପୂର୍ଣ୍ଣ ବଦଳି ଯାଇଛି। ଜିଲ୍ଲାରେ ନକ୍ସଲଙ୍କ ଉପଦ୍ରବ ଆଦୌ ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ। ଜିଲ୍ଲାରେ ଶାନ୍ତି ଫେରିଥିବା ଆଜି ଏସପି ନୀତିଶ ଵାଧଵାନି ସମ୍ବାଦ ସହ ସାକ୍ଷାତକାରରେ ପ୍ରକାଶ କରିଥିଲେ। ଦିନେ ଜିଲ୍ଲାର କାଲିମେଳା ଦଲମର ଆଗଧାଡିର ମାଓ ନେତ୍ରୀ ରାଧା ମାଡକାମୀ ପୁଲିସର ନିଦ ହଜାଇ ଦେଇଥିବା ବେଳେ ହିଂସା ପଥରେ ଯାଇ ଲୋକଙ୍କୁ ହତ୍ୟା, ଲୁଟପାଟ ଏବଂ ମାରଧର କରୁଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ପଡିଆ ଦଲମର ଜଣେ ପାର୍ଟି ମେମ୍ବର ଭାବେ ଦୀର୍ଘଦିନ ଧରି କାମ କରିଥିବା ନାଙ୍ଗି କାବାସୀ ମଧ୍ୟ ଲୋକଙ୍କ ମନରେ ଭୟ ଜାତ କରିବାରେ ସଫଳ ହୋଇଥିଲା।ଦୁହେଁ ମହିଳା ମାଓବାଦୀ ସଂଗଠନରେ ହେଉଥିବା ନାରି ନିର୍ଯାତନାକୁ ସହ୍ୟ କରିନପାରି ସଂଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲ ହୋଇଥିଲେ। ଆଜି ନିଜର ଜୀବନକୁ ସେମାନେ ମଧ୍ୟ ବେଶ ଉପଭୋଗ କରୁଛନ୍ତି। ରାକ୍ଷୀ ପୂର୍ଣ୍ଣିମା ଅବସରରେର ଦୁହେଁ ଏସପି ନୀତିଶ ଵାଧଵାନିଙ୍କୁ ରାକ୍ଷୀ ବାନ୍ଧି ଏକତାର ଏବଂ ଭାଇଭଉଣୀର ସଂପର୍କର ନିବିଡତାକୁ ଦର୍ଶାଇଛନ୍ତି।
ଦିନ ଥିଲା ଏହି ପୁଲିସ ସହ ବନ୍ଧୁକ ଗୁଳିରେ ସାମ୍ନାସାମ୍ନି ହେଉଥିଲେ। କିନ୍ତୁ ଆଜି ମାଓ ପଥ ଛାଡି ଆସିଥିବା ଏହି ମହିଳାମାନେ ନିଜକୁ ଧନ୍ୟ ମନେ କରୁଥିବା କହିଥିଲେ।ଯେଉଁ ପୁଲିସକୁ ଆମେ ଶତ୍ରୁ ବୋଲି କହୁଥିଲୁ, ସେମାନେ କେତେ ଯେ ଆମର ମିତ୍ର ତାହା ଏବେ ଜାଣିପାରୁଛୁ ବୋଲି ଏମାନେ କହନ୍ତି। ଏଇ ହାତରେ ଆମେ ନିରୀହ ପୁଲିସକୁ ଗୁଳି କରି ହତ୍ୟା କରୁଥିଲୁ। ଆଜି କିନ୍ତୁ ଏହି ହାତରେ ସେହି ପୁଲିସ ଭାଇଙ୍କୁ ରାକ୍ଷୀ ବାନ୍ଧି ପୂର୍ବରେ କରିଥିବା ପାପକୁ ଧୋଉଛୁ। ଆଜିର ଏହି ପବିତ୍ର ବନ୍ଧନରେ ଆମ୍ଭେ ଅନ୍ୟ ଭଉଣୀମାନଙ୍କୁ ଅନୁରୋଧ କରୁଛୁ ଯେ ହିଂସା ଛାଡି ମୁଖ୍ୟସ୍ରୋତରେ ସାମିଲ ହୋଇ ନିଜର ଜୀବନକୁ ଉପଭୋଗ କରନ୍ତୁ। ପୁଲିସ କେବେ ମଧ୍ୟ କାହାର ଅନ୍ୟାୟ କରୁନାହିଁ।ଜଂଗଲ ଛାଡି ସହର ଆସନ୍ତୁ ପୁଲିସ ସମସ୍ତଙ୍କୁ ସହଯୋଗ କରିବ। ବନ୍ଧୁକ ଛାଡି କଲମ ଏବଂ କୋଦାଳ ଧରିବା ବୋଲି ଏହି ମହିଳା ମାଓବାଦୀମାନେ ଅନ୍ୟ ସାଥୀମାନଙ୍କୁ ନେହୁରା ହୋଇ କହିଥିଲେ। ଏସପି ଶ୍ରୀ ଵାଧଵାନୀ ମଧ୍ୟ ସମସ୍ତ ନକ୍ସଲମାନଙ୍କୁ ଘରକୁ ଫେରିଆସିବାକୁ ଅନୁରୋଧ କରିଥିଲେ। ସେମାନଙ୍କୁ ସରକାରଙ୍କର ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯିବା ସହ ବଞ୍ଚିବାର ରାହା ଦେଖାଇଦିଆଯିବ ବୋଲି କହିଥିଲେ।
ବିଏସଏଫ ପାଳିଲେ ରକ୍ଷା ବନ୍ଧନ
ଆଜି ସରକାରଙ୍କର ସମସ୍ତ ଯୋଜନାରେ ମୁଁ ସାମିଲ ରହିବା ସହ ସମସ୍ତ ପର୍ବପର୍ବାଣୀରେ ପରିବାର ସହ ପାଳନ କରିପାରୁଛି। ପଥଭ୍ରଷ୍ଟ ହୋଇ ବହୁ ଯୁବକଯୁବତୀ ଏଭଳି ହିଂସା ପଥକୁ ଆପଣେଇ ନେଉଛନ୍ତି, ଯାହାଫଳରେ ସେମାନଙ୍କର ଅକାଳରେ ମୃତ୍ୟୁ ଘଟୁଛି, ସିନା କୌଣସି ଉନ୍ନତି ନା ପରିବାରର ହେଉଛି ନା ଦେଶର ହେଉଛି। ଜଂଗଲରେ ଥିବା ବେଳେ ପିଲା ଜନ୍ମ କରିବା ବେନିୟମ ଥିଲା।
ଆଜି କିନ୍ତୁ ମୋର ଗୋଟିଏ ପୁଅ ରହିଛି। ତାକୁ କିପରି ଭଲ ମଣିଷ କରିବି ସେହି ଚିନ୍ତାରେ ଆମେ ଦମ୍ପତି। ଆମ କଥା ସେ ଯେତେବେଳେ ଜାଣିବ ସେ କଣ ଭାବିବ, ତାହା ମୁଁ ଆଜି ଚିନ୍ତା କରୁଛି। ତେଣୁ ସମସ୍ତ ଭାଇଭଉଣୀକୁ ଅନୁରୋଧ କରୁଛି ଯେ ବନ୍ଧୁକ ଛାଡି କୋଦାଳ ଧରି ନିଜର ବାକି ଜୀବନ ସୁଖରେ କଟାନ୍ତୁ।