ଘୁଞ୍ଚିଲା ଜେଇଇ ମେନ୍‌: ଜୁନ୍‌, ଜୁଲାଇରେ ହେବ ପରୀକ୍ଷା

ଭୁବନେଶ୍ବର: ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ଲାଗି ଅନୁଷ୍ଠିତ ହେବାକୁ ଥିବା ଜେଇଇ ମେନ୍‌ ସେସନ୍‌-୧ ଓ ସେକ୍ସନ-୨ ପରୀକ୍ଷା ଘୁଞ୍ଚାଇ ଦିଆଯାଇଛି। ଛାତ୍ରଛାତ୍ରୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଯଥାକ୍ରମେ ଏପ୍ରିଲ ଓ ମେ’ ମାସରେ ହେବାକୁ ଥିବା ଉକ୍ତ ଦୁଇ ସେସନ୍‌ ପରୀକ୍ଷା ଜୁନ୍‌ ଓ ଜୁଲାଇ ମାସରେ କରିବାକୁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏନ୍‌ଟିଏ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଏପ୍ରିଲ ୨୧ରୁ ମେ’ ୪ ମଧ୍ୟରେ ହେବାକୁ ଥିବା ସେସନ୍‌-୧ ପରୀକ୍ଷା ଜୁନ୍‌ ୨୦ରୁ ୨୯ ମଧ୍ୟରେ ଅନୁଷ୍ଠିତ ହେବ। ସେହିପରି ମେ’ ୨୪ରୁ ୨୯ ଯାଏ ହେବାକୁ ଥିବା ସେସନ୍‌-୨ ପରୀକ୍ଷା ଜୁଲାଇ ୨୧ରୁ ୩୦ ମଧ୍ୟରେ କରାଯିବ। ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ ଓ ପରୀକ୍ଷା ହେବାକୁ ଥିବା ସହର ସମ୍ପର୍କରେ ପରବର୍ତୀ ସମୟରେ ପରୀକ୍ଷାର୍ଥୀଙ୍କୁ ସୂଚନା ଦିଆଯିବ। ସେସନ୍‌-୧ ପରୀକ୍ଷା ଲାଗି ପଞ୍ଜୀକରଣ ଇତିମଧ୍ୟରେ ଶେଷ ହୋଇଛି ଏବଂ ସେସନ୍‌-୨ ପାଇଁ ଅନ୍‌ଲାଇନ୍‌ ଆବେଦନ ଫର୍ମ ଖୁବ୍‌ଶୀଘ୍ର ଉପଲବ୍ଧ ହେବ ବୋଲି ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି। ପରୀକ୍ଷା ବିଷୟରେ ସବିଶେଷ ତଥ୍ୟ ଜାଣିବା ଲାଗି ଛାତ୍ରଛାତ୍ରୀ ଏନ୍‌ଟିଏ ୱେବସାଇଟ୍‌ ପରିଦର୍ଶନ କରିବାକୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର