ରୁକୁଣା ରଥଯାତ୍ରା : ରଥ ଉପରେ ରହିବେ କମ୍ ସେବାୟତ
ପୁରୁଣା ଭୁବନେଶ୍ୱର: ଆସନ୍ତା ୯ତାରିଖରେ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥାଯାତ୍ରା। ଏଥିପାଇଁ ଆଜି ସ୍ଥାନୀୟ ମା’ କଲ୍ୟାଣ ମଣ୍ଡପରେ ପୁଲିସ କମିସନରଙ୍କ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁଲିସ କମିସନର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ଯାତ୍ରାର ସୁରକ୍ଷା ଦିଗ ସମ୍ପର୍କରେ ଆଲୋଚନା କରିଥିଲେ। ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ରଥ ପ୍ରତିଷ୍ଠା ଦିନ ଠାରୁ ବାହୁଡ଼ାଯାତ୍ରା ପର୍ଯ୍ୟନ୍ତ ବିଭିନ୍ନ ସୁରକ୍ଷା ବ୍ୟବସ୍ଥା ଓ ଆଇନ ଶୃଙ୍ଖଳା ସଂପର୍କରେ ଆଲୋଚନା ହୋଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ରଥ ପ୍ରତିଷ୍ଠା ଦିନ ଅର୍ଥାତ ୮ତାରିଖରୁ ପୁଲିସ ରଥକୁ ସୁରକ୍ଷା ଯୋଗାଇବ। ମହାପ୍ରଭୁ ମନ୍ଦିରକୁ ପ୍ରବେଶ ପର୍ଯ୍ୟନ୍ତ ସ୍ବର୍ଣ୍ଣାଦ୍ରି ବିଜେ ପର୍ଯ୍ୟନ୍ତ ପୁଲିସ ରଥ ଯାତ୍ରାରେ ଅଧିକ ସୁରକ୍ଷା ବ୍ୟବସ୍ଥା କରିବ। ରଥ ପ୍ରତିଷ୍ଠା ଦିନ କେଦାରଗୌରୀ ମରିଚି କୁଣ୍ଡଠାରେ, ମହାଖଳାରେ ରାମେଶ୍ବର ମନ୍ଦିରଠାରେ ପୁଲିସ ଫୋର୍ସ ରହି ଯାତ୍ରାରେ ଆଇନ ଶୃଙ୍ଖଳା ଉପରେ ନଜର ରଖାଯିବ ବୋଲି କୁହାଯାଇଛି। ଯାତ୍ରାରେ ତିନି ସିପ୍ଟିରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବ ବୋଲି କମିସନରେଟ୍ ପୁଲିସ ପକ୍ଷରୁ କୁହାଯାଇଛି। ଯାତ୍ରା ଦିନ ରାମେଶ୍ୱର ଛକ, ଇଲେକ୍ଟ୍ରି ଅଫିସ ଛକ, କେଦାରଗୌରୀ ଛକ, ବଢ଼େଇବାଙ୍କ ଛକଠାରୁ ରାସ୍ତା ସିଲ୍ କରାଯିବ ବୋଲି କୁହାଯାଇଛି। ସେହିପରି ଯାତ୍ରାରେ ସାଦା ପୋଷାକଧାରୀ, ମହିଳା ପୁଲିସ ରହିବା ସହ ସର୍ବଦା ପିସିଆର୍ ଭ୍ୟାନ୍ ରଥ ପାଖରେ ଓ ମନ୍ଦିର ପାଖରେ ରହିବ। ରଥକୁ ଗୋଟିଏ ଦିନରେ ମାଉସୀ ମା’ ମନ୍ଦିରକୁ ଆଣିବା ପାଇଁ ଉଦ୍ୟମ କରାଯିବ। ସେହିପରି ରଥ ଉପରେ ଓ ରଥ ପାଖରେ ଅଧିକ ଲୋକ ରହୁଥିବାରୁ ସ୍ବତନ୍ତ୍ର ନଜର ରଖାଯିବ। ରଥ ଉପରେ କମ୍ ସେବାୟତ ରହିବା ପାଇଁ ନିଯୋଗ ପ୍ରତିନିଧିଙ୍କୁ ଅନୁରୋଧ କରାଯାଇଛି।
ରଥ ସମ୍ମୁଖରେ ଅଧିକ ସେବାୟତ ରହୁଥିବାରୁ ଦୂରରୁ ଠାକୁରଙ୍କୁ ଦର୍ଶନ କରି ହେଉନାହିଁ। ଠାକୁରଙ୍କ ସମ୍ମୁଖରେ ଯେପରି କେହି ନରୁହନ୍ତି ସେଥିପ୍ରତି ଧ୍ୟାନ ଦିଆଯିବ। ରଥ କର୍ଡନ୍ ଭିତରକୁ ଯେପରି ଅଧିକ ଲୋକ ନଆସନ୍ତି ସେଥିପାଇଁ ମଧ୍ୟ ଧ୍ୟାନ ଦିଆଯିବ। ତେବେ ରଥ ପାଖରେ ମହାରଣା ସେବାୟତ ଓ କରଡ଼ା ସେବାୟତ ଓ ମନ୍ଦିର କର୍ମଚାରୀଙ୍କୁ କମିସନରେଟ୍ ପୁଲିସ ପକ୍ଷରୁ ଚିହ୍ନଟ କରାଯିବ। ସେହିପରି ରଥଯାତ୍ରା ଦିନ ଓ ବାହୁଡ଼ା ଦିନ ରଥ ଦାଣ୍ଡରେ ଗାଡ଼ି ପାର୍କିଂ ଯୋଗୁ ରଥ ଯିବା ବେଳେ ଗାଡ଼ି ଗୁଡ଼ିକ କାଢ଼ିବା ପାଇଁ ସମସ୍ୟା ହେଉଛି। ଏଗୁଡ଼ିକ ପୂର୍ବରୁ ବାହାର କରିବା ପାଇଁ ମାଇକ୍ ଯୋଗେ ଘୋଷଣା କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଏହି ବୈଠକରେ ବିଧାୟକ ସୁରେଶ କୁମାର ରାଉତରାୟ, ଡିସିପି ଉମାଶଙ୍କର ଦାଶ, ଟ୍ରାଫକ୍ ଡିସିପି କେକେ ପାଣିଗ୍ରାହୀ, ଟ୍ରାଫିକ୍ ଏସିପି ସ୍ବସ୍ତିକ ପଣ୍ଡା, କର୍ପୋରେଟର ବିରଞ୍ଚି ନାରାୟଣ ମହାସୁପକାର, ନୃପେଶ ନାୟକ, ଶିବ ପ୍ରସାଦ ବେହେରା, ଚନ୍ଦ୍ରଶେଖର ମଲିଆ, କମଳାକାନ୍ତ ବଡ଼ୁ, ସରୋଜ ମିଶ୍ର, ମନ୍ଦିର ସୁପରଭାଇଜର ରାଜକିଶୋର ମହାପାତ୍ରଙ୍କ ସମେତ ସମସ୍ତ ଅତିରିକ୍ତ ଡିସିପି, ଏସିପି, ଥାନା ଅଧିକାରୀ ଉପସ୍ଥିତ ଥିଲେ।