ଓଡ଼ିଶାର ପ୍ରଗତି ପାଇଁ ଡବଲ ଇଞ୍ଜିନ ସରକାର ଲୋଡ଼ା : ଧର୍ମେନ୍ଦ୍ର

ଆଠମଲ୍ଲିକରେ ‘ଗରିବ କଲ୍ୟାଣ ସମାବେଶ’

ଆଠମଲ୍ଲିକ : ଓଡ଼ିଶାର ବିକାଶ କେବଳ ମୋଦୀଙ୍କ ନେତୃତ୍ବରେ ସମ୍ଭବ। ଆଠମଲ୍ଲିକ ତଥା ଓଡ଼ିଶାର ଉନ୍ନତି ପାଇଁ ଏଠାରେ ଡବଲ ଇଞ୍ଜିନ ସରକାରର ଆବଶ୍ୟକତା ରହିଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଶୁକ୍ରବାର ଦିନ ମୋଦୀ ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ଆଠମଲ୍ଲିକରେ ଆୟୋଜିତ ‘ଗରିବ କଲ୍ୟାଣ ସମାବେଶ’ରେ ଯୋଗଦେଇଥିଲେ। ଏହି ଅବସରରେ ସେ ରାଜ୍ୟ ସରକାରକୁ ଟାର୍ଗେଟ୍‌ କରିବା ସହ ମୋଦୀଙ୍କ ସମୟରେ ହିଁ ଦେଶର ବିକାଶ ଓ ଅର୍ଥନୀତି ନୂଆ ଉଚ୍ଚତାରେ ପହଞ୍ଚିଛି ଓ ଆଭ୍ୟନ୍ତରୀଣ ସୁରକ୍ଷା ସୁଦୃଢ଼ ହୋଇଥିବା କହିଥିଲେ। ଏଥିସହିତ, ସେ କେନ୍ଦ୍ରୀୟ ସହାୟତାର ଏକ ଚିତ୍ର ଦେଇଥିଲେ। ସେ କହିଥିଲେ, ପଞ୍ଚଦଶ ଅର୍ଥ କମିସନ, ଖଣି ରାଜସ୍ୱ, ଡିଏମ୍‌ଏଫ, ଜାତୀୟ ରାଜପଥ, ରେଳପଥ, ବିମାନବନ୍ଦର, ଡିଜିଟାଲ ଇଣ୍ଡିଆରେ ଓଡ଼ିଶାକୁ ମୋଦୀ ସରକାରଙ୍କ ପକ୍ଷରୁ ବ୍ୟାପକ ଅନୁଦାନ ମିଳିଛି। ପଞ୍ଚଦଶ ଅର୍ଥ କମିସନରେ ଓଡ଼ିଶା ୨.୨୨ ଲକ୍ଷ କୋଟି ଟଙ୍କା ପାଇଛି। ପ୍ରଧାନମନ୍ତ୍ରୀଙ୍କ ଖଣି ନୀତିରେ ସୁଧାର କାରଣରୁ ଓଡ଼ିଶା ବାର୍ଷିକ ୫୦ ହଜାର କୋଟି ଟଙ୍କା ପାଉଛି। ଜିଏସ୍‌ଟି ସଂଗ୍ରହରେ ଓଡ଼ିଶାକୁ ୨୦୨୨-୨୩ ଆର୍ଥିକ ବର୍ଷରେ ୪୯ ହଜାର ୪୪୨ କୋଟି ମିଳିଛି।

ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରି କେନ୍ଦ୍ରମନ୍ତ୍ରୀ କହିଥିଲେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାଟମାରଣା କାରଣରୁ ଆଠମଲ୍ଲିକରେ ଯୋଗ୍ୟ ଲୋକଙ୍କୁ ଘର ମିଳୁନି। ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ଇଣ୍ଡିଆରେ ଗରିବଙ୍କ ପାଇଁ ଆସୁଥିବା ଟଙ୍କା ସିଧାସଳଖ ଲାଭାର୍ଥୀଙ୍କ ବ୍ୟାଙ୍କ୍ ଖାତାକୁ ଦେବାପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରଯାଇଛି । ମାତ୍ର ସେ ନଗଦ ଅର୍ଥ ପ୍ରଦାନ କରିବାର ନିଷ୍ପତ୍ତିକୁ ନେଇ ଦୁର୍ନୀତିକୁ ପ୍ରୋତ୍ସାହନ ଦେଉଛନ୍ତି। କେନ୍ଦ୍ର ସରକାର ଲାଭାର୍ଥୀଙ୍କ ପାଇଁ ସିଧାସଳଖ ଟଙ୍କା ଦେବାର ବ୍ୟବସ୍ଥା କରିଛନ୍ତି, ହେଲେ କିନ୍ତୁ ରାଜ୍ୟ ସରକାର ଏହି ଅର୍ଥର ବାଟମାରଣା କରିବାର ବ୍ୟବସ୍ଥା କରିଛନ୍ତି।

ଆଠମଲ୍ଲିକ ମିନି ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଳା ବିଜେପି ସଭାପତି ଡିଲେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ, ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ, ପୂର୍ବତନ ସାଂସଦ ରୁଦ୍ରନାରାୟଣ ପାଣି, ବିଜେପି ନେତା କାଳନ୍ଦୀ ସାମଲ, ପୂର୍ବତନ ବିଧାୟକ ରବିନାରାୟଣ ନାଏ ପ୍ରମୁଖ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର