ବାପା ମା’ ଆଗରେ ହାଇୱା ଧକ୍କାରେ ଚାଲିଗଲା କୋମଳମତି ଶିଶୁକନ୍ୟାର ଜୀବନ

ବର୍ତ୍ତିଲେ ଦମ୍ପତି, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ରାଉରକେଲା/କୋଇଡା: ବାପା ମା’ ଆଗରେ ହାଇୱା ଧକ୍କାରେ ଚାଲିଗଲା କୋମଳମତି ଶିଶୁକନ୍ୟାର ଜୀବନ। ନିଶ୍ଚିତ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଉଭୟ ଦମ୍ପତି। ଆଜି ସଂଧ୍ୟା ପ୍ରାୟ ସାଢ଼େ ୫ଟାରେ ଲହୁଣିପଡ଼ା ବ୍ଳକ ବରସୁଆଁ ବିର୍ସାମୁଣ୍ଡା ଛକରେ ଏମିତି ଘଟଣା ଘଟିଛି। ଲହୁଣିପଡ଼ା ପୁଲିସ ଦୁର୍ଘଟଣାଗ୍ରସ୍ତ ହାଇୱାକୁ ଜବତ କରିବା ସହ ଡ୍ରାଇଭରକୁ ଥାନାରେ ଅଟକ ରଖିଛି। କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକ ରାସ୍ତାରୋକୋ କରିଥିଲେ। ସ୍ଥାନୀୟ ପୁଲିସ ଓ ସରପଞ୍ଚ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ମିଳିଥିବା ସୂଚନା ମୁତାବକ ବରସୁଆଁ ରେଲୱେ କଲୋନିର ଫଲୁନି ଘୋରାମି, ପତ୍ନୀ ସିଲା ପରିବାର ସହ ରହନ୍ତି। ତାଙ୍କର ଭିଣୋଇ ଲହୁଣିପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ଭିଣୋଇକୁ ଦେଖିବାକୁ ସିଲା ଓ ତାଙ୍କ ସ୍ବାମୀ ଶିଶୁକନ୍ୟା ଅନିଶାକୁ ଧରି ଲହୁଣିପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ। ଭିଣୋଇଙ୍କୁ ଡାକ୍ତରଖାନାରେ ଦେଖିବା ପରେ ବସ୍‌ରେ ଘରକୁ ଫେରିଥିଲେ। ସଂଧ୍ୟା ପ୍ରାୟ ସାଢ଼େ ୫ଟାରେ ବରସୁଆଁ ବିର୍ସା ମୁଣ୍ଡା ଛକରେ ବସ୍‌ରୁ ଓହ୍ଲାଇ ଘରକୁ ଚାଲି ଚାଲି ଯାଉଥିଲେ। ନୂଆବଜାର ନିକଟରେ ୧୬ ଚକିଆ ହାଇୱା (ଓଡି୧୪ଜେଡ୍‌-୪୯୨୫) ପଛରୁ ଧକ୍କା ଦେଇଥିଲା। ଦମ୍ପତି ଓ ତାଙ୍କର ଶିଶୁକନ୍ୟା ରାସ୍ତା ଉପରେ ପଡ଼ିଯାଇଥିଲେ। ହାଇୱାର ମଝି ଚକା ଶିଶୁର ମୁଣ୍ଡଉପରେ ଚଢ଼ିଯିବାରୁ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ମା’ ସିଲା ଆହତ ‌ହୋଇଥିଲେ।

ସ୍ଥାନୀୟ ଲୋକ ହାଇୱା ଡ୍ରାଇଭରକୁ ମାଡ଼ିମାରି ପୁଲିସକୁ ଜିମା ଦେଇଥିଲେ। କ୍ଷତିପୂରଣ ଦାବିରେ ରାସ୍ତାରୋକୋ କରିଥିଲେ। କ୍ଷତିପୂରଣ ନ ମିଳିବା ପର୍ଯ୍ୟସ୍ତ ରାସ୍ତାରୁ ହଟିବେ ନାହିଁ ବୋଲି ଜିଦ୍‌ ଧରିଥିଲ। ଯାହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ସ୍ଥାନୀୟ ସରପଞ୍ଚ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିଥିଲେ। ହାଇୱା ମାଲିକ ଶିଶୁର ଅନ୍ତେଷ୍ଟିକ୍ରିୟା ପାଇଁ ୫୦ ହଜାର ଟଙ୍କା ଦେବା ପରେ ରାସ୍ତାରୋକୋ ହଟିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର