କୋରେଇରେ ଲାଇନଚ୍ୟୁତ ହୋଇ ପ୍ଲାଟଫର୍ମକୁ ମାଡ଼ିଗଲା ମାଲଗାଡ଼ି: ଚାଲିଗଲା ୪ଜଣଙ୍କ ଜୀବନ

ଯାଜପୁର: ଯାଜପୁର ଜିଲ୍ଲାର କୋରେଇରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଛି। ଷ୍ଟେସନ ଦେଇ ଯାଉଥିବା  ଏକ ମାଲ୍ ଗାଡି ଲାଇନଚ୍ଯୁତ ହୋଇ ପ୍ଲାଟଫର୍ମକୁ ମାଡ଼ିଯାଇଥିଲା । ଏହାଫଳରେ ପ୍ଲାଟଫର୍ମରେ ଅନ୍ୟ ଟ୍ରେନକୁ ଅପେକ୍ଷା କରିଥିବା  ୪ ଜଣ ଯାତ୍ରୀଙ୍କର ମୃତ୍ଯୁ ହୋଇଥିବା ଜଣାଯାଇଛି।ମୃତକମାନଙ୍କ ମଧ୍ୟରେ ଜଣେ ଶିଶୁ, ଦୁଇ ଜଣ ମହିଳା ଓ ଜଣେ ପୁରୁଷ ଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି। ଏମାନେ ସମସ୍ତେ ବାଲେଶ୍ବର-ଭୁବନେଶ୍ବର ଡିଏମୟୁ ଟ୍ରେନରେ ଯାତ୍ରା କରିବ‌ାକୁ  ପ୍ଲାଟଫର୍ମରେ ଅପେକ୍ଷା କରିଥିଲେ। ଏଯାବତ୍ ଦୁଇ ମହିଳା ମୃତକଙ୍କ ପରିଚୟ ମିଳିଛି। ସେମାନେ ହେଲେ ପାର୍ବତୀ ବିନ୍ଧାଣି ଓ ଅଫଜୁନ ବିବି। ଏ ସଂକ୍ରାନ୍ତରେ ଅଧିକ ଖବରକୁ ଅପେକ୍ଷା କରାଯାଇଛି।

ତେବେ ରେଳବାଇର ଲୋକସଂପର୍କ ଅଧିକାରୀଙ୍କ ସୂଚନା ଅନୁଯାୟୀ, ୨ଜଣଙ୍କର ପ୍ରାଣହାନି ଘଟିଛି। ମାଲବାହୀ ଟ୍ରେନଟି ଭଦ୍ରକରୁ ଛତ୍ରପୁରକୁ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଜି ସକାଳ ପ୍ରାୟ ୬ଟା ୪୦ ମିନିଟରେ ଏହି ରେଳ ଦୁର୍ଘଟଣା ଘଟିଛି। ଏବେ ବି  ୬ଟି ବଗି ଷ୍ଟେସନ୍‌ ପାର ହୋଇଥିବା ଅବସ୍ଥାରେ ପଡ଼ିରହିଛି। ଏଣେ ୧୨ଟି ବଗି ଲାଇନଚ୍ୟୁତ ହୋଇଛି।

‌ଏହି ଦୁର୍ଘଟଣାରେ କିଛି ଲୋକ ଆହତ ମଧ୍ୟ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଛି। ଏହି ଦୁର୍ଘଟଣା ଯୋଗୁ ଷ୍ଟେସନ୍‌ରେ ଥିବା ଫୁଟ ଓଭର ବ୍ରିଜ ମଧ୍ୟ ଭାଙ୍ଗି ଚୁରମାର ହୋଇ ଯାଇଛି।  ଘଟଣାସ୍ଥଳରେ ଆରପିଏଫ ଓ ପୁଲିସ୍‌ ପହଞ୍ଚି ଉଦ୍ଧାର କାର୍ଯକୁ ତ୍ବରାନ୍ବିତ କରିୁଛନ୍ତି।

ସମ୍ବନ୍ଧିତ ଖବର