ଇନ୍‌ଷ୍ଟା ପୋଷ୍ଟ୍‌ରେ ‘ହିଜାବ୍‌’ ଖୋଲିବାର ଦିନକ ପରେ ଗିରଫ ହେଲେ ଇରାନୀୟ ଅଭିନେତ୍ରୀ: ରିପୋର୍ଟ

ଫ୍ରାନ୍‌ସ୍‌: ସମଗ୍ର ଇରାନ୍‌ରେ ‘ହିଜାବ୍‌’ ପରିଧାନକୁ ବିରୋଧ କରି ପ୍ରତିବାଦ ଚାଲିଥିବା ବେଳେ ସେମାନଙ୍କୁ ସମର୍ଥନ କରି ସର୍ବସାଧାରଣରେ  ନିଜର ‘ହିଜାବ୍‌’ ଖୋଲି ଭିଡିଓ ପୋଷ୍ଟ୍‌ କରିଥିବା ଜଣେ ଖ୍ୟାତନାମା ଇରାନୀୟ ଅଭିନେତ୍ରୀଙ୍କୁ ଗିରଫ କରାଯାଇଥିବା କଥା ରବିବାର ଦିନ ରାଷ୍ଟ୍ରାୟତ ଗଣମାଧ୍ୟମ ରିପୋର୍ଟ କରିଛି।

ରାଷ୍ଟ୍ରାୟତ ନିଉଜ୍‌ ଏଜେନ୍‌ସି ‘ଇର୍‌ନା’ କହିଛି, ପ୍ରତିବାଦକାରୀଙ୍କ ଉପରେ ଚାଲିଥିବା ଦମନଲୀଳାକୁ ସମାଲୋଚନା କରୁଥିବା ହେଙ୍ଗାମେହ୍‌ ଗଜିୟାନୀଙ୍କୁ ଦଙ୍ଗାକୁ ଉସ୍‌କାଇବା, ସମର୍ଥନ କରିବା ଓ ବିରୋଧୀ ଗଣମାଧ୍ୟମ ସହିତ ଯୋଗାଯୋଗ ରଖିଥିବା କାରଣରୁ ଗିରଫ କରାଯାଇଛି।

୫୨ ବର୍ଷୀୟ ଅଭିନେତ୍ରୀ ଗଜିୟାନୀ ପୂର୍ବରୁ ମଧ୍ୟ ସୂଚନା ଦେଇଥିଲେ ଯେ, ବିଚାର ବିଭାଗ ତାଙ୍କ ନିକଟକୁ ସମନ୍‌ ପଠାଯାଇଛି। ତା’ପରେ ସେ ମହିଳାମାନଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଥିବା ‘ହିଜାବ୍‌’ ଖୋଲି ଇନ୍‌ଷ୍ଟାଗ୍ରାମ୍‌ରେ ନିଜର ଗୋଟାଏ ଭିଡିଓ ପୋଷ୍ଟ୍‌ କରିଥିଲେ। ଶନିବାର ରାତିରେ ସେଥିରେ ଉଲ୍ଲେଖ କରିଥିଲେ, ଏଇଟା ହୁଏ ତ ମୋର ଅନ୍ତିମ ପୋଷ୍ଟ୍‌।

Image Courtesy of ABP

ଏବେ ଠାରୁ ଆଗକୁ ମୋର ଅବସ୍ଥା ଯାହା ହେବ ତାହା ସଦାସର୍ବଦା ସମସ୍ତଙ୍କ କ୍ଷେତ୍ରରେ ଘଟୁଛି। ମୃତ୍ୟୁ ପର୍ଯ୍ୟନ୍ତ ମୁଁ ଇରାନବାସୀଙ୍କୁ ସମର୍ଥନ କରୁଥିବି ବୋଲି ସେ କହିଛନ୍ତି।

ଗତ ସପ୍ତାହ ପୋଷ୍ଟ୍‌ରେ ସେ ଅଭିଯୋଗ କରିଥିଲେ ଯେ, ଶିଶୁ ହତ୍ୟାକାରୀ ଇରାନୀୟ ସରକାର ୫୦ ଅଧିକ ଶିଶୁଙ୍କୁ ହତ୍ୟା କରିଛି।

ବିଚାର ବିଭାଗର ‘ମିଜାନ୍‌ ଅନ୍‌ଲାଇନ୍‌’ ନିଉଜ୍‌ ୱେବ୍‌ସାଇଟ୍‌ ଅନୁସାରେ,ସାମାଜିକ ଗଣମାଧ୍ୟମରେ କ୍ରୋଧ ଉଦ୍ରେକକାରୀ କଥାବସ୍ତୁ ପୋଷ୍ଟ୍‌ କରିଥିବାରୁ ବିଚାର ନିମନ୍ତେ ସମନ୍‌ ଜାରି କରାଯାଇଥିବା ୮ଜଣଙ୍କ ମଧ୍ୟରୁ ଗଜିୟାନୀ ଅନ୍ୟତମା।

ସୂଚନାଯୋଗ୍ୟ, ଠିକ୍‌ରୂପେ ‘ହିଜାବ୍‌’ ପରିଧାନ କରି ନ ଥିବା କାରଣରୁ ମୋରାଲିଟି ପୋଲିସ୍‌ଦ୍ବାରା ତେହେରାନ୍‌ରୁ ଗିରଫ ହୋଇ ହାଜତରେ ମୃତ୍ୟୁବରଣ କରିଥିବା କୁର୍ଦିସ୍‌ ସମ୍ପ୍ରଦାୟର ୨୨ ବର୍ଷୀୟ ତରୁଣୀ ମାଶା ଅମିନୀଙ୍କ ସମର୍ଥନରେ ଦୁଇ ମାସରୁ ଅଧିକ ହେବ ଦେଶରେ ମହିଳାମାନେ ପ୍ରତିବାଦ ଚଳାଇଛନ୍ତି। ଇରାନ୍‌ର ନେତୃତ୍ବ ଏହି ପ୍ରତିବାଦକୁ ‘ଦଙ୍ଗା’ ବୋଲି କହିବା ସହିତ ପାଶ୍ଚାତ୍ୟ ଶତ୍ରୁ ଏହାକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ କରିଛି।

ସମ୍ବନ୍ଧିତ ଖବର