ଗ୍ରିସ୍‌ରେ ୫.୫ ତୀବ୍ର ଭୂମିକମ୍ପ ଯୋଗୁଁ ସୁନାମି ଆଶଙ୍କା; ଉଚ୍ଚତର ଅଞ୍ଚଳକୁ ଚାଲିଯିବାକୁ ଜନସାଧାରଣଙ୍କୁ ପରାମର୍ଶ

ନୂଆଦିଲ୍ଲୀ: ରବିବାର ରାତିରେ ଗ୍ରିସ୍‌ର କ୍ରିଟ୍‌ ଦ୍ବୀପରେ ସଂଘଠିତ ୫.୫ ତୀବ୍ରତାସମ୍ପନ୍ନ ଭୂମିକମ୍ପ ଯୋଗୁଁ ସୁନାମି ଆଶଙ୍କା ଉପୁଜିଥିବାରୁ ସମୁଦ୍ର ତଟବର୍ତ୍ତୀ ଜନସାଧାରଣଙ୍କୁ ଉଚ୍ଚତର ଅଞ୍ଚଳକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଛି।

‘ୟୁରୋପିଆନ୍‌-ମେଡିଟେରିଆନ୍‌ ସିସ୍ମୋଲୋଜିକାଲ୍‌ ସେଣ୍ଟର୍‌’ (ଇଏମ୍‌ଏସ୍‌ସି) କହିବା ଅନୁସାରେ, ସ୍ଥାନୀୟ ସମୟ ସୋମବାର ରାତି ୧.୨୫ରେ ଗ୍ରିସ୍‌ର ସିତିଆର ଉତ୍ତରପୂର୍ବ ପଟକୁ ୬୦ କିଲୋମିଟର୍‌ ଦୂର ଭୂଗର୍ଭର ୮୦ କିଲୋମିଟର୍‌ ଅଭ୍ୟନ୍ତରରେ ଉକ୍ତ ଭୂମିକମ୍ପ ସଂଘଠିତ ହୋଇଛି।

ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ରହୁଥିବା ଜନସାଧାରଣଙ୍କ ପ୍ରତି ସତର୍କ ସୂଚନା ଜାରି କରି ‘ଏମ୍‌ଏସ୍‌ସି’ ପରାମର୍ଶ ଦେଇଛି କି, ସେମାନେ ଉପକୂଳ ଅଞ୍ଚଳରୁ ଉଚ୍ଚତର ସ୍ଥାନକୁ ଚାଲିଯାଆନ୍ତୁ।

Image Courtesy of Twitter

ଏହାଛଡ଼ା, ଟୁଇଟର୍‌ରେ ‘ଇଏମ୍‌ଏସ୍‌ସି’ କେତେଗୁଡ଼ିଏ ‘ସେଫ୍ଟି ଟିପ୍‌ସ୍‌’ ମଧ୍ୟ ସେୟାର୍‌ କରିଛି।

କିନ୍ତୁ, ଗ୍ରୀକ୍‌ ସରକାରୀ କର୍ତ୍ତୃପକ୍ଷମାନେ ଏ ପର୍ଯ୍ୟନ୍ତ କୌଣସି ବାର୍ତ୍ତା ପ୍ରସାରଣ କରି ନାହାନ୍ତି।

ଉପରୋକ୍ତ ଭୂମିକମ୍ପ ଜନିତ ଭୂକମ୍ପନ ସୁଦୂର ଉତ୍ତର ଆଫ୍ରିକାରେ ମଧ୍ୟ ଅନୁଭୂତ ହୋଇଥିବା କୁହାଯାଉଛି। କିନ୍ତୁ, କୌଣସି ପ୍ରଭାବିତ ଅଞ୍ଚଳରେ କେହି ମୃତାହତ ହୋଇଥିବା କିଂବା ଘରବାଡ଼ି ନଷ୍ଟ ହୋଇଥିବାର ଖବର ଆସିନାହିଁ।

ଆଞ୍ଚଳିକ ସମ୍ବାଦ ଅନୁସାରେ, ଭୂମିକମ୍ପ ପରେ ପରେ ନେଟ୍‌ୱାର୍କର ଚାହିଦା ହଠାତ୍‌ ବଢ଼ିଯିବାରୁ କ୍ରିଟ୍ରେ ମୋବାଇଲ୍‌ ଫୋନ୍‌ ବ୍ୟବସ୍ଥା କିଛି ସମୟ ପାଇଁ ଭାରାକ୍ରାନ୍ତ ହୋଇଯାଇଥିଲା।

ସମ୍ବନ୍ଧିତ ଖବର