ଭୁବନେଶ୍ବର, ୨୨/୩(ଇମିସ): ଓଡ଼ିଶାରେ ପରିବେଶ-ପର୍ଯ୍ୟଟନକୁ ବ୍ୟାପକ କରାଯିବ। ଏବେ ୫୦ଟି ପରିବେଶ ପର୍ଯ୍ୟଟନ ସ୍ଥଳ ରହିଛି। ସେଥିରେ ଆଉ ୮ଟି ପରିବେଶ-ପର୍ଯ୍ୟଟନକୁ ସାମିଲ କରିବାକୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଯୋଜନା ପ୍ରସ୍ତୁତ କରିଛି। କୋରାପୁଟ ଜିଲ୍ଲାର ଦେଓମାଳି ପାହାଡ଼, ନୟାଗଡ଼ ଜିଲ୍ଲାର ସିଦ୍ଧମୂଳା, ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ପାହାଡ଼, କଳାହାଣ୍ଡି ଜିଲ୍ଲାର ଜାକାମ୍, ମୟୂରଭଞ୍ଜ ଜିଲ୍ଲାର ନୱାନ, ବୌଦ୍ଧର କୁଲାରିକୁଡ଼ା, କଟକ ଜିଲ୍ଲା ସାତକୋଶିଆ ଡିଭିଜନ୍ର ବାଲିପୁଟ, ଜଗତ୍ସିଂହପୁର ଜିଲ୍ଲାର ଧଲଟାନଗଡ଼ରେ ପରିବେଶ-ପର୍ଯ୍ୟଟନ ସ୍ଥଳର ବିକାଶ କରାଯିବ। ଏବେ ସୁଦ୍ଧା ମୟୂରଭଞ୍ଜ, ସୁନ୍ଦରଗଡ଼, ମାଲକାନଗିରି, କୋରାପୁଟ, କନ୍ଧମାଳ, ବରଗଡ଼, ନୟାଗଡ଼ ପରି ୨୦ଟି ରାଜସ୍ବ ଜିଲ୍ଲାରେ ୫୦ଟି ପରିବେଶ ପର୍ଯ୍ୟଟନ ସ୍ଥଳର ବିକାଶ କରାଯାଇଛି। ଯେଉଁଠାରେ ୪୩୫ ରୁମ୍ରେ ଦୈନିକ ୧୩୩୮ଜଣ ପର୍ଯ୍ୟଟକ ରହିବାର ବ୍ୟବସ୍ଥା ହୋଇଛି। ଓଡ଼ିଶାର ପରିବେଶ ପର୍ଯ୍ୟଟନ ପ୍ରତି ବିଦେଶର ପ୍ରକୃତିପ୍ରେମୀ ଅଧିକ ଆଗ୍ରହ ଦେଖାଇବା ସହ www.ecotourodisha.com ରେ ସର୍ଚ୍ଚ କରୁଛନ୍ତି। ଆମେରିକା, ଫ୍ରାନ୍ସ, ଇଂଲଣ୍ଡ, ୟୁଏଇ, ଜର୍ମାନି, କାନଡା, ସିଙ୍ଗାପୁର, ନେଦରଲାଣ୍ଡ, ଅଷ୍ଟ୍ରେଲିଆ, ଚୀନ୍, ଜାପାନ, ସ୍ବେଡେନ୍, ସାଉଦି ଆରବ, ଇଟାଲି, ହଂକଂ, ଫିଲିପାଇନ୍ସର ପ୍ରକୃତିପ୍ରେମୀଙ୍କ ଅଧିକ ଆଗ୍ରହ ରହିଛି। ବରେହିପାଣି, ଡାଙ୍ଗମାଳ, ଦେବ୍ରିଗଡ଼, ସାତକୋଶିଆ ସ୍ୟାଣ୍ଡ, ଦାରିଙ୍ଗବାଡ଼ି ନେଚର୍ କ୍ୟାମ୍ପ, ଛୋଟକେଇ ନେଚର୍ କ୍ୟାମ୍ପ, କୁମାରି ନେଚର୍ କ୍ୟାମ୍ପ, ଟିକରପଡ଼ା, ଜମୁନାଇ, ନୂଆନଈ ପରିବେଶ ପର୍ଯ୍ୟଟନ ସ୍ଥଳ ପ୍ରତି ବିଦେଶୀ ପର୍ଯ୍ୟଟକଙ୍କ ସହ ଘରୋଇ ପର୍ଯ୍ୟଟକ ବି ଅଧିକ ଆଗ୍ରହ ଦେଖାଉଛନ୍ତି।
ଇକୋ-ଟୁରିଜିମ୍ ନେଚର୍ କ୍ୟାମ୍ପରେ ଏବେ ୬୫୦ରୁ ଅଧିକ କମ୍ପ୍ୟୁନିଟି ସଦସ୍ୟ ସାମିଲ ହୋଇଛନ୍ତି। ଏହାଦ୍ବାରା ସ୍ଥାନୀୟ ଅଞ୍ଚଳବାସୀ ରୋଜଗାରକ୍ଷମ ହୋଇପାରୁଛନ୍ତି। ପୂର୍ବରୁ ଯେଉଁମାନେ ଶିକାର କରିବା ସହ ଚୋରା ଚଲଣ କରୁଥିଲେ ସେମାନେ ଏବେ ଇକୋ-ଟୁରିଜିମ୍ ପ୍ରକଳ୍ପ ମାଧ୍ୟମରେ ରୋଜଗାରକ୍ଷମ ହୋଇପାରୁଛନ୍ତି। ନେଚର୍ କ୍ୟାମ୍ପ ପରିଚାଳନା, ହାଉସ୍କିପିଂ, ଆକାଉଣ୍ଟିଂ, ଷ୍ଟୋର୍, ରିସେପ୍ସନ୍, ସର୍ଭିସ୍, ରୋଷେୟା, ସଫେଇ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ମୋଟ ଆୟର ୩୫% ଦରମା ଆକାରରେ ଦିଆଯାଉଥିବା ବେଳେ ନେଚର କ୍ୟାମ୍ପର ଦୈନଦିନ ଖର୍ଚ୍ଚ ଓ ପରିଚାଳନା ପାଇଁ ୨୫%, ଭିତ୍ତିଭୂମି ବିକାଶ ବାବଦରେ ୧୦%, ନିକଟସ୍ଥ ଗ୍ରାମାଞ୍ଚଳ ବିକାଶ ପାଇଁ ୧୦% ଓ କର୍ପୋସ୍ ପାଣ୍ଠିରେ ୨୦% ଅର୍ଥ ରହୁଛି। ୨୦୨୬ ଜାନୁଆରି ୭ ସୁଦ୍ଧା ଜଙ୍ଗଲ ଓ ପର୍ଯ୍ୟଟନ ବିଭାଗ ମିଳିତ ଭାବେ ଫେସ୍ବୁକ୍, ‘ଏକ୍ସ’, ଇନ୍ଷ୍ଟାଗ୍ରାମ୍ ପରି ସାମାଜିକ ଗଣମାଧ୍ୟମରେ ଦେଶ ତଥା ବିଦେଶୀ ପର୍ଯ୍ୟଟକଙ୍କ ନିକଟରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୨୦୧୬-୧୭ ଆର୍ଥିକ ବର୍ଷରେ ଆରମ୍ଭ ହୋଇଥିବା ପରିବେଶ ପର୍ଯ୍ୟଟନ ପ୍ରତି ପର୍ଯ୍ୟଟକମାନେ ଆକୃଷ୍ଟ ହେଉଥିବା ଦେଖିବାକୁ ମିଳିଛି। ପ୍ରଥମ ବର୍ଷରେ ମାତ୍ର ୧୧ ହଜାର ୫୦୦ ଜଣ ପର୍ଯ୍ୟଟକ ପରିବେଶ ପର୍ଯ୍ୟଟନରେ ରହଣି କରିଥିଲେ ଏବଂ ୧ କୋଟି ୫୭ ଲକ୍ଷ ଟଙ୍କା ଆୟ ହୋଇଥିଲା। କରୋନା ସତ୍ତ୍ବେ ମଧ୍ୟ କୌଣସି ଗୋଟିଏ ବି ବର୍ଷ ଆୟ କମି ନାହିଁ। ୨୦୨୦-୨୧ ଆର୍ଥିକ ବର୍ଷରେ କରୋନା ହୋଇଥିଲେ ମଧ୍ୟ ୫୬ ହଜାର ୯୬୨ଜଣ ପର୍ଯ୍ୟଟକ ପରିବେଶ ପର୍ଯ୍ୟଟନର ମଜା ନେଇଥିବା ବେଳେ ୮ କୋଟି ୩୨ ଲକ୍ଷ ଟଙ୍କା ଆୟ ହୋଇଥଲା। ୨୦୨୨୧-୨୨ରେ ୭୦ହଜାର ୨୧୬ଜଣ ପର୍ଯ୍ୟଟନ ସ୍ଥଳୀର ମଜା ଉଠାଇଥିଲେ। ଚଳିତ ଆର୍ଥିକ ବର୍ଷ ତଥା ୨୦୨୩-୨୪ର ଫେବ୍ରୁଆରି ମାସ ସୁଦ୍ଧା ୧ ଲକ୍ଷ ୩୩ ହଜାର ୧୭୮ଜଣ ପର୍ଯ୍ୟଟନ ସ୍ଥଳୀରେ ରହିଥିବା ବେଳେ ୧୩ କୋଟି ୩୮ ଲକ୍ଷ ୭୨ ହଜାର ଟଙ୍କା ଆୟ ହୋଇଛି।