ହରିଶ୍ଚନ୍ଦ୍ର ଯୋଜନାରେ ହରିଲୁଟ୍‌: ଜଣେ ଜଣେ ବ୍ୟକ୍ତିଙ୍କ ଦୁଇଥର ମୃତ୍ୟୁ!

କେନ୍ଦୁଝର : ହରିଶ୍ଚନ୍ଦ୍ର ଯୋଜନାରେ ହରିଲୁଟ୍‌। କେତେବେଳେ ଜଣେ ଲୋକଙ୍କୁ ଦୁଇଥର ମୃତ ଦର୍ଶାଇ ଯୋଜନାର ଅର୍ଥ ହଡ଼ପ କରାଯାଇଛି ତ ଆଉ କେତେବେଳେ ୪ ବର୍ଷ ତଳେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ଏବେ ମରିଥିବା ଦର୍ଶାଇ ଟଙ୍କା ଉଠାଯାଇଛି। କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ରେ ଏଭଳି ଦୁର୍ନୀତି ନଜରକୁ ଆସିଛି।

୨୦୧୩ ମସିହାରେ ରାଜ୍ୟ ସରକାର ହରିଶ୍ଚନ୍ଦ୍ର ଯୋଜନା ଆରମ୍ଭ କରିଥିଲେ। ମୃତ ବ୍ୟକ୍ତିଙ୍କ ଶେଷକୃତ୍ୟ ସମ୍ପନ୍ନ କରିବାକୁ ଅସମର୍ଥ ଗରିବ ଲୋକଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ଥିଲା ଏହି ଯୋଜନାର ମୂଳଲକ୍ଷ୍ୟ। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବାସ କରୁଥିବା ମୃତ ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କୁ ଯଥାକ୍ରମେ ୨ ହଜାର ଓ ୩ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବାର ନିୟମ ରହିଛି। ଏଥିପାଇଁ ଆବେଦନକାରୀ ନିଜ ଆଧାରକାର୍ଡ, ଆୟ ପ୍ରମାଣପତ୍ର, ଫଟୋ, ମୋବାଇଲ୍ ନମ୍ବର, ସ୍ଥାୟୀ ବାସସ୍ଥାନ ପ୍ରମାଣପତ୍ର, ରାସନକାର୍ଡ ସହ ସମ୍ପର୍କୀୟଙ୍କ ମୃତ୍ୟୁର ୧୫ ଦିନ ମଧ୍ୟରେ ପଞ୍ଚାୟତ କାର୍ଯ୍ୟାଳୟରେ ଆବେଦନ କରିବେ।

କିନ୍ତୁ, ସରକାରୀ ନିୟମକୁ ବେଖାତିର କରି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ ଶାଳଣିଆଁ ପଞ୍ଚାୟତର ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଅଯୋଗ୍ୟ ହିତାଧିକାରୀଙ୍କୁ ହରିଶ୍ଚନ୍ଦ୍ର ଯୋଜନାରେ ସାମିଲ କରି ସରକାରୀ ଅର୍ଥ ହଡ଼ପ କରିଥିବା ଅଭିଯୋଗ ହୋଇଛି। ଉକ୍ତ ପଞ୍ଚାୟତ ଅନ୍ତର୍ଗତ ସୋଲପଟା ଗ୍ରାମର ଭାବଗ୍ରାହୀ ସ୍ୱାଇଁଙ୍କ ମୃତ୍ୟୁ ୨୦୨୧ ଫେବ୍ରୁଆରି ୧୦ ତାରିଖରେ ହୋଇଥିବା ଦର୍ଶାଇଯାଇଛି। ତାଙ୍କ ପୁଅ ଉଦୟନାଥ ସ୍ୱାଇଁଙ୍କୁ ୨୦୨୧ ଡିସେମ୍ବର ୧୩ ତାରିଖରେ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ଦିଆଯାଇଛି। ଏହାପରେ ପୁଣି ୨୦୨୨ ଜୁନ୍‌ ୪ ତାରିଖରେ ଭାବଗ୍ରାହୀଙ୍କ ମୃତ୍ୟୁ ହୋଇଥିବା ଦର୍ଶାଯାଇ ପୁଅ ଉଦୟନାଥଙ୍କୁ ୨୦୨୨ ଜୁନ୍‌ ୨୩ ତାରିଖରେ ଆଉଥରେ ଏହି ଯୋଜନାରେ ୨ ହଜାର ଟଙ୍କା ଦିଆଯାଇଛି। ଜଣେ ବ୍ୟକ୍ତିଙ୍କୁ ଦୁଇଦୁଇ ଥର ମୃତ ଦର୍ଶାଇ ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଚଞ୍ଚକତା କରି ସରକାରୀ ଅର୍ଥ ହଡ଼ପ କରିଛନ୍ତି। ସେହିପରି, ମନୋହରପୁର ଗ୍ରାମର ଅଗଣି ମୁଖୀଙ୍କ ୨୦୨୧ ଡିସେମ୍ବର ୨୭ ଏବଂ ୨୦୨୨ ମେ ୨୬ ତାରିଖରେ ଦୁଇଦୁଇ ଥର ମୃତ୍ୟୁ ହୋଇଥିବା ଦର୍ଶାଇ ତାଙ୍କ ପୁଅଙ୍କୁ ଯଥାକ୍ରମେ ଫେବ୍ରୁଆରି ୧ ତାରିଖ ଓ ଜୁନ୍ ୨୩ ତାରିଖରେ ୨ ହଜାର ଟଙ୍କା ଲେଖାଏଁ ମୋଟ ୪ ହଜାର ଟଙ୍କା ହରିଶ୍ଚନ୍ଦ୍ର ଯୋଜନାରେ ଦିଆଯାଇଥିବା‌ ସରକାରୀ ତଥ୍ୟରୁ ଜଣାପଡ଼ିଛି। ଏଲକଣିଆଁ ଗ୍ରାମର ବିପିନ ନାଇକ ବାପା ବେଣୁଧର ନାଇକଙ୍କ ମୃତ୍ୟୁ ୨୦୨୧ ଅଗଷ୍ଟ ୧୭ ତାରିଖରେ ହୋଇଥିବା ଦର୍ଶାଇ ଡିସେମ୍ବର ୧୩ ତାରିଖରେ ୨ ହଜାର ଟଙ୍କା ନେଇଥିଲେ। ପରେ, ତାଙ୍କ ଭାଇ ବଳରାମ ବାପା ବେଣୁଧରଙ୍କ ୨୦୨୨ ଜୁନ୍‌ ୪ ତାରିଖରେ ମୃତ୍ୟୁ ହୋଇଥିବା ଦର୍ଶାଇ ପୁଣି ଦୁଇ ହଜାର ଟଙ୍କା ସହାୟତା ରାଶି ନେଇଛନ୍ତି।

ସେହିପରି ମୃତ୍ୟୁର ୧୫ ଦିନ ମଧ୍ୟରେ ମୃତକଙ୍କ ସମ୍ପର୍କୀୟମାନେ ଏହି ଯୋଜାନାରେ ସହାୟତା ପାଇବା ପାଇଁ ଆବେଦନ କରିବାର ନିୟମ ରହିଛି। ଏହି ପଞ୍ଚାୟତର ସୋଲପଟା ଗ୍ରାମର ଆନନ୍ଦ ଚରଣ ନାୟକ ନିଜ ମାଙ୍କ ମୃତ୍ୟୁର ୪ ବର୍ଷ ପରେ ହରିଶ୍ଚନ୍ଦ୍ର ଯୋଜନରେ ସହାୟତା ପାଇବା ପାଇଁ ମୃତ୍ୟୁ ତାରିଖ ୨୦୨୨ ମେ ୩୦ ତାରିଖ ବୋଲି ଦର୍ଶାଇଛନ୍ତି। ଏହାଛଡ଼ା ଏଲକଣିଆଁ ଗ୍ରାମର ମୃତ ମୁରଲୀ ବେହେରା, ମଦନ ସାହୁ, ଅନାମ ନାୟକଙ୍କ ଭୁଲ ମୃତ୍ୟୁ ତାରିଖ ଦେଇ ସେମାନଙ୍କ ସମ୍ପର୍କୀୟମାନେ ଦୁଇ ହଜାର ଟଙ୍କା ଲେଖାଏଁ ନେଇଛନ୍ତି। ଏହି ଯୋଜନାରେ ଆବେଦନକାରୀଙ୍କ ଦରଖାସ୍ତକୁ ଉଭୟ ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଅନୁମୋଦନ କରିବା ପରେ ସହାୟତା ରାଶି ପ୍ରଦାନ କରିବାର ନିୟମ ରହିଛି। ଶାଳଣିଆଁ ପଞ୍ଚାୟତରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଏନେଇ ହାଟଡିହି ଭାରପ୍ରାପ୍ତ ବିଡିଓ ବିଚିତ୍ର କୁମାର କରଙ୍କୁ ପଚାରିବାରୁ, ଏ ସମ୍ପର୍କରେ ତାଙ୍କର ଧାରଣା ନାହିଁ। ଅଭିଯୋଗର ତଦନ୍ତ କରାଯିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର