ସ୍ବାଭିମାନ ଅଂଚଳରେ ଶତାଧିକ ହିତାଧିକାରୀଙ୍କୁ ଭତ୍ତା ମିଳି ନ ଥିବା ଅଭିଯୋଗ

କଂଗ୍ରେସର ବିଶାଳ ପ୍ରଜାମେଳି

ମାଲକାନଗିରି: ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଂଚଳର ଯନ୍ତାପାଇରେ ଆଜି କଂଗ୍ରେସ ତରଫରୁ ଏକ ବିଶାଳ ପ୍ରଜାମେଳିର ଆୟୋଜନ ହୋଇଥିଲା। ଏଥିରେ ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର ସଭାପତିତ୍ବ କରିଥିବା ବେଳେ ଅତିଥି ଭାବେ ପୂର୍ବତନ ବିଧାୟକ ଭୁଜବଳ ମାଝି, ବରିଷ୍ଠ ନେତା ଶରତ ଚନ୍ଦ୍ର ବୁରୁଦା, ମଙ୍ଗୁ ଖିଲ, ଭୀମା ବାରସେ ପ୍ରମୁଖ ଉପସ୍ଥିତ ଥିଲେ। ସାଧାରଣ ନିର୍ବାଚନ ଆଗକୁ ରହିଥିବା ବେଳେ କଂଗ୍ରେସ ଏବେ ଠାରୁ ଗଡ ସମ୍ଭାଳିବା ଆରମ୍ଭ କଲାଣି।ଚିତ୍ରକୋଣ୍ଡା ଅଂଚଳରେ ନିଜର ସ୍ଥିତିକୁ ଆହୁରି ସୁଦୃଢ କରିବା ପାଇଁ ଜୋରଦାର ପ୍ରୟାସ ଆରମ୍ଭ କରିଛି।

ଏହି ପ୍ରଜାମେଳିରେ ବଡପଦର, ଯଡାମ୍ବ ଏବଂ ପେପରମେଟଲା ପଞ୍ଚାୟତର ଶତାଧିକ ମହିଳା ପୁରୁଷ ଏକତ୍ରିତ ହୋଇଥିଲେ। ବୈଠକରେ ଆଗାମୀ କାର୍ଯ୍ୟପନ୍ଥା ସଂପର୍କରେ ଆଲୋଚନା କରାଯାଇଥିବା ବେଳେ ଲୋକଙ୍କ ସମସ୍ୟାଗୁଡିକ କିପରି ସମାଧାନ ହେବ ସେନେଇ ଆଲୋଚନା କରାଯାଇଥିଲା।ବିଶେଷକରି ପେପରମେଟଲା ପଞ୍ଚାୟତର ଗନ୍ଧିଆଗୁଡା, କାନ୍ତଗୁଡା, ଯନ୍ତାପାଇ, ବିଡର ପାକନା, ନୂଆଗୁଡା, ଡଲିଆମ୍ବ, ଟଣ୍ଟଗୁଡା ଭଳି ଗ୍ରାମର ଶତାଧିକ ଲୋକ ଗତ ୬ ମାସ ହେଲା ଭତ୍ତା ପାଇନଥିବା ଅଭିଯୋଗ କରିଥିଲେ।

ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ଘର ଗୁଡିକ ଅନ୍ଧପନ୍ତରିଆ ଭାବେ ଛାଡି ଦିଆଯାଇଥିବା ଅଭିଯୋଗ ହୋଇଥିଲା। ସ୍ଥାନୀୟ ତହସିଲ ପକ୍ଷରୁ ଜାତିଗତ ପ୍ରମାଣ ପତ୍ର ପ୍ରଦାନ କରାଯାଉନଥିବା ନେଇ ଲୋକେ ଅଭିଯୋଗ କରିଥିଲେ। ବ୍ଲକ ତରଫରୁ ଲୋକଙ୍କୁ ସେବା ଯୋଗାଇବାରେ ପାତର ଅନ୍ତର କରୁଥିବା ଏବଂ ଠିକ ରୂପେ କାମ କରୁନଥିବା ଅଭିଯୋଗ ହୋଇଥିଲା। ତେବେ ତୁରନ୍ତ ଏସବୁ ଦିଗରେ ବ୍ଲକ ପ୍ରଶାସନ ଏବଂ ତହସିଲ ପ୍ରଶାସନ ଦୃଢ ପଦକ୍ଷେପ ନେବେ ବୋଲି କଂଗ୍ରେସ ଅନୁରୋଧ କରିଥିଲା। ଯଦି ଏଥିରେ ଖିଲାପ ହୁଏ ତେବେ ଆଗାମୀ ଦିନରେ ଜନଆନ୍ଦୋଳନ ତେଜିବ ବୋଲି ମଧ୍ୟ ଚେତାବନୀ ଦିଆଯାଇଥିଲା।

ଏହି ଅଂଚଳରେ ସରକାରୀ ବାବୁମାନଙ୍କ ପାଦ ପଢୁନଥିବାରୁ ଲୋକେ ସରକାରୀ ଯୋଜନା ପାଇପାରୁନାହନ୍ତି, ଯାହାଫଳରେ ଲୋକେ ବହୁ ହଇରାଣ ହେଉଛନ୍ତି। କଂଗ୍ରେସ ଆଗକୁ ଏହି ମୁଦ୍ଦାକୁ ଉଠାଇ ଲୋକଙ୍କ ପ୍ରିୟପାତ୍ର ବନିବ ବୋଲି ମଧ୍ୟ ଆଲୋଚନା ହେଉଛି। ଏବେ ଠାରୁ ନିଜର ଗଡ ସଜାଡିବା ସହ ଆସନ୍ତା ସାଧାରଣ ନିର୍ବାଚନରେ ଯେପରି କଂଗ୍ରେସ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ବିପୁଳ ସଂଖ୍ୟାରେ ବିଜୟ ଲାଭ କରିବ ସେନେଇ ପ୍ରଚେଷ୍ଟା ଆରମ୍ଭ କରାଯାଇଥିବା କୁହାଯାଇଛି।

ସମ୍ବନ୍ଧିତ ଖବର