ବାର୍‌ହା ଫାଶରେ ପୁଣି ପଡିଲା ବାଘ; ଅନୁଗୁଳ ବନଖଣ୍ଡରୁ ହେଲା ଉଦ୍ଧାର, ପେଟରେ ହୋଇଛି ଘା

ଚିକିତ୍ସା ପାଇଁ ରାଇଗୁଡା ଏନକ୍ଲୋଜରରେ ଭର୍ତ୍ତି

ଅନୁଗୁଳ: ଫାଶରେ ପୁଣି ପଡିଲା ବାଘ। ଦୀର୍ଘ ଘଣ୍ଟା କାଳ ମୃତ୍ୟୁ ସହ ସଂଗ୍ରାମ ପରେ ହେଲା ଉଦ୍ଧାର। ଅନୁଗୁଳ ବନଖଣ୍ଡ ବନ୍ତଳା ବନାଞ୍ଚଳ ବଲଙ୍ଗ ପଂଚାୟତ ଅଞ୍ଚଳରେ ଆଜି ଏମିତି ଏକ ଘଟଣା ଘଟିଛି। ବାଘର ପେଟରେ ଆଘାତ ଲାଗିଛି। ଚିକିତ୍ସା ପାଇଁ ତାକୁ ସାତକୋଶିଆ ଅଭୟାରଣ୍ୟ ରାଇଗୁଡା ସ୍ଥିତ ଏନକ୍ଲୋଜର ଭିତରେ ରଖାଯାଇଛି।

ସୂଚନା ମୁତାବକ, ଆଜି ନବବର୍ଷ ପାଇଁ ଚାରିଆଡେ ଭୋଜିଭାତର ଆସର ଚାଲିଥିବା ବେଳେ ସମ୍ଭବତଃ ବାର୍‌ଡା ଶିକାର ପାଇଁ ସ୍ଥାନୀୟ ଶିକାରୀ ଫାଶ ପକାଇଥିଲେ। ଗତକାଲି ହିଁ ଏ ଫାଶରେ ଏକ ଅଣ୍ଡିରା କଲରାପତାରିଆ ବାଘ ପଡିଥିଲା। ବାଘଟିର ବୟସ ପ୍ରାୟ ୩/୪ବର୍ଷ ହେବ ବୋଲି ଅନୁଗୁଳ ଡିଏଫଓ ବିବେକ କୁମାର କହିଛନ୍ତି। ଦୀର୍ଘ ସମୟ କାଳ ବାଘ ଛାଟପଟ ହେଲା ନେଇ ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇ ଘଟଣା ସ୍ଥଳକୁ ଯାଇଥିଲା। ଅନୁଗୁଳ ଡିଏଫଓ ଶ୍ରୀ କୁମାରଙ୍କ ନେତୃତ୍ୱରେ ସାତକୋଶିଆ ଡିଏଫଓ ଡ଼ ସରୋଜ ପଣ୍ଡାଙ୍କ ସମେତ ସାତକୋଶିଆ ଡାକ୍ତର କିଶୋର ସାହୁ ଓ ଅନ୍ୟ କର୍ମଚାରୀମାନେ ଘଟଣା ସ୍ଥଳକୁ ଯାଇ ବାଘକୁ ଦେଖିଥିଲେ। ବାଘକୁ ତୁରନ୍ତ ଉଦ୍ଧାର କରାଯାଇଛି। ତାର ପେଟରେ ଆଘାତ ଲାଗିଛି। ତେଣୁ ଚିକିତ୍ସା ପାଇଁ ବାଘକୁ ରାଇଗୁଡାରେ ବାଘୁଣୀ ସୁନ୍ଦରୀ ପାଇଁ ପୂର୍ବରୁ କରାଯାଇଥିବା ଏନକ୍ଲୋଜର ଭିତରେ ଭର୍ତ୍ତି କରାଯାଇଛି। ଏବେ କିଛି ଦିନ ବାଘକୁ ସେଠି ଚିକିତ୍ସା କରାଯିବ। ତା ପରେ ବାଘକୁ ଜଙ୍ଗଲରେ ଛଡାଯିବ ବୋଲି ଡିଏଫଓ ଶ୍ରୀ କୁମାର ସମ୍ବାଦକୁ କହିଛନ୍ତି।

ସମ୍ବନ୍ଧିତ ଖବର