ରାଷ୍ଟ୍ରପତିଙ୍କ ବାର୍ତ୍ତା କେନ୍ଦ୍ର ସରକାରଙ୍କ ନୀତି ନିଷ୍ପତ୍ତିରେ ପରିଣତ ହେଉ

ଭୁବନେଶ୍ବର : ସମ୍ବିଧାନ ଦିବସ‌ରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜେଲରେ ଥିବା କଏଦୀଙ୍କ ସମ୍ପର୍କରେ ଯେଉଁ ତଥ୍ୟ ଦେଇଛନ୍ତି, ତାହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଓ ସମ୍ବେଦନଶୀଳ। ବହୁ ଗରିବ ଦଳିତ ନିଷ୍ପେସିତ ବର୍ଗର କଏଦୀ ଜେଲ୍‌ରେ ଏକପ୍ରକାର ସଢ଼ୁଛନ୍ତି। ଉପଯୁକ୍ତ ଆଇନ ସହାୟତା ଅଭାବରୁ ସେମାନଙ୍କୁ ବର୍ଷ ବର୍ଷ ଧରି ଜେଲ୍‌ରେ ରହିବାକୁ ପଡ଼ୁଛି। ଏମିତିକି ଅନେକ ଗରିବ ଲୋକ କେଉଁ କାରଣରୁ ଜେଲ୍‌ରେ ଅଛନ୍ତି, ତାହା ଜାଣିନାହାନ୍ତି। ‌ତେଣୁ ସେମାନଙ୍କ ପ୍ରତି ସ୍ବତନ୍ତ୍ର ଦୃଷ୍ଯି ଦେବାର ବେଳ ଆସିଛି ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି। ଏହି ପ୍ରସଙ୍ଗ ଉଠାଇ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଏକ ମହାନ କାମ କରିଛନ୍ତି। ତେଣୁ ତାଙ୍କର ଏହି ବାର୍ତ୍ତା କେନ୍ଦ୍ର ସରକାରଙ୍କ ନୀତି ଓ ନିଷ୍ପତ୍ତିରେ ପରିଣତ ହେଉ ବୋଲି ମାନବାଧିକାର କର୍ମୀ ତଥା ଆଇନଜୀବୀ ବିଶ୍ବପ୍ରିୟ କାନୁନ୍‌ଗୋ କହିଛନ୍ତି।

ଶ୍ରୀ କାନୁନ୍‌ଗୋ କହିଛନ୍ତି ଯେ ଏହିଭଳି ଅନେକ ଲୋକ ଜେଲ୍‌ରେ ରହି ସଢ଼ୁଛନ୍ତି। ସେମାନଙ୍କୁ ବାହାର କରିବାକୁ କେହିନାହାନ୍ତି। ଗୋଟେପଟେ ଲିଗାଲ ଏଡ୍‌ ବ୍ୟବସ୍ଥା ଥିଲେ ମଧ୍ୟ ତାହା ଏକପ୍ରକାର ଅଚଳ ଅବସ୍ଥାରେ। ତେଣୁ ଏ ଦିଗରେ ଆଗକୁ କ’ଣ କାର୍ଯ୍ୟ କରାଯିବ, ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସେଦିଗରେ ଦୃଷ୍ଟି ଦେବେ ବୋଲି ଶ୍ରୀ କାନୁନ୍‌ଗୋ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷରେ ଆଇନଜୀବୀ ହଳଧର ସେଠୀ କହିଛନ୍ତି ଯେ ଜେଲ୍‌ରେ ସଢ଼ୁଥିବା ବହୁ ଲୋକ ଦଳିତ ନିଷ୍ପେସିତ ବର୍ଗର। ଜେଲ୍‌ରେ ଏମିତି ବି ଲୋକ ରହିଛନ୍ତି, ଯେଉଁମାନେ ବୟସ୍କ ହେବା କାରଣରୁ ନିଜେ ନିଜ କାମ ମଧ୍ୟ କରିବାକୁ ଅକ୍ଷମ। ସେମାନଙ୍କୁ ସହାୟକ ଆବଶ୍ୟକ ହେଲେ ବି ଜେଲ୍‌ ଭିତରେ ସେମାନଙ୍କୁ ସହାୟକ ଯୋଗାଇବା ବ୍ୟବସ୍ଥା ନାହିଁ। ତେଣୁ ଏହା ଉପରେ ମଧ୍ୟ ଧ୍ୟାନ ଦେବା ଆବଶ୍ୟକ। ମୁଁ ନିଜେ ଜଣେ ଓକିଲ ଭାବେ ଦେଖିଛି କେମିତି ସେମାନେ ଦୁର୍ବିସହ ଜୀବନ କା‌ଟୁଛନ୍ତି। ଓଡ଼ିଶାରେ ୨୦ ହଜାର ଏବଂ ସମଗ୍ର ଦେଶରେ ୩ ଲକ୍ଷରୁ ଅଧିକ କଏଦୀ ଏଭଳି ଅବସ୍ଥାରେ ଅଛନ୍ତି। ତେଣୁ ଏଥିପାଇଁ ଥିବା ଲିଗାଲ୍‌ ସେଲ୍‌ ବ୍ୟବସ୍ଥା କେମିତି ଆଇନ ସହାୟତା‌ ବିନା ଜେଲ୍‌ରେ ସଢ଼ୁଥିବା କଏଦୀଙ୍କ କାର୍ଯ୍ୟରେ ଆସିବ, ତାହା ମହାମହିମ ରାଷ୍ଟ୍ରପତି ଚିନ୍ତାକରନ୍ତୁ ବୋଲି ଆଇନଜୀବୀ ଶ୍ରୀ ସେଠୀ କହିଛନ୍ତି।

ସମ୍ବନ୍ଧିତ ଖବର