ପଛକୁ ପଛ ୨ ଲଘୁଚାପ, ବାତ୍ୟା ରୂପ ନେଇ ନପା‌ରେ ପ୍ରଥମ ଲଘୁଚାପ

ଦ୍ୱିତୀୟ ଲଘୁଚାପ ଓଡ଼ିଶାମୁହାଁ ହେବାର ସମ୍ଭାବନା

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ପଛକୁ ପଛ ଦୁଇଟି ଲଘୁଚାପ। ଅକ୍ଟୋବର ଦ୍ବିତୀୟ ସପ୍ତାହ ତଥା ଆସନ୍ତା ୧୦ ତାରିଖ ବେଳକୁ ଆଣ୍ଡାମାନ ସାଗରରେ ଗୋଟିଏ ଲଘୁଚାପ ସୃଷ୍ଟି ହେବ। ଏହାର ପ୍ରଭାବ କିଭଳି ରହିବ ଏବଂ କେଉଁ ଆଡ଼େ ଗତି କରିବ, ସେନେଇ ସ୍ପଷ୍ଟ ଚିତ୍ର ମିଳି ନ ଥିଲେ ମଧ୍ୟ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ସ୍ଥଳ ଭାଗକୁ ସ୍ପର୍ଶ କରିବାର ସମ୍ଭାବନା ଅଧିକ ଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରାରମ୍ଭିକ ଆକଳନ କରାଯାଇଛି। ତେବେ ଏହା କେଉଁ ରୂପ ନେଇ ସ୍ଥଳ ଭାଗ ସ୍ପର୍ଶ କରିବ, ସେନେଇ କୌଣସି ଆକଳନ କରାଯାଇନାହିଁ।

ପାଣିପାଗ ବିଶେଷଜ୍ଞ ପ୍ରଫେସର୍‌ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଲଘୁଚାପ ଅଧିକ ଘନୀଭୂତ ହେବନାହିଁ। ୧୦ରୁ ୧୧ ତାରିଖ ମଧ୍ୟରେ ଲଘୁଚାପ ସୃଷ୍ଟି ହେବା ପରେ ଅଧିକ ଘନୀଭୂତ ହୋଇ ଅବପାତ ରୂପ ନେବା ସହ ଆନ୍ଧ୍ରପ୍ରଦେଶ ଉପକୂଳ ମୁହାଁ ହେବ। ପ୍ରଭାବରେ ୧୪ ଓ ୧୫ତାରିଖରେ ପୁରୀଠାରୁ ଦକ୍ଷିଣକୁ ଦକ୍ଷିଣ ଉପକୂଳ ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ବର୍ଷା ହେବ। ୧୬ ତାରିଖରେ ବର୍ଷା ପରିମାଣ ବଢ଼ିବ। ପୁରୀ, ନୟାଗଡ଼, ଗଜପତି, ଗଞ୍ଜାମ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ଏବଂ ୧୭ରେ ଅବପାତ ଦୁର୍ବଳ ହେବା ସହ ବର୍ଷା ପରିମାଣ କମିଯିବ। ତେବେ ବିଭିନ୍ନ ଆନ୍ତର୍ଜାତୀୟ ମଡେଲ୍‌ର ଆକଳନ ଅନୁଯାୟୀ ୧୪ରେ ଆଣ୍ଡାମାନ ସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି। ଯାହାକି ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ଏହା ଅଧିକ ଘନୀଭୂତ ହେବା ସହ ୧୬ ତାରିଖରେ ଅବପାତରେ ପରିଣତ ହେବ। ଏହା ଓଡ଼ିଶା ସଂଲଗ୍ନ ପଶ୍ଚିମବଙ୍ଗ ନଦୀଘାଠାରୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଆଡ଼କୁ ମୁହାଁଇ ୧୮ କିମ୍ବା ୧୯ତାରିଖ ବେଳକୁ ସ୍ଥଳଭାଗ‌ ଛୁଇଁବାର ସମ୍ଭାବନା ରହିଛି। ଯଦି ଏହା ସୃଷ୍ଟି ହୁଏ, ତେବେ ପ୍ରଥମ ଲଘୁଚାପଟି ଦୁର୍ବଳ ରହିବ। ବାତ୍ୟା ରୂପ ନେବାର ସମ୍ଭାବନା କ୍ଷୀଣ ରହିଛି।

ଅନ୍ୟପକ୍ଷରେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିଜର ପୂର୍ବ ଆକଳନରେ ସ୍ଥିର ରହିଛି। ପାଣିପାଗ କେନ୍ଦ୍ର ନିର୍ଦେଶକ ଏଚ୍‌.ଆର୍‌ ବିଶ୍ବାସ କହିଛନ୍ତି ଯେ ଆସନ୍ତା ୧୦ ତାରିଖ ପାଖାପାଖି ଉତ୍ତର ଆଣ୍ଡାମାନ ସାଗରରେ ଲଗୁଚାପବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହାକି ଚିହ୍ନିତ ଲଘୁଚାପ ବଳୟରେ ପରିଣତ ହୋଇପାରେ। ଲଘୁଚାପ ସୃଷ୍ଟି ହେବାର ପରବର୍ତ୍ତୀ ୪ରୁ ୫ ଦିନ ମଧ୍ୟରେ ଏହା ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ୧୪ କିମ୍ବା ୧୫ ତାରିଖ ବେଳକୁ ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳମୁହାଁ ହେବ। ଲଘୁଚାପବଳୟ ସୃଷ୍ଟି ହେବା ପରେ ଏହାର ଗତି ଉପରେ ସ୍ପଷ୍ଟ ଭାବେ କୁହାଯାଇପାରିବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ଗଜପତି ଓ ଗଞ୍ଜାମ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି, ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି। ୯ରୁ ୧୧ ତାରିଖ ପର୍ଯ୍ୟନ୍ତ ସେଭଳି ବଡ଼ ବର୍ଷା ନାହିଁ। ଗତ ୨୪ଘଣ୍ଟା ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାର ଗରଦପୁରଠାରେ ସର୍ବାଧିକ ୨୨.୦ ମିମି ବର୍ଷା ରେକର୍ଡ ହୋଇଛି।

ସମ୍ବନ୍ଧିତ ଖବର