ମୃତ ବ୍ୟକ୍ତିଙ୍କ ନାମରେ ଜୀବନ ବୀମା, କୋଟିଏ ୮୧ଲକ୍ଷ ହଡ଼ପ କରିବାକୁ ମସୁଧା

ପୁରୀରୁ ବୀମା ଏଜେଣ୍ଟ୍‌କୁ ଗିରଫ କଲା ଇଓଡବ୍ଲୁ, ୫ଟି ବୀମାରେ ୪୦ଲକ୍ଷ ଲୁଟି ସାରିଥିଲେ

ଭୁବନେଶ୍ବର/ଖୋର୍ଦ୍ଧା : ପ୍ରଥମେ ୪ଜଣ ମୃତ ବ୍ୟକ୍ତିଙ୍କୁ କାଗଜପତ୍ରରେ ଜୀବିତ କରାଇଲେ। ତା’ପରେ ୩ରୁ ୫ବର୍ଷ ମଧ୍ୟରେ ସେମାନଙ୍କ ନାଁରେ ୨୩ଟି ଜୀବନ ବୀମା କରାଇଲେ। ପରେ ସେମାନେ ମରିଯାଇଥିବା ଦର୍ଶାଇ ମୃତ୍ୟୁ ପ୍ରମାଣପତ୍ର ଦ‌ାଖଲ କରି ପ୍ରାୟ କୋଟିଏ ୮୧ଲକ୍ଷ ଟଙ୍କା ହଡ଼ପ କରିବାକୁ ବସିଥିଲେ। ଏପରିକି ଏଭଳି ମୋଟ ୨୩ଟି ବୀମାରୁ ୫ଟିରେ ପ୍ରାୟ ୪୦ଲକ୍ଷ ଟଙ୍କା ହଡ଼ପ ମଧ୍ୟ କରି ସାରିଥିଲେ। ଏଭଳି ଜଣେ ଧୂର୍ତ୍ତ ଜୀବନ ବୀମା ଏଜେଣ୍ଟଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ବୁଧବାର ବିଳମ୍ବିତ ରାତିରେ ପୁରୀରୁ ଗିରଫ କରିଛି। ଅଭିଯୁକ୍ତ ହେଉଛନ୍ତି, ପୁରୀ ଝାଡ଼କଟାର କବିରାଜ ବେହେରା। ଗୁରୁବାର ଦିନ କବିରାଜଙ୍କୁ ଖୋର୍ଦ୍ଧା ଏସ୍‌ଡିଜିଏମ୍ କୋର୍ଟରେ ହାଜର କରାଯିବା ପରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠା‌ଇ ଦିଆଯାଇଛି।

ସୂଚନା ଅନୁସାରେ, କବିରାଜ ଗତ ୨୦୦୩ରୁ ଖୋର୍ଦ୍ଧା ଜୀବନ ବୀମା ଶାଖା ଅଧୀନରେ ଜୀବନବୀମା ଏଜେଣ୍ଟ୍‌ ଭାବେ କାମ କରୁଥିଲେ। ୨୦୧୩ରୁ ୨୦୧୯ ମଧ୍ୟରେ ସେ ୪ଜଣ ମୃତ ବ୍ୟକ୍ତିଙ୍କ ନାମରେ ସର୍ବମୋଟ ୧୦ଲକ୍ଷ ଟଙ୍କାର ୨୩ଟି ବୀମା କରିଥିଲେ। ଉକ୍ତ ବୀମା ନିୟମ ଅନୁସାରେ, କୌଣସି ବୀମାଧାରୀଙ୍କ ମୃତ୍ୟୁ ହେଲେ ୧୦ଲକ୍ଷ ଟଙ୍କାରୁ ନିମ୍ନ ବୀମାରାଶି ପ୍ରଦାନ କରିବା ଅଧିକାର ସମ୍ପୃକ୍ତ ବୀମା ଶାଖାର ପରିଚାଳକଙ୍କ ହାତରେ ଥାଏ। ଏଥିପାଇଁ ଉପଖଣ୍ତ (ଡିଭିଜିନାଲ୍) ପରିଚାଳକଙ୍କ ନିକଟକୁ ଯାଞ୍ଚ ଓ ଅନୁମତି ପାଇଁ ପଠାଇବାର ଆବଶ୍ୟକ ନଥାଏ। ଏଣୁ ଏଜେଣ୍ଟ୍‌ କବିରାଜ ବେହେରା ଚତୁରତାର ସହ ସମସ୍ତ ବୀମା ୧୦ଲକ୍ଷ ଟଙ୍କା ମଧ୍ୟରେ ସୀମିତ ରଖିଥିଲେ। ମୃତ ବ୍ୟକ୍ତିଙ୍କ ନାମରେ ୩ ରୁ ୫ ବର୍ଷ କ୍ରମାଗତ ଭାବେ ସେ ନିଜେ ବୀମା ରାଶି ଦାଖଲ କରିଥିଲେ। ଏହାପରେ ୨୦୧୯ରେ ଉକ୍ତ ୪ଜଣ ମୃତ ଦର୍ଶାଇ ନକଲି ମୃତ୍ୟୁ ପ୍ରମାଣପତ୍ର ବାହାର କରି ବୀମା ରାଶି ପାଇବା ପାଇଁ ଦାଖଲ କରିଥିଲେ। ୨୩ଟି ବୀମା ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୫ଟି ବୀମା ବାବଦକୁ ୪୦ଲକ୍ଷ ଟଙ୍କା ଏଲଆଇସି ପକ୍ଷରୁ ମୃତକଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍‌ରେ ଜମା କରାଯାଇଥିଲା। ଏହି ବ୍ୟାଙ୍କ୍‌ ଆକାଉଣ୍ଟ୍‌ଗୁଡ଼ିକର ସଂପୂର୍ଣ୍ଣ ପରିଚାଳନା ଦାୟିତ୍ବ କବିରାଜଙ୍କ ହାତରେ ଥିବାରୁ ସେ ସମସ୍ତ ଟଙ୍କା ସେଠାରୁ ହଡ଼ପ କରି ନେଇଥିଲେ। ପରେ ବାକି ୧୮ଟି ପଲିସିର ଟଙ୍କା ପାଇବା ଲାଗି ସେ ବାରମ୍ବାର ଖୋର୍ଦ୍ଧା ଜୀବନବୀମାର ବରିଷ୍ଠ ଅଧିକାରୀଙ୍କ ପାଖରେ ଅଭିଯୋଗ କରିଥିଲେ। ତେବେ ଏ ନେଇ ସନ୍ଦେହ ହେବାରୁ ଖୋର୍ଦ୍ଧା ଜୀବନବୀମାର ମୁଖ୍ୟ ପ୍ରଥମେ ସମସ୍ତ ୨୩ଟି ବୀମା ପଲିସିର ଆଭ୍ୟନ୍ତରୀଣ ତଦନ୍ତ କରାଇଥିଲେ। ଏହା ପରେ କବିରାଜଙ୍କ ଟଙ୍କା ହଡ଼ପ କରିବାର ସମସ୍ତ ମସୁଧା ପଦାକୁ ଆସିଥିଲା।

ଏହାପରେ ଖୋର୍ଦ୍ଧା ଏଲ୍‌ଆଇସି ପକ୍ଷରୁ ଧୂର୍ତ୍ତ ଏଜେଣ୍ଟ କବିରାଜଙ୍କ ନାଁରେ ଗତ ୫ ତାରିଖ ଦିନ ପୁଲିସ ପାଖରେ ଅଭିଯୋଗ ହୋଇଥିଲା। ଏଭଳି ଏକ ବଡ଼ଧରଣର ଠକେଇର ତଦନ୍ତ ଭାର କ୍ରାଇମବ୍ରାଞ୍ଚ୍‌ର ଇଓଡବ୍ଲ୍ୟୁ ନିଜ ହାତକୁ ନେଇଥିଲା। ଦୁଇଦିନ ଭିତରେ ଇଓଡବ୍ଲୁ ପ୍ରାଥମିକ ତଦନ୍ତ କରି ବୁଧବାର ବିଳମ୍ବିତ ରାତିରେ କବିରାଜଙ୍କୁ ପୁରୀସ୍ଥିତ ଘରୁ ଗିରଫ କରିଥିଲା। କବିରାଜଙ୍କ ଘରୁ ମୃତ ବୀମାଧାରୀଙ୍କ ନକଲି ମୃତ୍ୟୁ ପ୍ରମାଣପତ୍ର, ମାଳମାଳ ଏଟିଏମ୍ କାର୍ଡ, ବ୍ୟାଙ୍କ୍ ପାସ୍‌ବୁକ୍, ଚେକ୍‌ବୁକ୍, ଆଧାର କାର୍ଡ, ସେମାନଙ୍କ ନୋମିନିଙ୍କ ଦ୍ବାରା କରାଯାଇଥିବା ଆବେଦନପତ୍ରର ନକଲ, ବ୍ୟାଙ୍କ ଜମାଖାତା, ଏଟିଏମ୍ କାର୍ଡ ସହ ମୃତ ବ୍ୟକ୍ତିଙ୍କ ପୂର୍ଣ୍ଣ ସ୍ବାକ୍ଷର ଥିବା ସାଦା କାଗଜ ଆଦି ଜବତ କରାଯାଇଛି। କବିରାଜ ଆହୁରି ଏହିଭଳି ଅନେକ ବୀମା ଜାଲିଆତି କରିଥିବା ଇଓଡବ୍ଲୁ ସନ୍ଦେହ କରୁଛି। ଅନ୍ୟ କିଛି ଲିଙ୍କ୍ ବାହାରିଲେ କବିରାଜଙ୍କୁ ରିମାଣ୍ଡ୍‌ରେ ଆଣି ପଚରାଉଚରା କରାଯିବ ବୋଲି ଜଣପଡ଼ିଛି। ତେବେ ଇଓଡବ୍ଲୁ କହିଛି ଯେ ମୃତ ବ୍ୟକ୍ତିଙ୍କ ନାମରେ ଯେଉଁ ନୋମିନି ରହିଛନ୍ତି ସେମାନଙ୍କ ଭୂମିକାକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବ। ସେମାନେ ଏହି ଜାଲିଆତିରେ କବିରାଜଙ୍କୁ ସହଯୋଗ କରିଥିବା ସଂପୃକ୍ତି ମିଳିଲେ ସେମାନଙ୍କୁ ମଧ୍ୟ ଗିରଫ କରାଯିବ।

ସମ୍ବନ୍ଧିତ ଖବର