ତାମିଲନାଡ଼ୁ ସରକାରଙ୍କ ମାର୍ଗଦର୍ଶିକା ସାଜିଲେ କାଶୀପୁର ପୁଅ, ଆର୍ଥିକ ସ୍ଥିତି ସୁଧାରିବାକୁ ଦେଲେ ୧୦ ପୃଷ୍ଠାର ରିପୋର୍ଟ
ରାୟଗଡ଼ା : କରୋନା ବିପତ୍ତି ସମୟରେ ଆର୍ଥିକ ସ୍ଥିତି ସୁଧାରିବାକୁ ତାମିଲନାଡ଼ୁ ସରକାରଙ୍କ ମାର୍ଗଦର୍ଶିକା ସାଜିଛନ୍ତି କାଶୀପୁର ପୁଅ। ମାଡ୍ରାସ ଆଇଆଇଟିରେ ପ୍ରଫେସର ଭାବେ କାର୍ଯ୍ୟରତ ସନ୍ତୋଷ କୁମାର ସାହୁ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପାନୁଷ୍ଠାନ (ଏମଏସଏମଇ) ମାଧ୍ୟମରେ ଲୋକଙ୍କୁ କିପରି ରୋଜଗାରକ୍ଷମ କରାଯିବ ଏବଂ ଶିଳ୍ପାନୁଷ୍ଠାନ ଗୁଡ଼ିକୁ ପୁଣି ସଚଳ କରାଯିବା ସେ ନେଇ ୧୦ ପୃଷ୍ଠାର ରିପୋର୍ଟ ତାମିଲନାଡ଼ୁ ସରକାରଙ୍କୁ ପ୍ରଦାନ କରିଛନ୍ତି। ଉଭୟ ଇଂରାଜୀ ଓ ତାମିଲ୍ ଭାଷାରେ ପ୍ରସ୍ତୁତ ରିପୋର୍ଟକୁ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହ କାର୍ଯ୍ୟକାରୀ କରିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମହାମାରୀ କରୋନା ପ୍ରଭାବରେ ତାମିଲନାଡ଼ୁର ୧୨ ଶହରୁ ଉର୍ଧ୍ବ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପାନୁଷ୍ଠାନ ପ୍ରଭାବିତ ହୋଇଛନ୍ତି। ଅଧିକାଂଶ ଶିଳ୍ପାନୁଷ୍ଠାରୁ ଉତ୍ପାଦନ ବନ୍ଦ ଥିବାରୁ ଜୀବନ ଜୀବିକା ପାଇଁ ଏହି ଶିଳ୍ପନୁଷ୍ଠାନ ଉପରେ ନିର୍ଭର କରିଥିବା ଲକ୍ଷ ଲକ୍ଷ ଲୋକ ବେରୋଜଗାର ହୋଇ ପଡ଼ିଛନ୍ତି। ଯାହା ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ପ୍ରଭାବ ପକାଇଛି। କରୋନା ବିପତ୍ତି ଟଳିବାକୁ ଆହୁରି ଅଧିକ ସମୟ ଲାଗିବାକୁ ଥିବାରୁ ସରକାର ଏପରି ପରିସ୍ଥିତିରେ ଶିଳ୍ପାନୁଷ୍ଠାନ ଚଲାଇ ଲୋକଙ୍କୁ ଆର୍ଥିକ ସ୍ତରରେ ସଶକ୍ତିକରଣ କରିବା ପାଇଁ ବିଭିନ୍ନ ପ୍ରସ୍ତାବ ଲୋଡ଼ୁଛନ୍ତି। ତାମିଲନାଡ଼ୁ ଶିଳ୍ପ ମନ୍ତ୍ରଣାଳୟ ନିର୍ଦେଶକ୍ରମେ ମାଡ୍ରାସ ଆଇଆଇଟି ପକ୍ଷରୁ ପ୍ରସ୍ତୁତ ହୋଇଛି ମାର୍ଗଦର୍ଶିକା ରିପୋର୍ଟ। ଆଇଆଇଟିର ଅର୍ଥନୈତିକ ମାନବସମ୍ବଳ ଏବଂ ସାମାଜିକ ବିଜ୍ଞାନ ବିଭାଗ ସହକାରୀ ପ୍ରଫେସର ସନ୍ତୋଷ କୁମାର ସାହୁ, ମାନବସମ୍ବଳ ଏବଂ ସାମାଜିକ ବିଜ୍ଞାନ ବିଭାଗର ଆସୋସିଏଟ ପ୍ରଫେସର ସୁବାଷ ଶଶିଧରନ, କାସିନୋ ଟ୍ରୀ ଅନୁଷ୍ଠାନର ନିର୍ବାହ ନିର୍ଦେଶକ ଆର୍. କେ. ଜୟବଳନ ମିଳିତ ଭାବେ ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କୁ ପ୍ରଦାନ କରିଛନ୍ତି।
ତାମିଲନାଡୁ ମୁଖ୍ୟମନ୍ତ୍ରୀ, ଶିଳ୍ପ ମନ୍ତ୍ରୀ, ଶିଳ୍ପ ମନ୍ତ୍ରଣାଳୟ ଅଧିକାରୀଙ୍କ ଉପସ୍ଥିତିରେ ଭିଡିଓ କନଫରେନସିଂ ଜରିଆରେ ରିପୋର୍ଟକୁ ଉପସ୍ଥାପନା କରାଯାଇଥିଲା। ୧୦ ପୃଷ୍ଠାର ରିପୋର୍ଟରେ ବତ୍ତର୍ମାନର ସ୍ଥିତି ଏବଂ ପ୍ରତିକାର ସମ୍ପର୍କରେ ଉଲ୍ଲେଖ କରାଯିବା ସହ ୭୦ ପ୍ରତିଶତ ଲୋକ ରୋଜଗାର ପନ୍ଥା ହରାଇଥିବାରୁ ପୁଣି ଥରେ ଅଣୁ ଏବଂ କ୍ଷୁଦ୍ର ପ୍ରତିଷ୍ଠାନ ଗୁଡ଼ିକୁ ସଚଳ କରିବାକୁ ପରାମର୍ଶ ଦିଆଯାଇଛି। ସେହିପରି ଉଦ୍ୟୋଗପତିଙ୍କୁ କମ ସୁଦ୍ଧରେ ଅଧିକରୁ ଅଧିକ ଋଣ ଯୋଗାଇବା ନିହାତି ଜରୁରୀ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପକୁ ସୁଦୃଢ଼ କରିବା ପାଇଁ ସ୍ୱତନ୍ତ୍ର ପାଣ୍ଠିର ବ୍ୟବସ୍ଥା, ରାଜ୍ୟ ଉଦ୍ୟୋଗ ପାଣ୍ଠିର ପରିକଳ୍ପନା ଏପରିକ ଏମଏସଏମଇ ପାଇଁ ବୀମା ଯୋଜନା, ଉଦ୍ୟୋଗପତିଙ୍କ ନିକଟରେ ଆର୍ଥିକ ପ୍ରୋତ୍ସାହନ ପହଞ୍ଚାଇବା, ବ୍ୟବସାୟୀକ ଖର୍ଚ୍ଚକୁ ହ୍ରାସ କରିବା ପାଇଁ ସୁବିଧା ସୁଯେଗା ଯୋଗାଇବା, ମାନବ ସମ୍ବଳ ଏବଂ ଦକ୍ଷ କର୍ମଚାରୀ ଓ କାରିଗର ତିଆରି ଦିଗରେ ଦୃଷ୍ଟି ଦେବା ସହ ଦୀର୍ଘ ମିଆଦି ଯୋଜନା ଭଳି ଦିଗକୁ ଦୃଷ୍ଟି ଦେବା ପାଇଁ ରିପୋର୍ଟରେ ଉଲ୍ଲେଖ କରାଯାଇଛି।