ମମିତା ରାୟପୁର ଯାଇନଥିଲେ: ବାପା

‘ମୁଖ୍ୟମନ୍ତ୍ରୀ ମୋତେ ନ୍ୟାୟ ଦେବେ’

ବଲାଙ୍ଗୀର : ମୁଖ୍ୟମନ୍ତ୍ରୀ ଆମକୁ ନ୍ୟାୟ ଦେବେ। ମୋର ଝିଅ ବହୁତ ଭଲ ଝିଅ ଥିଲା। ପୁଲିସ ତଦନ୍ତ ଉପରେ ଆମେ ସନ୍ତୁଷ୍ଟ ଅଛୁ। ମୋର ଝିଅ କେବେବି ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସହ ରାୟପୁର ଯାଇନଥିଲା ବୋଲି କହିଛନ୍ତି ମମିତାଙ୍କ ବାପା ସୁଚନ୍ଦ୍ର ମେହେର। ଏକ ନିର୍ଦ୍ଦିଷ୍ଟ ବୈଦ୍ୟୁତିକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ମମିତା ହତ୍ୟା ଘଟଣା ପରେ ପରିବାରବର୍ଗ ସଂପୂର୍ଣ୍ଣ ଭାଙ୍ଗିପଡିଛୁ। ମୋର ଝିଅର ଚରିତ୍ର ସଂହାର କରାନଯାଉ। କୌଣସି ଗଣମାଧ୍ୟମ କି ରାଜନୈତିକ ଦଳ ଏହି ଘଟଣାକୁ ନେଇ ରାଜନୀତି କରାନଯାଉ ବୋଲି ବାପା ସୁଚନ୍ଦ୍ର ମେହେର କହିଛନ୍ତି।

ସେହିପରି ତାଙ୍କ ବଡ଼ବାପା କୌଶିକ ମେହେର କହିଛନ୍ତି, ପୁଲିସ ଏହି ମାମଲାରେ ଯାହା କିଛି ବି ତଦନ୍ତ କରିଛି ସେଥିରେ ଆମେ ସନ୍ତୁଷ୍ଟ। ଯେଉଁମାନେ ମମିତା ଏବଂ ଆମ ପରିବାରର ଚରିତ୍ର ସଂହାର କରୁଛନ୍ତି ତାହା ବନ୍ଦ କରାଯାଉ। ଆମକୁ ନ୍ୟାୟ ଦରକାର। ଦୋଷୀକୁ ଫାଶୀଦଣ୍ଡ ଦିଆଯାଉ ବୋଲି ସେ କହିଛନ୍ତି।

ମମିତାଙ୍କ ବଡ଼ବାପା

ପ୍ରକାଶ ଯେ ମମିତାଙ୍କ ବାପା ବିଗତ ଦିନ ବଲାଙ୍ଗୀର ଡିଆଇଜିଙ୍କ ନିକଟକୁ ଝିଅର ଅସ୍ଥି ନେବା ପାଇଁ ଆସିଥିଲେ। ସେ ସମୟରେ ଏକ ଦାବିପତ୍ର ମଧ୍ୟ ସେ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଯାଇ ପ୍ରଦାନ କରିଥିଲେ। ସେଥିରେ ଫାଷ୍ଟ୍‌ଟ୍ରାକ୍‌ କୋର୍ଟରେ ବିଚାର ପ୍ରକ୍ରିୟା କରିବାକୁ ଜିଲ୍ଲାପାଳଙ୍କୁ ନିବେଦନ କରିଥିଲେ। ଏହାସହ ଘଟଣାକୁ ନେଇ ରାଜନୀତି କରାନଯାଉ ବୋଲି ସେ ଉଲ୍ଲେଖ କରିଥିବା ସେ ସମୟରେ ଜିଲ୍ଲାପାଳ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଏବେ ମମିତା ରାୟପୁର ଯିବା ପ୍ରସଙ୍ଗ ବିଭିନ୍ନ ରାଜନୈତିକ ଦଳ ଉଠାଇବା ପରେ ଏହାକୁ ମମିତାଙ୍କ ବାପା ସୁଚନ୍ଦ୍ର ଖଣ୍ଡନ କରିଛନ୍ତି।

ସମ୍ବନ୍ଧିତ ଖବର