ପ୍ରଦୀପଙ୍କ ଜନ୍ମମାଟିରେ ଆଜି କଂଗ୍ରେସର ଶକ୍ତି ପ୍ରଦର୍ଶନ

ନବରଙ୍ଗପୁର : ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ଜନ୍ମମାଟିରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ। ଶ୍ରୀ ମାଝୀ ବିଜେଡିରେ ଯୋଗଦେବାର ଠିକ୍‌ ପରେପରେଦଳ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି।

ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗ‌ଦେଇ ବିଧାୟକ ଶ୍ରୀ ବାହିନୀପତି କହିଛନ୍ତି, ଆଗାମୀ ଦିନରେ ଏଥିପାଇଁ ଲଢ଼େଇ ଜୋରଦାର ହେବ। ଅବିଭକ୍ତ କୋରାପୁଟରେ ଜଣେ ବି ବିଜେଡି ବିଧାୟକ ବିଧାନସଭାରେ ସ୍ବର ଉତ୍ତୋଳନ କରିନାହାନ୍ତି। କାରଣ ସ୍ବର ଉତ୍ତୋଳନ କଲେ ଟିକେଟ୍ କଟିବ। ଆସନ୍ତାକାଲି ପ୍ରଦୀପଙ୍କ ଜନ୍ମମାଟିରେ କଂଗ୍ରେସ ସମା‌ବେଶ କରିବ। ଏଥିରେ ବହୁ ସଂଖ୍ୟାରେ ପ୍ରଦୀପଙ୍କ ସମର୍ଥକ କଂଗ୍ରେସରେ ଯୋଗଦେବେ ବୋଲି ସେ କହିଛନ୍ତି।

ଏଥିସହିତ କଂଗ୍ରେସ ଟିକେଟ୍‌ରେ ସାଂସଦ ହୋଇଥିବା ପ୍ରଦୀପ ଓ ବିଧାୟକ ହୋଇଥିବା ଚନ୍ଦ୍ରଶେଖର ମାଝୀ ଯେଉଁ ପେନ୍‌ସନ୍‌ ପାଉଛନ୍ତି, ତାହାକୁ ଗରିବଙ୍କ ପାଇଁ ପାଇଁ ଦେବେ କି ବୋଲି ପ୍ରଶ୍ନ କରିଥିଲେ। ସେହିପରି ବିଜେଡିକୁ ଯିବା ପୂର୍ବରୁ ଶେଷଥର ପାଇଁ କଂଗ୍ରେସର ବରି‌ଷ୍ଠ ନେତା ଭକ୍ତ ଚରଣ ଦାସଙ୍କ ସହ ପ୍ରଦୀପ ଦିଲ୍ଲୀ ଯାଇ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ କରିଥିଲେ। ଏହାପୂର୍ବରୁ ବିଜେଡି ନେତୃବୃନ୍ଦଙ୍କୁ ୭ଥର ସାକ୍ଷାତ କରିଥିଲେ। ଦିଲ୍ଲୀ ଯିବା ଅର୍ଥ ହେଲା ବିଜେଡିରେ ନିଜ ଦର ବଢ଼ାଇବା ବୋଲି ଶ୍ରୀ ବାହିନୀପତି ଅଭିଯୋଗ କରିଛନ୍ତି।

ଏହି ସାମ୍ବାଦିକ ସମ୍ମଳନୀରେ ରାଜ୍ୟ ଆଦିବାସୀ କଂଗ୍ରେସ ଅଧ୍ୟକ୍ଷ ଭୁଜବଳ ମାଝୀ, ପୂର୍ବତନ ବିଧାୟକ ସଦନ ନାୟକ, ଦିଲ୍ଲୀପ କୁମାର ବେହେରା, ଭୁବନେଶ୍ବର ସୁର, ମହମ୍ମଦ ଆକବର, ବୃନ୍ଦା ତ୍ରିପାଠୀ ପ୍ରମୁଖ ‌ଯୋଗ ଦେଇଥି‌ଲେ।

ସମ୍ବନ୍ଧିତ ଖବର