ରାଜ୍ୟରେ ଆଶାର ଆଲୋକ ଆଣିବ କୋରାପୁଟ ମାଣ୍ଡିଆ, ନିର୍ଦ୍ଧାରଣ କରିବ ୨୫୪୮୭ ଚାଷୀଙ୍କ ଭାଗ୍ୟ 

କୋରାପୁଟ: ଖାଲି ଯେ ଉପାନ୍ତରେ ଓଡ଼ିଶାର ଜମି, ପଡିଶା ଆନ୍ଧ୍ରପ୍ରଦେଶ ଓ ଛତିଶଗଡ ମାଡି ବସୁଛି ତାହାନୁହେଁ। ଏବେ ଓଡ଼ିଶାର କୋରାପୁଟ ଜିଲ୍ଲାରେ ଚାଷ ହୋଇଥିବା ହଜାର ହଜାର କୁ୍ଇଣ୍ଟାଲ ମାଣ୍ଡିଆ ଉପରେ ନଜର ପକାଉଥିଲା ପଡ଼ିଶା। ସାଗମାଛ ଦରରେ ମାଣ୍ଡିଆ କିଣି ନେଉଥିବାବେଳେ ଆଦିବାସୀ ଚାଷୀ କିଛି ମୂଲ୍ୟ ପାଉନଥିଲେ। କିନ୍ତୁ ରାଜ୍ୟ ସରକାର ମାଣ୍ଡିଆକୁ ସ୍ବତନ୍ତ୍ର ଧ୍ୟାନ ଦେଉଥିବାବେଳେ ହକି ବିଶ୍ବ କପ୍‌ର ମାସ୍କଟ ‘ମିଲି’ ମନ ମହୁଛି। ନିକଟରେ କୃଷି ସଚିବ ଅରବିନ୍ଦ ପାଢୀ କୋରାପୁଟ ଗସ୍ତ କରି ଫେରିଥିବାବେଳେ ଏକାଧିକ ଅଞ୍ଚଳ ବୁଲି ଚାଷୀ ଓ କ୍ଷେତ ବୁଲି ଦେଖିଥିଲେ। ଏବଂ କୋରାପୁଟ ଜିଲ୍‌ଲାରେ ମାଣ୍ଡିଆ ଚାଷର ଉନ୍ନତି କରିବାକୁ ରାଜ୍ୟସ୍ତରରୁ ପ୍ରସ୍ତୁତି ହେଉଛି ବୋଲି କହି ଯାଇଥିଲେ।

ନଭେମ୍ବର ୯ ତାରିଖକୁ ବିଶ୍ବ ମାଣ୍ଡିଆ ଦିବସ ପାଳନ ହେଉଥିବାବେଳେ କୋରାପୁଟରେ ଚାଷ ହେଉଥିବା‌ ମାଣ୍ଡିଆ ସାରା ଓଡ଼ିଶାରେ ମହକିବ ବୋଲି ଆଶା କରାଯାଉଛି। କୋରାପୁଟର ମାଣ୍ଡିଆରେ ଅନ୍ୟ ଜିଲ୍ଲା ଭଳି ଅଧିକ ସାରତତ୍ବ ରହିଥିବାରୁ ସବୁବେଳେ ଗରାଖଙ୍କର ଡିମାଣ୍ଡ ରହିଥାଏ। ଚଳିତବର୍ଷ କୋରାପୁଟ ଜିଲ୍ଲାର ୧୪ଟି ବ୍ଲକରୁ ୧୨ଟି ବ୍ଲକରେ ୮୦୭୫.୪୯ ହେକ୍ଟର ଜମିରେ ହୋଇଛି ମାଣ୍ଡିଆ। ୨୦୨୦ ମସିହାରେ ଏହା‌ ୧୦ ଟି ବ୍ଲକରେ ସିମିତ ରହିଥିବାବେଳେ ଏହା ଏବେ ୧୩ଟି ଜିଲ୍ଲାକୁ ବୃଦ୍ଧି ପାଇଛି। ଖାଲି ମାଣ୍ଡିଆ କାହିଁକି ମାଣ୍ଡିଆ ମିଶନ ଜରିଆରେ କୋରାପୁଟ ଜିଲ୍ଲାରେ୨୦୩୨.୬ ହେକ୍ଟରରେ ସୁଆଁ, ୮.୬୫ ହେକ୍ଟରରେ କାଙ୍ଗୁ ଓ ୩୦୪.୭ ହକ୍ଟର ଜମିରେ ଖେଡ ଜହ୍ନା ମଧ୍ୟ ଚାଷ ହୋଇଛି।

କୋରାପୁଟ ଜିଲ୍ଲାରେ ୫୮ହଜାର ହେକ୍ଟର ଜମିରେ ମାଣ୍ଡିଆ ଚାଷ ହୋଇଛି। ସରକାର କୋରାପୁଟ ଜିଲ୍ଲାକୁ  ୭୨ହଜାର ମାଣ୍ଡିଆ କିଣିବାକୁ ଯୋଜନା କରିଥିଲାବେଳେ ଚଳିତବର୍ଷ ଏହା ଚାଷକୁ ଦେଖି ବୃଦ୍ଧି ପାଇବ। ପାରମ୍ପାରିକ ଚାଷୀ ସହ କିଛି ଆଗୁଆ ଚାଷୀ ମଧ୍ୟ ଏହି ଚାଷକୁ ଚଳିତବର୍ଷ ଆପଣେଇଛନ୍ତି। ସରକାରୀ ନିୟମ ସହ ଦେଶୀ ପଦ୍ଧତିରେ ହୋଇଛି ଚାଷ। ତେଣୁ ଭଲ ଅମଳ ହେବା ଆଶା ରହିଛି। ଗତ କିଛି ବର୍ଷ ହେବ ଭଲ ଅମଳ ରହିଥିଲେ ମଧ୍ୟ ଟାର୍ଗେଟ ପୂରଣ ହୋଇଯିବାରୁ ବଡ ସମସ୍ୟାରେ ପଡିଥିଲେ ଚାଷୀ। ଆଉ ମାଣ୍ଡିଆ ବିକ୍ରି ନ କରିପାରି ନାହିଁ ନଥିବା ହଇରାଣ ହୋଇଥିଲେ। ଜିଲ୍ଲାର ବୈପାରିଗୁଡା  ବ୍ଲକର ୧୯ଟି ପଞ୍ଚାୟତରେ ୩୭୬୨ ଜଣ ଚାଷୀ ପଞ୍ଜୀକରଣ କରିଥିବାବେଳେ ବୋରିଗୁମ୍ମାରେ ୨୧ ପଞ୍ଚାୟତରେ ୧୭୩୨ ଜଣ, ଦଶମନ୍ତପୁରରେ ୧୬ଟି ପଞ୍ଚାୟତରେ ୧୦୯୭ଜଣ, କୋରାପୁଟରେ ୧୪ଟି ପଞ୍ଚାୟତରେ ୨୧୦୧, କୁନ୍ଦୁରାରେ ୧୩ଟି ପଞ୍ଚାୟତରେ ୧୧୮୩ଟି, ଲମତାପୁଟରେ ୧୨ଟି ପଞ୍ଚାୟତରେ ୩୬୬୩ ଜଣ, ଲକ୍ଷ୍ମୀପୁରରେ ୧୩ଟି ପଞ୍ଚାୟତରେ ୧୩୬୨, ନନ୍ଦପୁରରେ ୨୧ଟି ପଞ୍ଚାୟତରେ ୨୩୯୪ଜଣ, ପଟାଙ୍ଗୀରେ ୧୪ଟି ପଞ୍ଚାୟତରେ ୯୨୭ ଜଣ, ସେମିଳିଗୁଡାରେ ୧୭ଟି ପଞ୍ଚାୟତରେ ୫୩୧୭ ଜଣ ଚାଷୀ, ବନ୍ଧୁଗାଁରେ ୬ଟି ପଞ୍ଚାୟତରେ ୧୪୫୮ ଜଣ ଚାଷୀ, ନାରାୟଣପାଟଣାରେ ୮ଟି ପଞ୍ଚାୟତରେ ୪୯୧ ଜଣ ଚାଷୀ ନାମ ପଞ୍ଜୀକରଣ କରିଛନ୍ତି।

ଜିଲ୍ଲା‌ରେ ଚାଲୁଥିବା ମଣ୍ଡିଆ ମଣ୍ଡି ବନ୍ଦ ହୋଇଯାଉଥିବାରୁ ଉଭୟ ଆନ୍ଧ୍ରା ଓ ଛତିଶଗଡ ରାଜ୍ୟର ମାଫିଆଙ୍କ ଗାଁରେ ମୂଲଚାଲ କରିବାକୁ ଆରମ୍ଭ କରିଦେଇ ସାଗମାଛ ଦରରେ କିଣି ନେଉଥିଲେ ମାଣ୍ଡିଆ।ଓଡ଼ିଶା ମିଲେଟ୍‌ ମିଶନ ସହ ନିଜ ପ୍ରଚେଷ୍ଠାରେ ଚାଷ କରିଥିବା ମାଣ୍ଡିଆ ଚାଷୀ ହତାସ ହେଉଥିଲାବେଳେ ଏବେ ବିଶ୍ବାସ ଫେରୁଛି। ଏନେଇ ମାଣ୍ଡିଆ ମିଶନର ଅଧିକାରୀ ତ୍ରିନାଥ ତାରାପୁଟିଆ କହିଛନ୍ତି ଯେ ମାଣ୍ଡିଆ ଚାଷ ଓ ଚାଷୀଙ୍କ ଉନ୍ନତି ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ସବୁବେଳେ ତତ୍ପର। ଚାଷୀଙ୍କର କୌଣସି ଅସୁବିଧା ନ ହେବ ସେନେଇ ଆମେ ସଜାଗ ରହିଛୁ ବୋଲି ‌ସେ କହିଛନ୍ତି।

ସମ୍ବନ୍ଧିତ ଖବର